ଫେରିପାରେ ଲକଡାଉନ୍ ! ଏଠାରେ ବିବାହ ଲାଗି ଅନୁମତି ଅଛି ହେଲେ ରିସେପସନ ଲାଗି ନାହିଁ

Published By : Prameya-News7 Bureau | July 15, 2020 IST

ନୂଆଦିଲ୍ଲୀ ୧୫।୭: ଦେଶରେ କରୋନା ଭାଇରସର ଦୈନିକ ନୂଆ ମାମଲା ବଢି ବଢି ଚାଲିଛି। କେବଳ ବଢି ବଢି ଚାଲିଛି କହିଲେ ଏବେ ହେବନି ସବୁଦିନ ନୂଆ ରେକର୍ଡ ମଧ୍ୟ ହେଉଛି। ସଂକ୍ରମଣ ସଂଖ୍ୟା ଅନୁସାରେ ମୃତ୍ୟୁହାର ବି ଏବେ ବଢିଲାଣି। ଏଣୁ ଦେଶକୁ ପୁଣିଥରେ ଲକଡାଉନକୁ ନିଆଯିବକି ବୋଲି ବୁଧବାର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସାମ୍ବାଦିକ ସମ୍ମିଳନୀରେ ପଚରା ଯିବା ଲୋକଙ୍କ  ମନରେ ଭୟ ସୃଷ୍ଟି କରିଛି।   

ଏବେ କେବଳ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍‌ କରାଯାଉଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ହେଲେ ପରିସ୍ଥିତି  କିନ୍ତୁ ଜଟିଳ ହେବାରେ ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ କଡାକଡି ଲକଡାଉନର ଲଗାତାର ଖବର ମିଳୁଛି। ଏଥିରୁ ପରିସ୍ଥିତି ଯଦି ବେକାବୁ ହୁଏ ତେବେ ଆମେରିକା ଓ ଅନ୍ୟ ଦେଶଙ୍କ ଭଳି ପୁଣି ଥରେ ହୁଏତ ଲକଡାଉନକୁ ଯିବାକୁ ପଡିପାରେ ବୋଲି ଆଶଙ୍କା କରାଯାଉଛି।

ମେଘାଳୟରେ କରୋନା ସଂକ୍ରମଣକୁ ନେଇ ସରକାର ଏବେ କଡାମନୋଭାବ ପୋଷଣ କରିଛନ୍ତି। ଏଠାରେ ବିବାହ ଲାଗି ଯଦିଓ ଅନୁମତି ଅଛି ତେବେ ରିସେପସନ୍ ଲାଗି କିନ୍ତୁ ଅନୁମତି ନାହିଁ। ସେହିପରି ବିବାହର ଧାର୍ମିକ ନୀତିନିୟମକୁ  ମଧ୍ୟ ସରକାର କଡାକଡି କରିଛନ୍ତି। କେତେକ ସ୍ଥଳରେ ବର ଓ ବଧୂଙ୍କ ବ୍ୟତୀତ ଅନ୍ୟ କାହାକୁ ଅନୁମତି ଦିଆଯାଉନି।

ମହାରାଷ୍ଟ୍ରର ପୁଣେ ଜିଲ୍ଲାକୁ ସରକାର ୧୦ ଦିନ ଲାଗି ଲକଡାଉନ୍‌ ଘୋଷଣା କରିଛନ୍ତି। ଏଠାରେ ପ୍ରଥମ ପର୍ଯ୍ୟାୟ ଲକଡାଉନ୍‌ ଜୁଲାଇ ୧୩ରେ ଘୋଷଣା ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା ଯୋଗୁ ଜୁଲାଇ ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ସମଗ୍ର ସହରରେ ସବୁ ପ୍ରକାର ଗତିବିଧି ଠପ ହୋଇଯାଇଛି। ପୂର୍ବରୁ ଉତ୍ତରପ୍ରଦେଶ ସରକାର କରୋନା ସଂକ୍ରମଣ ରୋକିବା ଲାଗି ସପ୍ତାହନ୍ତ ଲକଡାଉନ୍‌ ଜାରି କରିଛନ୍ତି। ଅର୍ଥାତ ପ୍ରତି ଶନି ଓ ରବିବାର ରାଜ୍ୟ ବନ୍ଦ  ରହିବ।

ମୁମ୍ବାଇରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ପାଖାପାଖି ପହଞ୍ଚିଛି। ତେବେ ସୁଧୁରୁଥିବା ପରିସ୍ଥିତି ଯୋଗୁ ଏଠାରେ ଆଉ ଲକଡାଉନର ଆବଶ୍ୟକତା ନାହିଁ ବୋଲି ବିଏମସି କମିଶନର ଇକବାଲ ସିଂହ ଚହଲ କହିଛନ୍ତି। ଏବେ ସହରର ଯେଉଁଠାରୁ ସଂକ୍ରମଣର ଅଭିଯୋଗ ମିଳୁଛି ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଉଛି।  ସେପଟେ ବେଙ୍ଗାଲୁରରେ ସଂକ୍ରମଣ ଥମିବାର ନାଁ ନେଉନି। ଏଣୁ ହଟସ୍ପଟ ଦକ୍ଷିଣ କନ୍ନଡ ଜିଲ୍ଲାମାନଙ୍କ ସମେତ ୟାଦଗିରି ଜିଲ୍ଲାକୁ ଜୁଲାଇ ୧୫ରୁ ୨୩ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ କରାଯାଇଛି।

ଓଡିଶାରେ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି। ଏଥିରା ରାଜଧାନୀ ଭୁବନେଶ୍ୱର ଏବେ ହଟ୍ ସ୍ପଟ୍ ପାଲଟିବା ଚିନ୍ତାର କାରଣ ହୋଇଛି। ଏଣୁ ଲୋକେ ଲକଡାଉନ୍‌ ଲାଗି ଆତଙ୍କିତ ଅବସ୍ଥାରେ ଥିବା ବେଳେ ସରକାର ସବୁ ଶନିବାର ଓ ରବିବାର ପୂର୍ବରୁ ଲକଡାଉନ୍‌ ଘୋଷଣା କରି ରଖିଛନ୍ତି। ଏହା ସତ୍ତ୍ୱେ ମଧ୍ୟ ସଂକ୍ରମଣ ଥମୁନଥିବା ଏବେ ଚିନ୍ତାର କାରଣ ପାଲଟିଛି। ସେପଟେ ଛତିଶଗଡରେ ସଂକ୍ରମଣ ହାର ପୁଣି ବଢିବାରେ ଲାଗିଛି। ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧ ହଜାର ୮୮ରେ ପହଞ୍ଚିଥିବା ବେଳେ ୨୦ ଜଣଙ୍କ  ମୃତ୍ୟୁ ହେଲାଣି। ଏଣୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.