କରୋନା ଭାଇରସ ବିରୋଧରେ ପ୍ରଭାବୀ ଓ ନିରାପଦ ସାବ୍ୟସ୍ତ ହୋଇଛି ଜନସନ୍ ଆଣ୍ଡ ଜନସନ୍ ଟିକା, ଗୋଟିଏ ଡୋଜରେ ଟଳୁଛି ସଂକ୍ରମଣ ବିପଦ
25/02/2021 at 9:21 AM

ୱାଶିଂଟନ,୨୫/୦୨: ବିଶ୍ୱରେ କରୋନା ଭାଇରସର ଆତଙ୍କ କମିବାରେ ଲାଗିଛି । ବିବିନ୍ନ ଭାକସିନ୍ ମଧ୍ୟ ଆସିଲାଣି । ଅନେକ ଦେଶରେ ଟିକାକରଣ ଆରମ୍ଭ ହୋଇଯାଇଛି । ତେବେ କରୋନା ଭାଇରସ ଉପରେ ଜନ୍ସନ୍ ଆଣ୍ଡ୍ ଜନ୍ସନ୍ ଟିକାର ମାତ୍ର ଗୋଟିଏ ଡୋଜ୍ ବେଶ୍ ପ୍ରଭାବୀ ଓ ନିରାପଦ ବୋଲି ଦାବି କରାଯାଉଛି । ଗୁରୁତର ସଂକ୍ରମଣ କ୍ଷେତ୍ରରେ ଏହା ୮୫% ପ୍ରଭାବଶାଳୀ । ହ୍ୟୁମାନ୍ ଟ୍ରାଏଲ୍ ବେଳେ ଏହା ସ୍ପଷ୍ଟ ହୋଇଥିବା ବୁଧବାର ଆମେରିକାର ଔଷଧ ନିୟାମକ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ କହିଛି ।
ଆମେରିକାର ବହୁଦେଶୀୟ କମ୍ପାନୀ ଜନ୍ସନ୍ ଆଣ୍ଡ୍ ଜନ୍ସନ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା ଭାଉରସ ଉପରେ ପ୍ରଭାବୀ ବୋଲି ପ୍ରାଥମିକ ପର୍ଯ୍ୟାୟରୁ ଜଣାପଡ଼ିଥିଲା । ଏମିତି କି ଭାଇରସର ବିଭିନ୍ନ ଭାରିଆଣ୍ଟ ଉପରେ ଏହା ୬୬% ପ୍ରଭାବୀ ବୋଲି କମ୍ପାନୀ ଗତ ଜାନୁଆରୀରେ ଦାବି କରିଥିଲା । ଏବେ କମ୍ପାନୀ ଟିକାର ଜରୁରୀ ବ୍ୟବହାର ପାଇଁ ଏଫ୍ଡିଏ ନିକଟରେ ଆବେଦନ କରିଛି । ଏଥିପାଇଁ ବିଭିନ୍ନ ପର୍ଯ୍ୟାୟ ପରୀକ୍ଷା ରିପୋର୍ଟ ଦାଖଲ କରିଛି । ଟିକାଟି ପ୍ରଭାବୀ ଓ ନିରାପଦ ହୋଇଥିବାରୁ ଶୁକ୍ରବାର ଏହାକୁ ଅନୁମୋଦନ ମିଳିବ ବୋଲି ଅନୁମାନ କରାଯାଇଛି । ଶୁକ୍ରବାର ଏଫ୍ଡିଏର ବିଶେଷଜ୍ଞ କମିଟି ବୈଠକ ବସିବାକୁ ଯାଉଛି ।
ଏତତ୍ ବ୍ୟତୀତ ଟିକାଟି ପ୍ରଭାବଶାଳୀ ଓ ନିରାପଦ ବୋଲି ଏଫ୍ଡିଏ ସ୍ପଷ୍ଟ କରିଥିବାରୁ ଜରୁରୀ ଅନୁମତି ପାଇଁ ଏହା ନିଜେ ବି ନିଷ୍ପତ୍ତି ନେଇପାରିବ । କିନ୍ତୁ ଔପଚାରିକତା ଦୃଷ୍ଟିରୁ ଏହା ବିଶେଷଜ୍ଞ କମିଟିର ରାୟ ଜାଣିବାକୁ ଚାହୁଁଛି । ଫାଇଜର ଓ ମଡେର୍ଣ୍ଣା ଟିକାକୁ ମଞ୍ଜୁରି ଦେବା ବେଳେ ଏଫ୍ଡିଏ ନିଜେ ନିଷ୍ପତ୍ତି ନେଇଥିଲା ।
ତେବେ ଜନ୍ସନ୍ ଆଣ୍ଡ୍ ଜନ୍ସନ୍ ଟିକାର ପ୍ରଭାବ ସବୁଠି ସମାନ ନଥିବା ପରିଲକ୍ଷିତ ହୋଇଛି । ଆମେରିକାରେ ଏହା ୭୨% ପ୍ରଭାବୀ ହୋଇଥିବା ବେଳେ ଲାଟିନ ଆମେରିକାରେ ୬୬%, ଦକ୍ଷିଣ ଆଫ୍ରିକାରେ ୫୭% ପ୍ରଭାବୀ ରହିଛି । କିନ୍ତୁ ଗୁରୁତର ସଂକ୍ରମଣ କ୍ଷେତ୍ରରେ ଟିକାଟି ମୋଟାମୋଟି ଭାବେ ୮୫% ପ୍ରଭାବୀ ବୋଲି କମ୍ପାନୀ ଦ୍ୱାରା ଦାଖଲ ରିପୋର୍ଟରୁ ଜଣାପଡ଼ିଛି । ଗୋଟିଏ ଡୋଜ୍ ନେବାର ଅତିକମ୍ରେ ୧୪ ଦିନ ପରେ ଏହା ସଂକ୍ରମଣ ବିପଦ ଏଡ଼ାଇବାରେ ସମର୍ଥ ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି ।