ପ୍ରବଳ ବରଫପାତ – କାଶ୍ମୀର ବାହ୍ୟ ଜଗତରୁ ବିଚ୍ଛିନ୍ନ
19/12/2019 at 10:54 PM

ନୂଆଦିଲ୍ଲୀ ୧୯।୧୨- ଜାମ୍ମୁ-କାଶ୍ମୀର ସହ ହିମାଚଳ, ଉତ୍ତରାଖଣ୍ଡରେ ପ୍ରବଳ ବରଫପାତ । କାଶ୍ମୀରରେ ପ୍ରବଳ ବରଫପାତ ଯୋଗୁଁ ଏହା ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଭୂସ୍ଖଳନ ହୋଇ ଯାତାୟାତ ବନ୍ଦ ରହିଛି । ବରଫପାତ ଯୋଗୁଁ ଶ୍ରୀନଗରରୁ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ସ୍ଥାନରେ ଶହ ଶହ ଗାଡ଼ି ଅଟକି ରହିଛି ।
ପାଗ ଅତ୍ୟନ୍ତ ଖରାପ ରହିଥିବାରୁ ଏବଂ ବରଫପାତ ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି । ପ୍ରବଳ ବରଫପାତ ଯୋଗୁଁ ପ୍ରମୁଖ ରାଜପଥ ଗୁଡ଼ିକ ବନ୍ଦ ରହିଛି । କାଶ୍ମୀର ଭ୍ୟାଲିରେ ବରଫପାତର ମଜା ଉଠାଉଛନ୍ତି ପର୍ଯ୍ୟଟକ ।
ସେପଟେ ହିମାଚଳ ପ୍ରଦେଶରେ ମଧ୍ୟ ପ୍ରବଳ ବରଫପାତ ହେଉଛି । ସିମଲା, ମନାଲି ଆଦି ସ୍ଥାନରେ ପାହାଡ ଗୁଡିକ ବରଫ ଚାଦରରେ ଆଛାଦିତ ହୋଇ ରହିଛି । ମନାଲି ଯିବା ରାସ୍ତା ରୋହତଙ୍ଗରେ ବରଫ ଗଦା ହୋଇଛି । ଏପରିକି ବିଭିନ୍ନ ସ୍ଥାନରେ ଗାଡି ଚଳାଚଳ ସମ୍ବର୍ଣ୍ଣ ଠପ ହୋଇଯାଇଛି । ତେବେ ପର୍ଯ୍ୟଟକମାନେ ତୁଷାରପାତର ଭରପୁର ମଜା ଉଠାଉଛନ୍ତି ।