ନିର୍ବାଚନ ଜିତିବା ପରେ ବଦଳିଗଲାଣି ବାଇଡେନ୍‌ଙ୍କ‌ ଭାବଭଙ୍ଗୀ, ଭ୍ୟାକସିନ୍‌ ଏବଂ ମାସ୍କକୁ ନେଇ ଏପରି କହିଲେ

Published By : Prameya-News7 Bureau | December 05, 2020 IST

ନୂଆଦିଲ୍ଲୀ ୦୫/୧୨: ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ବଦଳିବାକୁ ଲାଗିଲାଣି ଜୋ ବାଇଡେନ୍‌ଙ୍କ କଥା କହିବାର ଶୈଳୀ। ଗୋଟିଏ ପଟେ ଫୁଡ୍‌ ଆଣ୍ଡ ଡ୍ରଗ୍ସ ଆସୋସିଏସନ୍‌ କରୋନା ଭ୍ୟାକସିନର ପ୍ରଭାବ ଆକଳନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଟିକାକରଣକୁ ଅନିବାର୍ଯ୍ୟ କରିବେ ନାହିଁ ବୋଲି କହିଛନ୍ତି ବାଇଡେନ୍‌। ଏହା ସହ ରାଷ୍ଟ୍ରପତି ଭାବେ ତାଙ୍କର ସମସ୍ତ ସାମର୍ଥ୍ୟ ଲୋକମାନଙ୍କୁ ଭଲ ବାଟରେ ଆଣିବାକୁ ପ୍ରୟୋଗ କରିବେ ବୋଲି କହିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି।

ଦେଶରେ ଭ୍ୟାକ୍ସିନେସନ୍‌ ଅନିବାର୍ଯ୍ୟ କରିବାକୁ ଦାବି ହେଉଥିବା ବେଳେ ବାଇଡେନ୍‌ କହିଛନ୍ତି, ତାଙ୍କୁ ଲାଗୁନି ଯେ ଏଭଳି ହେବା ଆବଶ୍ୟକ। ଏହା ସହ ଦେଶରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ବାଇଡେନ୍‌ କହିଛନ୍ତି।

ଅନ୍ୟପଟେ ପ୍ରଥମେ ହେଲ୍ଥ ଓ୍ବାର୍କର ଓ ନର୍ସିଂ ହୋମରେ ରହୁଥିବା ଲୋକଙ୍କୁ ପ୍ରଥମ ଚରଣରେ ଟିକା ଦିଆଯିବ ବୋଲି ୟୁଏସ୍‌ ସେଣ୍ଟର ଫର ଡିଜିଜ୍‌ କଂଟ୍ରୋଲ ଆଣ୍ଡ ପ୍ରିଭେନ୍ସନ (ସିଡିସି) ଘୋଷଣା କରିଥିଲା। ସେପଟେ ସରକାର ଯଦି ଫାଇଜର ଓ ମୋଡର୍ଣ୍ଣାକୁ ଅନୁମତି ଦେଲେ ତେବେ ଅତିକମରେ ୪ କୋଟି ଲୋକଙ୍କୁ ଟିକା ଦିଆଯିବ। ଏବେ ସମସ୍ତଙ୍କୁ ଦୁଇ ଡୋଜ୍‌ ଟିକା ଦରକାର ପଡ଼ିବ। ସୂଚନାଯୋଗ୍ୟ, ଆମେରିକାରେ ଏବେ ୧.୪ କୋଟି ଲୋକ କରୋନା ଆକ୍ରାନ୍ତ ହୋଇସାରିଥିବା ବେଳେ ୨.୭୮ ଲକ୍ଷ ଲୋକଙ୍କ ଜୀବନ ନେଇଛି ମହାମାରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.