ପୁଣି ବିବାଦରେ ଜେଏନୟୁ, ପେଜ୍‌ରେ ଲେଖାଗଲା 'ଭାରତୀୟ ଅଧିକୃତ କାଶ୍ମୀର', ଓ୍ଵେବିନାର ରଦ୍ଦ

Published By : Prameya-News7 Bureau | October 29, 2021 IST

ନୂଆଦିଲ୍ଲୀ ୨୯।୧୦: କାଶ୍ମୀରକୁ ନେଇ ଜବାହର ଲାଲ ନେହେରୁ ବିଶ୍ଵ ବିଦ୍ୟାଳୟ(ଜେଏନୟୁ) ପୁଣି ଥରେ ବିବାଦ। କାଶ୍ମୀରକୁ ନେଇ ସେଣ୍ଟର ଫର ଓ୍ଵିମେନ ଷ୍ଟଡିଜ୍ ଦ୍ଵାରା ଆୟୋଜିତ ଓ୍ଵେବିନାର ପାଇଁ ଜାରି ନିମନ୍ତ୍ରଣ ପତ୍ରକୁ ନେଇ ଶିକ୍ଷକ ଓ ଛାତ୍ର ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି। ଏବିଭିପି ମଧ୍ୟ କଡା ପ୍ରତିକ୍ରିୟା ବ୍ୟକ୍ତ କରିଛି। ଏହା ପରେ ଶୁକ୍ରବାର ସନ୍ଧ୍ୟାରେ ହେବାକୁ ଥିବା ଓ୍ଵେବିନାର ରଦ୍ଦ କରାଯାଇଛି। ଏପରିକି ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଛାତ୍ର ଓ ଶିକ୍ଷକ କାଶ୍ମୀରକୁ ନେଇ ନିଜର ଆପତ୍ତି ପ୍ରକାଶ କରିଛନ୍ତି। ଜଣେ ଶିକ୍ଷକଙ୍କ ଅନୁଯାୟୀ, ଜେଏନଏୟୁ କର୍ତ୍ତୃପକ୍ଷ ମଧ୍ୟ ଏହା ଉପରେ ଘୋର ଆପତ୍ତି ଉଠାଇଛନ୍ତି। ଏହା ପରେ ଶୁକ୍ରବାର ରାତି ୮ଟା୩୦ରେ ହେବାକୁ ଥିବା ଓ୍ଵେବିନାରକୁ ରଦ୍ଦ କରାଯାଇଛି। ଏବିଭିପିର ଜଣେ ପଦାଧିକାରୀ କହିଛନ୍ତି, ଓ୍ଵେବିନାରର ଓ୍ଵେବପେଜ୍‌ରେ ଜାମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳକୁ 'ଭାରତୀୟ ଅଧିକୃତ କାଶ୍ମୀର' ଭାବେ ସମ୍ବୋଧିତ କରାଯାଇଛି। ଏହାକୁ  ହିଁ ଆମେ ବିରୋଧ କରିଛୁ।

ଜେଏନୟୁର ଏବିଭିପି ୟୁନିଟ୍‌ କହିଛି,  ବିଶ୍ଵ ବିଦ୍ୟାଳୟରେ କମ୍ୟୁନିଷ୍ଟଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଦେଶ ବିରୋଧୀ କାର୍ଯ୍ୟକ୍ରମକୁ ପୁଣି ଥରେ ମନେ ପକାଇ ଦେଇଛି। ଭାରତର ସାର୍ବଭୌମତକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। ଏମିତି ଦେଶ ବିରୋଧୀ କାମ ସାମାଜିକ ବିଜ୍ଞାନ ସ୍କୁଲରେ ମହିଳା ଅଧ୍ୟୟନ କେନ୍ଦ୍ରରେ ସାମ୍ନାକୁ ଆସିଛି। ଏହି କାର୍ଯ୍ୟକ୍ରମ ୨୦୨୧ ଅକ୍ଟୋବର ୨୯ ଶୁକ୍ରବାର ରାତି ୮ଟା ୩୦ରେ ହେବାର ଥିଲା। ଜାଣି ଶୁଣି ଏମିତି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ଅଭିଯୋଗ ହୋଇଛି।

ଓ୍ଵେବିନାରର ଓ୍ଵେବପେଜ୍‌ରେ ଜାମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳକୁ 'ଭାରତୀୟ ଅଧିକୃତ କାଶ୍ମୀର' ଭାବେ ସମ୍ବୋଧିତ କରାଯାଇଛି। ଜାମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଜାଣିଥିବା ସତ୍ତ୍ଵେ ବାରମ୍ବାର ଏମିତି କାର୍ଯ୍ୟ ଜେଏନୟୁ ପରିସରରେ ହେଉଥିବା ଅଭିଯୋଗ  ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.