ଦରମା ମାଗିବାରୁ ରାଗି ଗଲେ ମାଲିକ, କର୍ମଚାରୀଙ୍କ ପଛରେ କୁକୁର ଲଗାଇ ଦେଲେ, ତା ପରେ...

Published By : Prameya-News7 Bureau | June 19, 2020 IST

ଯୋଧପୁର ୧୯।୦୬: ରାଜସ୍ଥାନର ଯୋଧପୁର ସହରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ରେସ୍ତୋରାଁରେ କାମ କରୁଥିବା ଯୁବକ ଦରମା ମାଗିବାରୁ ଏଥିରେ କ୍ରୋଧିତ ହୋଇ ମାଲିକ ତାଙ୍କ ପଛରେ କୁକୁର ଲଗାଇ ଦେଇଛନ୍ତି। ଏଥିରେ ଯୁବକ ଜଣଙ୍କ ଆହତ ହୋଇଛନ୍ତି। ଏହା ପରେ କାମ କରୁଥିବା ଯୁବକ ମାଲିକ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ଯୋଧପୁରରେ ଏକ ରେସ୍ତୋରାଁରେ କାମ କରୁଥିବା ଜଣେ କର୍ମଚାରୀ ମାଲିକଙ୍କୁ ଦରମା ମାଗିଥିଲେ। ମାତ୍ର ଏଥିରେ ମାଲିକ ରାଗି ଯାଇ କର୍ମଚାରୀଙ୍କ ପଛରେ ନିଜର ଦୁଇଟି ପାଳିତ କୁକୁର ଲଗାଇ ଦେଇଥିଲେ। ଫଳରେ କୁକୁର କାମୁଡାରେ ଯୁବକ ଜଣକ ଆହତ ହୋଇଛନ୍ତି। ଆହତ ଯୁବକ ମହାମନ୍ଦି ଥାନାରେ ମାଲିକ ବିରୋଧରେ ଏତଲା ଦେଇଛନ୍ତି।

ପୋଲିସ ମାମଲା ରୁଜୁ କରି ହୋଟେଲ୍‌ର ସିସିଟିଭି ଫୁଟେଜ୍ ଜବତ କରିଛି। ଫୁଟେଜ୍‌କୁ ଆଧାର କରି ପୋଲିସ ମାମଲାର ତଦନ୍ତ ଚଳାଇଛି। ପୀଡିତ ଯୁବକ କହିଛନ୍ତି ଯେ, ସେ ମାଲିକଙ୍କୁ ଗତ ମାସର ଦରମା ମାଗିଥିଲେ। ଏଥିରେ କ୍ରୋଧିତ ହୋଇ ମାଲିକ ରେସ୍ତୋରାଁରେ ପାଳିତ ନିଜର ଦୁଇ କୁକୁର ଦ୍ଵାରା ତାଙ୍କ ଉପରେ ଆକ୍ରମଣ କରାଇଥିଲେ। ପୀଡିତ ଯୁବକ ଦରମା ଦେବା ଏବଂ ରେସ୍ତୋରାଁ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗୁହାରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.