ବଡ଼ବିଲ, ୧୯/୫: ଯୋଡ଼ା ଅଞ୍ଚଳରେ ଗତ ରବିବାର ରାତିରେ ଘଟିଥିବା ଏକ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ l ଅଭିଯୁକ୍ତମାନେ ପ୍ରଥମେ ନିଜ ଭିଣୋଇକୁ ଫାର୍ସାରେ ହାଣି ହତ୍ୟା କରିବା ପରେ ସୁନା ନଦୀ କୁଳରେ ପୋତି ଦେଇଥିଲେ ।
କେନ୍ଦୁଝର, ଯୋଡ଼ାରେ ଦୁର୍ଦାନ୍ତ କାଣ୍ଡେ ଓରଫ୍ କାଳିଚରଣ ମାଝୀକୁ ହତ୍ୟା କରାଯାଇଥିଲା l ଏହି ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ୍ ଯୋଡ଼ା ପୋଲିସ୍ ଆଜି ଗିରଫ କରିଛି। ଗିରଫ୍ ୩ ଅଭିଯୁକ୍ତ ଦିଗାମ୍ବର ମାଝୀ, ମନୋହର ମାଝୀ ଓ ରାମ ମାଝୀ ହୋଇଥିବା ବେଳେ ସେମାନେ ମୃତ କାଣ୍ଡେ ମାଝୀର ଶାଳକ ବୋଲି ଜଣାପଡିଛି ।
ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଫାର୍ସା, ଲୁହା ରଡ୍, ଶାବଳ ଇତ୍ୟାଦି ଜବତ୍ କରିଛି ପୋଲିସ୍ । ତେବେ ଭଉଣୀ ପ୍ରତି ଭିଣୋଇର ଅତ୍ୟଧିକ ଅତ୍ୟାଚାର ସହିନପାରି ସେମାନେ ଏହି ହତ୍ୟାକାଣ୍ଡ ଭିଆଇଥିବା ପୋଲିସ୍ ଆଗରେ ସ୍ୱୀକାର କରିଛନ୍ତି। କାଣ୍ଡେର ଦୁଇ ହାତକୁ ଗାମୁଛାରେ ବାନ୍ଧି ଫାର୍ସାରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହ ନେଇ ପାଖରେ ଥିବା ସୁନା ନଦୀ କୂଳରେ ମାଟିଖୋଳି ପୋତି ଦେଇଥିଲେ । ଗତ କାଲି ଘଟଣା ଜଣାପଡିବା ପରେ ଯୋଡ଼ା ପୋଲିସ୍ ମାଟି ଖୋଳି ମୃତଦେହକୁ ଉଦ୍ଧାର କରିଥିଲା । ଆଜି ୩ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି l