ଭୋଟ୍‌ ମଇଦାନକୁ ଡେଇଁଲେ ଆଇଶୀ ଘୋଷ, ଜେଏନୟୁର ସଭାନେତ୍ରୀ ଗତବର୍ଷ କ୍ୟାମ୍ପସ ଗଣ୍ଡଗୋଳରେ ବିରୋଧୀ ଛାତ୍ର ସଂଗଠନଠୁ ମାଡ଼ ଖାଇ ଚର୍ଚ୍ଚାକୁ ଆସିଥିଲେ

Published By : Prameya-News7 Bureau | March 11, 2021 IST

ନୂଆଦିଲ୍ଲୀ ୧୧/୦୩: ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ଉଠୁଛି ପଡ଼ୁଛି। ଟିଏମସି ଏବଂ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଘାତ ଲାଗିବା ପରେ ସେ ହସ୍ପିଟାଲରେ ଅଛନ୍ତି । ଗୁରୁବାର ଭିଡିଓ ବାର୍ତ୍ତା ମାଧ୍ୟମରେ ନିଜର କର୍ମକର୍ତ୍ତାମାନଙ୍କୁ ଶାନ୍ତ ରହିବାକୁ ଅପିଲ କରିଥିବା ବେଳେ ଖୋଦ ହ୍ବିଲ୍‌ ଚେୟାରରେ ନିର୍ବାଚନ ପ୍ରଚାର କରିବେ ବୋଲି କହିଛନ୍ତି ମମତା ।  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଏବେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ଅଛି।

ମିଳିଥିବା ପୁଣି ଏକ ଖବର ଚର୍ଚ୍ଚାକୁ ଗତି ଦେଇଛି। ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ) ଛାତ୍ର ସଂଗଠନର ସଭାନେତ୍ରୀ ଆଇଶୀ ଘୋଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଲଢ଼ିବାକୁ ଯାଉଛନ୍ତି। ଛାତ୍ର ରାଜନୀତିରୁ ପ୍ରତ୍ୟେକ୍ଷ ରାଜନୀତି ମଇଦାନରେ ପାଦ ଥାପିବାକୁ ଯାଉଛନ୍ତି ଆଇଶୀ। ସେ ସିପିଆଇ (ଏମ) ଟିକେଟରୁ ଲଢ଼ିବାକୁ ଯାଉଥିବା ବେଳେ ତାଙ୍କୁ ପାର୍ଟି ଜମୁରିଆ ଟିକେଟ ଦେଇଥିବା ଜଣାପଡ଼ିଛି।

ଆଜି ସକାଳେ ସେ ଟ୍ବିଟ୍‌ କରି ଜଣାଇଛନ୍ତି, ‘ସଂଯୁକ୍ତ ମୋର୍ଚ୍ଚା ଦ୍ବାରା ସମର୍ଥିତ ସିପିଆଇ (ଏମ)ର ପ୍ରାର୍ଥୀ ଭାବେ ଜମୁରିଆ ବିଧାନସଭା ସିଟ୍‌ରୁ ନିର୍ବାଚନ ଲଢ଼ିବି। ଆପଣମାନଙ୍କ ସମର୍ଥନ ଚାହୁଁଛି।’ ଲେଫ୍ଟ ଏବଂ କଂଗ୍ରେସ ସେକ୍ୟୁଲାର ଫ୍ରଣ୍ଟ ସହ ମିଶି ବେଙ୍ଗଲ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ବାମ ଦଳ ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ବାକି ଆବଣ୍ଟିତ ସିଟ୍‌ ପାଇଁ ପ୍ରାର୍ଥୀ ତାଲିକ ମଧ୍ୟ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଆଇଶୀ ଘୋଷଙ୍କ ଏକ ଫଟୋ ଗତବର୍ଷ ଖୁବ ଭାଇରାଲ ହେଉଥିଲା। ଗତବର୍ଷ ଜାନୁଆରୀରେ ଜେଏନୟୁ କ୍ୟାମ୍ପସରେ ଛାତ୍ର ଏବଂ ଶିକ୍ଷକଙ୍କ ଉପରେ ହୋଇଥିବା ଆକ୍ରମଣରେ ସେ ଆହତ ହୋଇଥିଲେ। ତାଙ୍କ ମୁହଁ ଲହୁ ଲୁହାଣ ହୋଇଯାଇଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘୋଷ ଏସଏଫଆଇ ନେତ୍ରୀ ମଧ୍ୟ ଅଛନ୍ତି। ୨୦୧୯ ସେପ୍ଟେମ୍ବରରେ ଆଇଶୀ ଜେଏନୟୁ ଛାତ୍ର ସଂଗଠନ ନିର୍ବାଚନରେ ୧୩୧୩ ଭୋଟରେ ଜିତି ସଭାପତି ହୋଇଥିଲେ। ତେବେ ପ୍ରଥମ ଛାତ୍ର ନେତ୍ରୀ ଭାବେ ଆଇଶୀ ସଭାନେତ୍ରୀ ଥାଇ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.