ଜାମ୍ମୁ-କାଶ୍ମୀର: ଜେଲ୍‌ରେ ବନ୍ଦୀ ୨୮ ଜଣଙ୍କ ଉପରୁ ହଟିଲା ପିଏସଏ, ହେଲେ ମେହବୁବାଙ୍କୁ ମିଳିଲାନି ଆଶ୍ଵସ୍ତି

Published By : Prameya-News7 Bureau | April 25, 2020 IST

ଶ୍ରୀନଗର ୨୫।୦୪: ଜାମ୍ମୁ-କାଶ୍ମୀର ପ୍ରଶାସନ କେନ୍ଦ୍ର ଶାସିତ ଅଞ୍ଚଳ ଓ  ବାହାର ଜିଲ୍ଲାରେ ବନ୍ଦୀ ୨୮ ଜଣଙ୍କ ଉପରୁ ଜନ ସୁରକ୍ଷା ଆଇନ(PSA) ପ୍ରତ୍ୟାହାର କରି ନେଇଛନ୍ତି। ପ୍ରଶାସନ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଲୋକଙ୍କ ଉପରୁ ପିଏସଏ ପ୍ରତ୍ୟାହାର କରାଯାଇଛି ସେଥିରେ ପ୍ରମୁଖ ବ୍ୟକ୍ତି ଭାବେ କାଶ୍ମୀର ବାଣିଜ୍ୟ ଓ ବିନିର୍ମାଣ ସଂଘ(KTSF) ଓ କାଶ୍ମୀର ଇକୋନୋମିକ ଆଲାୟାନ୍ସ(KEA)ର ମୁଖ୍ୟ ମହମ୍ମଦ ୟାସିନ ଖାନଙ୍କ ନାମ ସାମିଲ। ଖାସ୍ କଥା ଏହା ଯେ, ପିପୁଲ୍ସ ଡେମୋକ୍ରେଟିକ୍ ପାର୍ଟି(PDP)ର ମୁଖ୍ୟ ମେହବୁବା ମୁଫତିଙ୍କୁ ଏବେ ମଧ୍ୟ ଏଥିରୁ ଆଶ୍ଵସ୍ତି ମିଳିନାହିଁ।

କେନ୍ଦ୍ର ସରକାର ଗତ ବର୍ଷ ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ସ୍ଵତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେଇଥିଲେ। ଏହା ପରେ ମୁଖ୍ୟଧାରାର ନେତାଙ୍କ ସମେତ ରାଜ୍ୟର ଶତାଧିକ ଲୋକଙ୍କୁ ପିଏସଏ ଆଧାରରେ ଅଟକ ରଖାଯାଇଥିଲା। ସେମାନଙ୍କ ମଧ୍ୟରୁ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ ଉମର ଅବଦୁଲ୍ଲା ସମେତ ଅନେକ ଲୋକ ନିକଟରେ ମୁକ୍ତ ହୋଇ ସାରିଛନ୍ତି।

ଏବେ ମଧ୍ୟ ଗୃହବନ୍ଦୀ ମେହବୁବା ମୁଫତି

ଏବେ ମଧ୍ୟ ରାଜ୍ୟର ଅନେକ ନେତା ଅଟକ ଅଛନ୍ତି। ସେଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି, ନ୍ୟାସନାଲ କନଫରେନ୍ସର ମହାସଚିବ ଅଲି ମହମ୍ମଦ ସାଗର ତଥା ପୂର୍ବତନ ମନ୍ତ୍ରୀ ନଇମ ଅଖତାର ସାମିଲ। ଫାରୁକ ଓ ଉମରଙ୍କ ମୁକ୍ତି ପରେ ମେହବୁବା ସମେତ ଅଟକ ଥିବା ଅନ୍ୟ ସମସ୍ତଙ୍କୁ ମୁକ୍ତ କରିବାକୁ ଦାବି କରାଯାଇଥିଲା। ହେଲେ ଏବେ ଯେଉଁ ୨୮ ଜଣଙ୍କୁ ମୁକ୍ତ କରାଯାଉଛି ସେଥିରେ ମେହବୁବାଙ୍କ ନାମ ନାହିଁ।

ନ୍ୟାସନାଲ କନଫରେନ୍ସର କାର୍ଯ୍ୟକାରୀ ସଭାପତି ଉମର ଅବଦୁଲ୍ଲାଙ୍କୁ ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ସହ ଅଟକ ରଖାଯାଇଥିଲା। ପ୍ରାୟ ଆଠ ମାସ ପର୍ଯ୍ୟନ୍ତ ହରି ନିବାସରେ କଏଦ ରହିବା ପରେ ଉମର ଅବଦୁଲ୍ଲାଙ୍କୁ ମାର୍ଚ୍ଚ ୨୪ରେ ମୁକ୍ତ କରାଯାଇଥିଲା। ମୁକ୍ତ ହେବା ପରେ ଉମର ମେହବୁବା ମୁଫତି ଓ ଅନ୍ୟ ନେତାଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.