ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ

Published By : Prameya-News7 Bureau | September 24, 2021 IST

କଟକ ୨୪।୯: ଖବର ଦେବାକୁ ଯାଇ ନିଜେ ଦୁଃଖଦ ଖବର ହୋଇଗଲେ । କଟକ ନରାଜର ମୁଣ୍ଡଳୀ ନିକଟରେ ଗଜରାଜ ଉଦ୍ଧାର ଖବର ଦେବାକୁ ଯାଇଥିଲେ କିନ୍ତୁ ନିଜେ ଦୁର୍ଘଟଣାର ଶିକାର ହୋଇ ସେହି ପାଣିରେ ବୁଡି ପ୍ରାଣ ହରାଇଲେ । ଓଟିଭିର ମୁଖ୍ୟ ରିପୋର୍ଟର ଅରିନ୍ଦମ୍ ଦାସଙ୍କ ଘଟିଛି ଅକାଳ ବିୟୋଗ । ଶୁକ୍ରବାର ଦିନ ମୁଣ୍ଡଳୀରେ ଏକ ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଅରିନ୍ଦମ୍ ପ୍ରାଣ ହରାଇଛନ୍ତି । ଅରିନ୍ଦମ୍‌ଙ୍କ ମୃତ୍ୟୁ ନେଇ କଟକ ବଡ ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଏ ନେଇ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘଘଣ୍ଟା ଧରି ମୁଣ୍ଡଳୀ ନିକଟରେ ମହାନଦୀ ପାଣିରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର କରିବାକୁ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ଅକ୍ଳାନ୍ତ ପରିଶ୍ରମ କରି ଓଡ୍ରାଫ୍ ଟିମ୍‌ର ବୋଟ୍‌ରେ ୫ଜଣ ଓଡ୍ରାଫ୍ କର୍ମଚାରୀଙ୍କ ସହ ଓଟିଭିର ରିପୋର୍ଟର ଅରିନ୍ଦମ୍ ଦାସ୍ ଏବଂ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ମଧ୍ୟ ରହିଥିଲେ । ଗଜରାଜକୁ ଉଦ୍ଧାର କରିବାକୁ ନିକଟକୁ ଯିବାବେଳେ ନଦୀର ପ୍ରଖର ସ୍ରୋତରେ ବୋଟ୍‌ଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଫଳରେ ବୋଟ୍‌ରେ ଥିବା ୭ ଜଣ ଯାକ ନଦୀ ପାଣିରେ ବୁଡିଯାଇଥିଲେ । ବ୍ରିଜ୍ ଉପରେ ଥିବା ଅନ୍ୟ ଓଡ୍ରାଫ୍ କର୍ମଚାରୀ ବୁଡିଯାଇଥିବା ୩ ଜଣ ଓଡ୍ରାଫ୍ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ଓଟିଭିର କ୍ୟାମେରା ପର୍ସନଙ୍କୁ ମଧ୍ୟ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଥିଲେ । ତେବେ ଓଟିଭିର ରିପୋର୍ଟର ଅରିନ୍ଦମ୍ ଦାସ ଭାସିଯାଇଥିଲେ । କିଛି ଦୂରରେ ନଦୀ ପାଣିରେ ଭାସୁଥିବା ବେଳେ ଏକ ମାଛଧରା ଡଙ୍ଗା ତାଙ୍କ ନିକଟକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲା । ସମସ୍ତଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଓଟିଭି ରିପୋର୍ଟର ଅରିନ୍ଦମ୍ ଦାସଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଉଦ୍ଧାର ହୋଇଥିବା ଅନ୍ୟ ୪ଜଣ କର୍ମଚାରୀ ଏବେ ଚିକିତ୍ସାଧିନ ଅଛନ୍ତି । ଏବେବି ଓଡ୍ରାଫ୍ ଟିମ୍‌ର ଅନ୍ୟ ଜଣେ କର୍ମଚାରୀ ନିଖୋଜ ଅଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଓଡ୍ରାଫ୍ ଟିମ୍ ସହ ଗଣମାଧ୍ୟମର ଦୁଇ ଜଣ ପ୍ରତିନିଧି ଯିବା ପାଇଁ କିଏ ଅନୁମତି ଦେଇଥିଲା ? କାହା ନିର୍ଦ୍ଦେଶରେ ଓଡ୍ରାଫ୍ ଟିମ୍ କର୍ମଚାରୀ ଦୁଇ ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ ବାଜି ଲଗାଇ ପାଣି ଭିତରକୁ ନେଇଯାଇଥିଲେ ? ଗଣମାଧ୍ୟମ ପ୍ରତିନିଧିଙ୍କ ଏଭଳି ଅସୁବିଧା ପାଇଁ ଦାୟୀ କିଏ ? ଉଦ୍ଧାରକାରୀ ଟିମ୍‌ରେ କେଉଁ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମିଲ କରିଥିଲେ ? ଓଡ୍ରାଫ୍ ଟିମ୍ ସହ ଯିବା ପୂର୍ବରୁ ଦୁଇ ଗଣମାଧ୍ୟମ ପ୍ରତିନିଧି ପହଁରା ଜାଣିଥିଲେ କି ନାହିଁ ତାହା ଯାଞ୍ଚ ହୋଇଥିଲା କି ? ଓଡ୍ରାଫ୍ ଅଧିକାରୀଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ? ଏମିତି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହେବାରେ ଲାଗିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.