ଜେଏନ୍‌ୟୁର ଯୋଗୀ ଗିରଫ, ଛାତ୍ରୀ ଆଣିଥିଲେ ଯୌନ ଶୋଷଣ ଅଭିଯୋଗ

Published By : Prameya-News7 Bureau | February 06, 2020 IST

ନୂଆଦିଲ୍ଲୀ୬/୨: ଯୌନ ଶୋଷଣ ଅଭିଯୋଗରେ ଜବହାରଲାଲ ନେହରୁ ବିଶ୍ବବିଦ୍ୟାଳୟ( ଜେଏନ୍‌ୟୁ)ର ଜଣେ ଛାତ୍ରଙ୍କୁ ପୋଲିସ୍‌ ଗିରଫ କରିଛି। ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀ ରାଘବେନ୍ଦ୍ର ଓରଫ୍‌ ଯୋଗୀ ନାମକ ଜଣେ ଛାତ୍ର ବିରୋଧରେ ଯୌନ ଶୋଷଣ ଅଭିଯୋଗ କରିଛନ୍ତି। ରାଘବେନ୍ଦ୍ରଙ୍କୁ ଜେଏନ୍‌ୟୁର ଯୋଗୀ ବୋଲି କୁହାଯାଏ। ରାଘବେନ୍ଦ୍ର ନିଜକୁ ନିଜେ ଯୋଗୀର ପରିଚୟ ଦେଇଥାଏ। ପୀଡ଼ିତା ଦିଲ୍ଲୀ ବସନ୍ତ କୁଞ୍ଜ ଥାନାରେ ରାଘବେନ୍ଦ୍ର ବିରୋଧରେ ଅଭିଯୋଗ କରିଥିଲେ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଆଇପିସିର ଧାରା ୩୫୪ ଓ ୩୨୩ ଆଧାର​ରେ ରାଘବେନ୍ଦ୍ର ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଗତ ଫେବୃଆରୀ ୫ ତାରିଖ  ସନ୍ଧ୍ୟାରେ ଯୋଗୀ ରାଘବେନ୍ଦ୍ରଙ୍କୁ ପୋଲିସ ଗିରଫ କରିଛି। ପୀଡ଼ିତା ଅଭିଯୋଗରେ କହିଛନ୍ତି ଯେ କାମ ବାହାନାରେ ଯୋଗୀ ତାଙ୍କୁ ରୁମ୍‌କୁ ଡାକିଥିଲା। ରୁମ୍‌ରେ ଯୁବତୀ ଜଣକ ପହଞ୍ଚିବା ପରେ ଯୋଗୀ ତାଙ୍କ ସହ ଜୋର ଜବରଦସ୍ତ କରିବାକୁ ଉଦ୍ୟମ କରିଥିଲା। ପୀଡ଼ିତା ଜୋର ପାଟିରେ ଚିତ୍କାର କରିବା ପରେ ସିକ୍ୟୁରିଟି ଗାର୍ଡ ଆସି ରୁମ୍‌ରେ ପହଞ୍ଚିଥିଲେ। ଏହା ପରେ ଯୋଗୀ ଯୁବତୀଙ୍କୁ ଛାଡ଼ି ଦେଇଥିଲା।

ଏହି ଘଟଣାରେ ପରେ ଯୁବତୀ ରାଘବେନ୍ଦ୍ର ଓରଫ ଯୋଗୀ ନାଁରେ ଥାନାରେ ଅଭିଯୋଗ କରିଥିଲେ। ପାଞ୍ଚ ମାସ ତଳେ ଏକ ଗଣମାଧ୍ୟମରେ ରାଘବେନ୍ଦ୍ର ଯୋଗୀ ବେଶରେ ଆସି ସାକ୍ଷାତକାର ଦେଇଥିଲେ। ଜେଏନ୍‌ୟୁର ବିଭିନ୍ନ ସମସ୍ୟା ଉପରେ ରାଘବେନ୍ଦ୍ର ଆଲୋଚନା କରିଥିଲେ। ଯୁବତୀଙ୍କ ବୟାନ ଆଧାରରେ ଯୋଗୀ ବିରୋଧରେ ପୋଲିସ ଯୌନ ଶୋଷଣ ମାମଲା ରୁଜୁ  କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.