ଆମେରିକାରେ ଆରମ୍ଭ ହେଲା ବାଇଡେନ ଯୁଗ, ଦେଶର ୪୬ତମ ରାଷ୍ଟ୍ରପତି ଭାବେ ନେଲେ ଶପଥ
20/01/2021 at 10:21 PM

ଓ୍ଵାଶିଂଟନ ୨୦।୦୧: ପଡିଲା ଟ୍ରମ୍ପ ଶାସନର ଯବନିକା ଏବଂ ଆମେରିକାରେ ଆରମ୍ଭ ହେଲା ଜୋ ରବିନେଟ୍ ବାଇଡେନ୍ ଜୁନିୟର ଯୁଗ। ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜୋ ବାଇଡେନ୍ ବିଶ୍ଵର ଅନ୍ୟତମ ଗଣତାନ୍ତ୍ରିକ ରାଷ୍ଟ୍ର ସଂଯୁକ୍ତ ରାଷ୍ଟ୍ର ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ବାଇଡେନ୍ ରାଜଧାନୀ ଓ୍ଵାଶିଂଟନ ଡିସିରେ କ୍ୟାପିଟାଲ ହିଲ୍ସରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ତାଙ୍କୁ ସୁପ୍ରିମକୋର୍ଟର ପ୍ରଥମ ଲାଟିନ ସଦସ୍ୟ ବିଚାରପତି ସୋନିଆ ସୋଟୋମେୟର ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଉପରାଷ୍ଟ୍ରପତି ଭାବେ ଭାରତୀୟ ମୂଳର କମଲା ହ୍ୟାରିସ୍ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ୍, ବିଲ୍ କ୍ଲିଣ୍ଟନ ଓ ବାରାକ ଓବାମା ସମାରୋହରେ ଉପସ୍ଥିତ ଅଛନ୍ତି। କଡା ସୁରକ୍ଷା ମଧ୍ୟରେ ଶପଥ ସମାରୋହ ଆୟୋଜିତ ହୋଇଛି। ପ୍ରାୟ ୨୫ ହଜାର ନ୍ୟାସନାଲ ଗାର୍ଡ ଆମେରିକା ରାଜଧାନୀରେ ମୁତୟନ ଅଛନ୍ତି।
United States: Joe Biden sworn-in 46th President of the United States of America. pic.twitter.com/FHlqyzZpG3
— ANI (@ANI) January 20, 2021
୭୮ ବର୍ଷୀୟ ବାଇଡେନ ନିଜର ପରିବାରର ୧୨୭ ବର୍ଷର ପୁରୁଣା ବାଇବେଲ୍ ସହିତ ଶପଥ ନେଇଛନ୍ତି। ଏହି ସମୟରେ ତାଙ୍କ ପତ୍ନୀ ଜିଲ୍ ବାଇଡେନ ଉପସ୍ଥିତ ଥିଲେ। ବାଇଡେନ ଆମେରିକା ଇତିହାସରେ ବୟୋଜ୍ୟୋଷ୍ଠ ରାଷ୍ଟ୍ରପତି ହୋଇଛନ୍ତି। ଏହା ପରେ ବାଇଡେନ୍ ରାଷ୍ଟ୍ରପତି ଭାବେ ଦେଶ ନାମରେ ନିଜର ପ୍ରଥମ ସମ୍ବୋଧନ ଦେଇଛନ୍ତି। ଏହି ଭାଷଣକୁ ଭାରତୀୟ ମୂଳ ନିବାସୀ ଆମେରିକା ନାଗରିକ ବିନୟ ରେଡ୍ଡୀ ପ୍ରସ୍ତୁତ କରିଛନ୍ତି। ତାଙ୍କ ଭାଷଣ ଏକତା ଓ ସୌହାର୍ଦ୍ଦ୍ୟ ଉପରେ ଆଧାରିତ ରହିଛି। ୫୬ ବର୍ଷୀୟ କମଲା ହ୍ୟାରିସ୍ ପ୍ରଥମ ମହିଳା ଅଶ୍ଵେତ ଏବଂ ପ୍ରଥମ ଦକ୍ଷିଣ ଏସୀୟ ଆମେରିକୀ ଉପ ରାଷ୍ଟ୍ରପତି ହୋଇ ଇତିହାସ ରଚିଛନ୍ତି।
ଛଅ ଥର ସିନେଟର ରହିଥିବା ଡେମୋକ୍ରାଟିକ ନେତା ବାଇଡେନ୍ ୭୮ ବର୍ଷ ବୟସରେ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକନ ନେତା ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିଥିଲେ। ଏହା ପୂର୍ବରୁ ୧୯୮୮ ଓ ୨୦୦୮ରେ ରାଷ୍ଟ୍ରପତି ପଦ ଦୌଡରେ ଦୁଇ ଥର ଅସଫଳ ରହିଥିଲେ। ଡେଲାଓ୍ଵେୟର ସଂପ୍ରଦାୟର ବରିଷ୍ଠ ନେତା ବାଇଡେନ ପିଲାଟି ବେଳରୁ ରାଷ୍ଟ୍ରପତି ହେବାର ସ୍ଵପ୍ନ ଥିଲା। ହେଲେ ତୃତୀୟ ପ୍ରଚେଷ୍ଟାରେ ତାଙ୍କ ସ୍ଵପ୍ନ ପୂରଣ ହୋଇଛି।
ଓ୍ଵାଶିଂଟନରେ ପାଞ୍ଚ ଦଶନ୍ଧି ସମୟ ଅତିବାହିତ କରି ସାରିଥିବା ବାଇଡେନ୍ ହ୍ଵାଇଟ୍ ହାଉସ୍ରେ ଦୁଇ ଥର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଅଧୀନରେ ଉପ ରାଷ୍ଟ୍ରପତି ରହି ସାରିଛନ୍ତି। ଏଥର ସେ ନିଜକୁ ଆମେରିକାର ଜନତାଙ୍କ ସାମ୍ନାରେ ଟ୍ରମ୍ପଙ୍କ ବିକଳ୍ପରେ ଭାବେ ନିଜକୁ ମଜବୁତର ସହ ଉପସ୍ଥାପନ କରିଥିଲେ। ନିର୍ବାଚନରେ ଟ୍ରମ୍ପଙ୍କୁ ମାତ୍ ଦେଇ ଆମେରିକାର ୪୬ତମ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି।
ବାଇଡେନ ନିଜର ପ୍ରଶାସନରେ ମହତ୍ଵପୂର୍ଣ୍ଣ ପଦରେ ଅତି କମରେ ୨୦ ଭାରତୀୟ-ଆମେରିକୀୟଙ୍କୁ ନାମିତ କରିଛନ୍ତି। ଏଥିରେ ୧୩ ଜଣ ମହିଳା ସାମିଲ। ୧୯୪୨ରେ ପେନସିଲଭେନିଆରେ କ୍ୟାଥୋଲିକ ପରିବାରରୁ ଜନ୍ମିତ ଜୋ ରବିନେଟ୍ ବାଇଡେନ୍ ଜୁନିୟର ୟୁନିଭର୍ସିଟି ଅଫ ଡେଲାଓ୍ଵେଭରରେ ପଢିଥିଲେ ଏବଂ ପରେ ୧୯୬୮ରେ ସିରକସ ୟୁନିଭର୍ସିଟିରେ ଆଇନ୍ରେ ଡିଗ୍ରୀ ହାସଲ କରିଥିଲେ। ତାଙ୍କ ବାପା ଭଟ୍ଟି ସଫା କରିବା ସ ହିତ ପୁରୁଣା କାର ବିକିବା କାମ କରି ପରିବାର ଭରଣପୋଷଣ କରୁଥିଲେ। ବାଇଡେନ୍ ପ୍ରଥମ ଥର ୧୯୭୨ରେ ନିର୍ବାଚିତ ହୋଇଥିଲେ ଏବଂ ଡେଲାଓ୍ଵେୟର ରାଜ୍ୟରୁ ଛଅ ଥର ସିନେଟର ରହିଥିଲେ।