ଚୀନକୁ ଚେତାବନୀ ଦେଲେ ଜୋ ବିଡେନ୍, କହିଲେ- 'ଏସିଆରେ ବିସ୍ତାରବାଦୀ କାର୍ଯ୍ୟକଳାପରୁ ଦୂରେଇ ରୁହ'

Published By : Prameya-News7 Bureau | January 28, 2021 IST

ନୂଆଦିଲ୍ଲୀ,୨୮/୦୧:  ଜୋ ବିଡେନ ଆମେରିକାର ରାଷ୍ଟ୍ରପତି ଭାବେ ଶାସନ ଭାର ଗ୍ରହଣ କରିଛନ୍ତି । ଏବେ ବିଡେନଙ୍କ ଟାର୍ଗେଟରେ ରହିଛି ଚୀନ । ଚୀନର ବିସ୍ତାରବାଦୀ ନୀତିକୁ ବିରୋଧ ସହ ଡ୍ରାଗନକୁ କଡା ଚେତାବନୀ ଦେଇଛନ୍ତି ବିଡେନ୍ । ବିସ୍ତାରବାଦୀ ନୀତିରୁ ଓହରିବା ପାଇଁ ସେ ଚୀନକୁ ଚେତାଇ ଦେଇଛନ୍ତି ।

ବୁଧବାର ବିଡେନ୍ ଜାପାନର ପ୍ରଧାନମନ୍ତ୍ରୀ ୟୋଶିଦ୍ଧେ ସୁଗାଙ୍କୁ କହିଛନ୍ତି ଯେ, ଆମେରିକା ପ୍ରଶାସନ ଜାପାନ ସହ ସଦାବେଳେ ଠିଆ ହୋଇଛି । ସେନେଖୁ ଦ୍ୱୀପକୁ ନେଇ ଆମେରିକା ଜାପାନକୁ ଭରସା ଦେଇଛି । ଏହି ଦ୍ୱୀପକୁ ଉଭୟ ଚୀନ ଓ ଜାପାନ ନିଜର ବୋଲି ଦାବି କରୁଛନ୍ତି । ଏହାସହ ବିଡେନ୍ ଜାପାନ, ଦକ୍ଷିଣ କୋରିଆ  ତାଇଓ୍ୱାନ ସହ ନଲାଇବାକୁ ଚୀନକୁ କହିଛନ୍ତି ।

ଆମେରିକାର ପ୍ରତିରକ୍ଷା ସଚିବ ଲାୟୋଡ ଅଷ୍ଟିନ୍ କହିଛନ୍ତି ଯେ, ଆମେରିକା ପ୍ରଶାସନ ଜାପାନ ସହ ସମରାଭ୍ୟାସ କରିବେ । ପୂର୍ବ ଚୀନ ସାଗରରେ ଡ୍ରାଗନ ନିଜର ବିସ୍ତାରବାଦୀ ନୀତିକୁ ବନ୍ଦ କରୁ । ଏହାପୂର୍ବରୁ ଆମେରିକୀୟ ଅଧିକାରୀ ନେଡ୍ ପ୍ରାଇସ୍ କହିଥିଲେ ଯେ, ଚୀନ ତାଇଓ୍ୱାନ ଉପରେ ଜୁଲମ ବନ୍ଦ କରୁ । ଚୀନ ଲଗାତର ଭାବେ ତାଇଓ୍ୱାନ ଆକାଶରେ ଯୁଦ୍ଧ ବିମାନ ଉଡାଇ ଡରାଉଛି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପାଇଁ ଆମେରିକା ପ୍ରୟାସ କରୁଛି । ବନ୍ଧୁମାନଙ୍କ ପାଇଁ ଆମେରିକା ସଦାବେଳେ ରହିଛି ।

ଆମେରିକା ଦୀର୍ଘଦିନ ଧରି ଦକ୍ଷିଣ ଚୀନ ସାଗରରେ ଡ୍ରାଗନର ପତିଆରା ହ୍ରାସ ପାଇଁ ଦକ୍ଷିଣ କୋରିଆ, ଜାପାନ, ଭିଏତନାମ, ଫିଲିପାଇନ୍ସ ଓ ମାଲେସିୟା ସହ ହାତ ମିଳାଇଛି । ଏବେ ଅଷ୍ଟିନ୍ କେବଳ ଜାପାନ କିମ୍ବା ତାଇଓ୍ୱାନ ନୁହେଁ, ଅଷ୍ଟ୍ରେଲିଆ, ଭାରତ ଓ ଦକ୍ଷିଣ କୋରିଆର ବିଭିନ୍ନ ଅଞ୍ଚଳରେ ଚୀନର ଜବରଦଖଲ ବନ୍ଦ ପାଇଁ ଚେତାବନୀ ଦେଇଛନ୍ତି ।

ବୁଧବାର ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଅଷ୍ଟିନ୍ ଫୋନଯୋଗେ କଥା ହୋଇଥିଲେ । ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ମଜବୁତ କରିବାକୁ ଦୁଇ ନେତା କଥା ହୋଇଥିଲେ । ଏହାସହ ଅଷ୍ଟିନ ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ ଲିଣ୍ଡା ରେନଲ୍ଡସଙ୍କ ସହ ମଧ୍ୟ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.