ଜାନୁଆରୀ ୨୦ରୁ ଆମେରିକାରେ ବାଇଡେନ୍‌ ରାଜ୍‌, ଦେଖିବାକୁ ମିଳିପାରେ ଭାରତୀୟ ବଂଶୋଦ୍ଭବଙ୍କ ଦବ୍‌ଦବା

Published By : Prameya-News7 Bureau | January 17, 2021 IST

ଓ୍ବାଶିଂଟନ ୧୭/୦୧: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ନେବେ ଜୋ ବାଇଡେନ୍ । ଜାନୁଆରୀ ୨୦ରେ ଆମେରିକାରେ ବାଇଡେନ୍ ଯୁଗ ଆରମ୍ଭ ହେବ । ପ୍ରଥମଥର ଲାଗି ଉପରାଷ୍ଟ୍ରପତି ଦାୟିତ୍ବ ସମ୍ଭାଳିବେ ଜଣେ ମହିଳା ପୁଣି ଭାରତୀୟ ବଂଶୋଦ୍ଭବ- କମଳା ହ୍ୟାରିସ । କେବଳ ସେତିକି ନୁହେଁ, ବାଇଡେନ୍-ହ୍ୟାରିସ ଶାସନରେ ସ୍ଥାନ ପାଇବେ ୨୦ ଜଣ ଭାରତୀୟ ବଂଶୋଦ୍ଭବ ।

ଜାନୁଆରୀ ୨୦ରେ ଜୋ ବାଇଡେନ୍ ଶପଥ ନେବା ସହ ହ୍ବାଇଟ ହାଉସ୍‌ରେ ଦେଖିବାକୁ ମିଳିବ ଭାରତୀୟ ବଂଶୋଦ୍ଭବଙ୍କ ଦବଦବା । ବିଶ୍ବର ସୁପର ପାୱାର ଆମେରିକାର ୪୬ତମ ରାଷ୍ଟ୍ରପତି ବାଇଡେନଙ୍କୁ ପ୍ରଶାସନିକ କାମରେ ସହଯୋଗ କରିବେ ୨୦ ଜଣ ଭାରତୀୟ ଆମେରିକୀୟ । ସେମାନଙ୍କ ମଧ୍ୟରେ ଅଛନ୍ତି ୧୩ ମହିଳା। ଆମେରିକା ଜନସଂଖ୍ୟାରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ମାତ୍ର ୧ ପ୍ରତିଶତ । ଏହା ସତ୍ବେ ଏତେ ସଂଖ୍ୟକ ଭାରତୀୟ ଆମେରିକୀୟଙ୍କୁ ବାଇଡେନଙ୍କ ପ୍ରଶାସନରେ ସ୍ଥାନ ମିଳିବା ବଡ଼ ଘଟଣା। ବାଇଡେନ୍ ପ୍ରଶାସନରେ ସ୍ଥାନ ପାଇଥିବା ୨୦ ଜଣଙ୍କ ମଧ୍ୟରୁ ୧୭ ଜଣ ହ୍ବାଇଟ୍ ହାଉସ୍ କଂପ୍ଲେକ୍ସରେ କାମ କରିବେ।

ଭାରତୀୟ ଆମେରିକୀୟ ଭାବରେ ସବୁଠୁ ବଡ ନାଁ କମଳା ହ୍ୟାରିସ। ଆମେରିକା ଇତିହାସରେ ପ୍ରଥମ ଥର ଲାଗି ଜଣେ ମହିଳା ହେବେ ଉପରାଷ୍ଟ୍ରପତି । ୫୬ ବର୍ଷୀୟା କମଳା ହ୍ୟାରିସ ପ୍ରଥମ ଭାରତୀୟ-ଆଫ୍ରିକୀୟ ବଂଶୋଦ୍ଭବ ଭାବେ ଆମେରିକାର ଉପରାଷ୍ଟ୍ରପତି ହେବେ। ବାଇଡେନ୍ ପ୍ରଶାସନରେ ରହିଥିବା ୨୦ ଭାରତୀୟ ଆମେରିକୀୟଙ୍କ ଭିତରେ ସବୁଠୁ ଆଗରେ ଅଛନ୍ତି ନିରା ଟଣ୍ଡନ ସେ ହ୍ବାଇଟ୍ ହାଉସ୍ ଅଫିସ୍ ମ୍ୟାନେଜମେଣ୍ଟର ଡାଇରେକ୍ଟର ନିଯୁକ୍ତ ହୋଇଛନ୍ତି।

ଡକ୍ଟର ବିବେକ ମୂର୍ତ୍ତି, ସର୍ଜନ ଜେନେରାଲ ଭାବେ ନିଯୁକ୍ତି ପାଇଛନ୍ତି। ବିନିତା ଗୁପ୍ତା ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍‌ର ଆସୋସିଏଟ୍ ଆଟର୍ଣ୍ଣି ଜେନେରାଲ ଭାବରେ ନିଯୁକ୍ତ ହୋଇଛନ୍ତି। ଭାରତୀୟ ବଂଶୋଦ୍ଭବ ଉଜରା ଜେୟା ସିଭିଲିଆନ୍ ସିକ୍ୟୁରିଟି ଓ ହ୍ୟୁମାନ୍ ରାଇଟ୍ସ ବିଭାଗର ଅଣ୍ଡର ସେକ୍ରେଟାରୀ ନିଯୁକ୍ତ ହୋଇଛନ୍ତି। ସେହିପରି ଜୋ ବାଇଡେନଙ୍କ ଭାଷଣ ଲେଖକ ବିଭାଗର ମୁଖ୍ୟ ଭାବେ ଡାଇରେକ୍ଟର ଅଫ୍ ସ୍ପିଚ୍ ରାଇଟିଙ୍ଗ୍ ନିଯୁକ୍ତ ହୋଇଛନ୍ତି ବିନୟ ରେଡ୍ଡି।

ପ୍ରଥମଥର ଲାଗି ବାଇଡେନ୍ ପ୍ରଶାସନରେ ସ୍ଥାନ ପାଇଥିବା ୨ ଭାରତୀୟ ଆମେରିକୀୟଙ୍କ ଖିଅ ଯୋଡି ହୋଇଛି କାଶ୍ମୀର ସହ । ହ୍ବାଇଟ ହାଉସ୍ ଡିଜିଟାଲ ଷ୍ଟ୍ରାଟେଜିର ପାର୍ଟନରସିପ୍ ମ୍ୟାନେଜର ଭାବରେ ଆୟେଶା ଶାହା ଏବଂ ୟୁଏସ୍ ନାସନାଲ୍ ଇକୋନୋମିକ୍ କାଉନସିଲ୍ ର ଡେପୁଟି ଡାଇରେକ୍ଟର ଭାବରେ ନିଯୁକ୍ତି ପାଇଛନ୍ତି ସମୀରା ଫାଜିଲ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.