ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ କାଠ ମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Published By : Prameya-News7 Bureau | June 07, 2019 IST

ଅଯୋଧ୍ୟା ୭/୬ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ କାଠ ମୂର୍ତ୍ତି ଅନାବରଣ କରିଛନ୍ତି । ଭଗବାନ ଶ୍ରୀରାମଙ୍କ ଏହି ପ୍ରତିମା କର୍ଣ୍ଣାଟକ ଶୈଲିରେ ତିଆରି ହୋଇଛି । ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ୮୧ ତମ ଜନ୍ମଦିବସ ସମାରୋହରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରୀରାମଙ୍କ ପ୍ରତିମା ଅନାବରଣ କରିଥିଲେ । ଶ୍ରୀରାମଙ୍କ ଏହି ପ୍ରତିମାର ଉଚ୍ଚତା ୭ ଫୁଟ ।

ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଚଳିତବର୍ଷ ଅନେକ ବଡ ବଡ ଘଟଣା ଘଟିଛି । ସମସ୍ତ ପୂଜନୀୟ ସନ୍ଥ ମୋଦିଙ୍କୁ ନିଜ ଆଶୀର୍ବାଦ ଦେଇଛନ୍ତି । ଏହା ଭାରତକୁ ଦୁନିଆର ମହାଶକ୍ତି ଭାବେ ପ୍ରତିଷ୍ଠା କରିବ । ଯେଉଁମାନେ ନକାରାତ୍ମକ ରାଜନୀତି କରୁଛନ୍ତି, ଜନତା ସେମାନଙ୍କୁ ଖାରଜ କରିଦେଇଛନ୍ତି । ଦେଶ ଯଦି ସୁରକ୍ଷିତ ତାହେଲେ ଧର୍ମ ମଧ୍ୟ ସୁରକ୍ଷିତ ବୋଲି କହିଛନ୍ତି ଯୋଗୀ । ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ସମସ୍ତଙ୍କ କାମନା ବୋଲି ସେ କହିଛନ୍ତି । 

{"id":120715}

ସେ ଆହୁରି କହିଛନ୍ତି, ଅଯୋଧ୍ୟାର ବିକାଶ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଉଛି । ପୁରା ଦୁନିଆରେ ଅଯୋଧ୍ୟା ଶ୍ରୀରାମଙ୍କ ଜନ୍ମଭୂମି ଭାବେ ପରିଚିତ ହେବ ।

ଭଗବାନ ଶ୍ରୀରାମଙ୍କ ଏହି କାଠ ପ୍ରତିମା ଅଯୋଧ୍ୟାର ସୋଧା ସଂସ୍ଥାନର ଶିଳ୍ପ ସଂଗ୍ରହାଳୟରେ ସ୍ଥାପନ କରାଯିବ । ଏହି ପ୍ରତିମା କର୍ଣ୍ଣାଟକ କାବେରୀର କର୍ଣ୍ଣାଟକ ଷ୍ଟେଟ ଆର୍ଟ୍ସ ଏବଂ କ୍ରାଫ୍ଟ ଏଂପରିୟମରୁ କିଣାଯାଇଛି । ଭଗବାନ ଶ୍ରୀରାମଙ୍କ ଏହି ପ୍ରତିମାକୁ କାଠ କଳାର ଏକ ଦୁର୍ଲଭ କୃତି ବୋଲି କୁହାଯାଉଛି ।

ଏହି ମୂର୍ତ୍ତି ତିଆରି କରିଥିବା କାରିଗର କହିଛନ୍ତି ଯେ, ମୂର୍ତ୍ତି ତିଆରି କରିବା ପାଇଁ ୩ ବର୍ଷରୁ ଅଧିକ ସମୟ ଲାଗିଥିଲା ।

ଏହା ପୂର୍ବରୁ ଯୋଗୀ ସରକାର ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ୨୨୧ ମିଟର ଉଚ୍ଚ କଂସା ମୂର୍ତ୍ତି ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଥିଲେ । ଏହି ମୂର୍ତ୍ତି ତିଆରି କାମ ଆରମ୍ଭ ହୋଇଗଲାଣି । ୧୫୧ ମିଟର ମୂର୍ତ୍ତି ଉପରେ ୨୦ ମିଟର ଉଚ୍ଚ ଛତ୍ର ତିଆରି ହେବ । ଏଥିରେ ରାମକଥାର ସଂଗ୍ରହାଳୟ, ପାଠାଗାର, ରାମ ଜନ୍ମଭୂମି ମନ୍ଦିରର ଇତିହାସ ଦର୍ଶାଉଥିବା ସାମଗ୍ରୀ ଏବଂ ଦେଶ ବିଦେଶରେ ରାମଲୀଳା ସହ ଜଡିତ ଦୁର୍ଲଭ ଚିତ୍ର ଲଗାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.