ଜେଏନୟୁ ଛାତ୍ର ସଂସଦ ନିର୍ବାଚନରେ ସଂଯୁକ୍ତ ବାମ ସଂଗଠନ ବାଜିମାତ, ଏନ.ସାଇ ବାଲାଜୀ ସଭାପତି ନିର୍ବାଚିତ

Published By : Prameya-News7 Bureau | September 16, 2018 IST

ବହୁ ଚର୍ଚିତ ଜବାହାରଲାଲ ନେହରୁ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ସଂଯୁକ୍ତ ବାମ ସଂଗଠନ ତା'ର ପତିଆରା ଜାରି ରଖିଛି | ୪ଟି ଯାକ ମୁଖ୍ୟ ପଦବୀ ଜିତିଛନ୍ତି ସଂଗଠନର ପ୍ରାର୍ଥୀ | ସଂଗଠନର ପ୍ରାର୍ଥୀ ଏନ.ସାଇ ବାଲାଜୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି |ଏବିଭିପିର ପ୍ରାର୍ଥୀ ଲଳିତ ପାଣ୍ଡେଙ୍କୁ ସେ ୧୧୭୯ ଭୋଟରେ ପରାସ୍ତ କରିଛନ୍ତି | କଂଗ୍ରେସର ଛାତ୍ର ସଂଗଠନ ଏନଏସୟୁଆଇର ପ୍ରାର୍ଥୀ ମାତ୍ର ୪୦୧ ଖଣ୍ଡ ଭୋଟ ପାଇଥିଲେ | ସେହିଭଳି ସଂଯୁକ୍ତ ବାମ ସଂଗଠନ ତଥା ଡିଏସଏଫର ପ୍ରାର୍ଥୀ ସାରିକା ଚୌଧୁରୀ ଛାତ୍ର ସଂସଦର ଉପ-ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି | ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଗୀତାଶ୍ରୀ ବରୁଆଙ୍କୁ ୧୬୮୦ ଭୋଟରେ ପରାସ୍ତ କରିଛନ୍ତି | ସଂଯୁକ୍ତ ବାମ ସଂଗଠନ ତଥା ଏସଏଫଆଇର ଆଇଜଜ ଅହମଦ ରା଼ଠେର ଛାତ୍ର ସଂସଦର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି | ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଗଣେଶ ଗୁର୍ଜରକୁ ପରାସ୍ତ କରିଥିଲେ | ସେହିଭଳି ଅଖିଳ ଭାରତୀୟ ପରିଷଦର ପ୍ରାର୍ଥୀଙ୍କୁ ପରାସ୍ତ କରି ସଂଯୁକ୍ତ ବାମ ସଂଗଠନ ତଥା ଏଏସଆଇଏଫର ପ୍ରାର୍ଥୀ ଅମୁଆ ଜୟଦୀପ ଯୁଗ୍ମ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି | ସୂଚନାଯୋଗ୍ୟ ଯେ, ଗତ ବର୍ଷ ମଧ୍ୟ ଜବାହାରଲାଲ ନେହରୁ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦର ୪ଟି ଯାକ ମୁଖ୍ୟ ପଦବୀ ସଂଯୁକ୍ତ ବାମ ସଂଗଠନ ଅକ୍ତିଆର କରିଥିଲା | ସେହିଭଳି ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ସ୍କୁଲ ଅଫ ସୋସିଆଲ ସାଇନ୍ସ ଏବଂ ସ୍କୁଲ ଅଫ ଲାଙ୍ଗୁଏଜେସର ୫ଟି ଯାକ କାଉନ୍ସିଲ ପଦବୀ ମଧ୍ୟ ବାମ ସଂଯୁକ୍ତର ପ୍ରାର୍ଥୀ ବିଜୟୀ ହୋଇଛନ୍ତି | ଅନ୍ୟପକ୍ଷରେ ସ୍କୁଲ ଅଫ ଇଣ୍ଟର ନ୍ୟାସନାଲ ଷ୍ଟଡ଼ିଜର ୫ଟି କାଉନସିଲର ପଦବୀ ମଧ୍ୟରୁ ବାମ ସଂଗଠନ ୪ଟି ରେ ବିଜୟୀ ହୋଇଥିବା ବେଳେ କଂଗ୍ରେସର ଛାତ୍ର ସଂଗଠନ ଏନଏସୟୁଆଇ ଗୋଟିଏ କାଉନସିଲର ପଦବୀରେ ବିଜୟୀ ହୋଇଛି | ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରାର୍ଥୀମାନେ ଏହି ୩ଟି ଯାକ ସ୍କୁଲର କାଉନସିଲର ପଦବୀ ପାଇଁ ନିର୍ବାଚନରେ ପରାଜିତ ହୋଇଛନ୍ତି | ଗତକାଲିଠାରୁ ବିବାଦ ଯୋଗୁଁ ଭୋଟ ଗଣତି ବନ୍ଦ ରହିଥିଲା | ଆରଏସଏସ ସମର୍ଥିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କିଛି ନେତା ଗଣତି କେନ୍ଦ୍ର ମଧ୍ୟକୁ ପ୍ରବେଶ କରି ମାରପିଟ କରିଥିବା ଅଭିଯୋଗ ଯୋଗୁଁ ଗଣତି ବନ୍ଦ ରହିଥିଲା | ଦୀର୍ଘ ୧୪ ଘଣ୍ଟା ପରେ ଆଜି ସକାଳୁ ଭୋଟ ଗଣତି ଅନୁଷ୍ଠିତ ହୋଇଥିଲା | ଜବାହାରଲାଲ ନେହରୁ ବିଶ୍ୱ ବିଦ୍ୟାଳୟର ଛାତ୍ର ସଂସଦ ପାଇଁ ଗତ ଶୁକ୍ରବାର ଦିନ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା | ସୂଚନାଯୋଗ୍ୟ ଯେ, ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ୪ଟି ମୁଖ୍ୟ ପଦବୀ ମଧ୍ୟରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରାର୍ଥୀ ୪ଟି ରେ ବିଜୟୀ ହୋଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.