ସିଂହଦ୍ୱାର ସମ୍ମୁଖ ଅରୁଣସ୍ତମ୍ଭରେ ଫାଟ

Published By : Prameya-News7 Bureau | January 16, 2020 IST

ପୁରୀ ୧୬।୦୧- ଶ୍ରୀମନ୍ଦରର ପୂର୍ବ ଦ୍ୱାର ସିଂହଦ୍ୱାର ଭାବେ ଖ୍ୟାତ । ଏଠାରେ ଦୁଇଟି ସିଂହଙ୍କ ମୂର୍ତ୍ତୀ ବିରାଜମାନ କରିଛନ୍ତି । ଏହି ସିଂହଦ୍ୱାର ସାମ୍ନାରେ ରହିଛି ଅରୁଣ ବିରାଜ ମାନ କରିଥିବା କଳା ରଙ୍ଗର ଅରୁଣ ସ୍ତମ୍ଭ। ଗୋଟିଏ ପଥରରେ ଗଢା ଏହି ସ୍ତମ୍ଭରେ ଏବେ ଫାଟ ଦେଖାଦେଇଛି। ପୂର୍ବରୁ ଏହି ଫାଟ ଥିବା ଓ ତାକୁ ମୁଦ ଦିଆଯାଇଥିବା ଜଣା ପଟୁଛି। ଭୂମିଠାରୁ ପ୍ରାୟ ୧୭ ଫୁଟ ଉଚ୍ଚାରେ ଏହି ଫାଟ ଦେଖାଯାଉଛି ।

ଶ୍ରୀମନ୍ଦିରର ୧୬୧ ନମ୍ବର ପ୍ଲଟରେ ଅରୁଣ ସ୍ତମ୍ଭ ରହିଛି । କୋଣାର୍କ ମନ୍ଦିର ନିକଟରୁ ଏହି ସ୍ତମ୍ଭକୁ ମରହଟ୍ଟାଙ୍କ ସମୟରେ ପୁରୀ ଅଣାଯାଇ ଏଠାରେ ସ୍ଥାପନ କରାଯାଇଛି । ସ୍ତମ୍ଭରେ ହୋଇଥିବା ଫାଟର ଆକାର ପ୍ରାୟ ୩ ଫୁଟ ଓ ତିନୋଟି ଗାତ ରହିଛି । ଏଥିରେ ସିଲିଂ ଓ ଗ୍ରାଉିଟଂ ପରି ଅଠା ଲାଗିଛି ।

ଗାତ ଛୋଟ ଥିଲେ ମଧ୍ୟ ଏହା ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି । ପୂର୍ବରୁ କୌଣସି ଅଠା ବ୍ୟବହାର କରାଯାଇ ଏହାର ଯୋଡେଇ କରାଯାଇଥିବା ଜଣା ପଡୁଛି ।

ଆଠ ଶହ ବର୍ଷ ପୂର୍ବେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଶୋଭା ପାଉଥିବା ଏହି ସ୍ତମ୍ଭର ଉଚ୍ଚତା ପ୍ର୍ରାୟ ୩୩ ଫୁଟ ୮ ଇଞ୍ଚ । ମୋଟ ୧୬(ପର, ମୁହଁ, ପାଗ) କୋଣ ବିଶିଷ୍ଟ ଏହି ସ୍ତମ୍ଭର ଗୋଲେଇ ସାଢ଼େ ଛଅ ଫୁଟ ସାଢ଼େ ତିନି ଇଞ୍ଚ । ବ୍ୟାସ ଦୁଇ ଫୁଟ । ମରହଟ୍ଟା ରାଜତ୍ୱ ଅମଳରେ ଭୋଇ ବଂଶର ରାଜା ଦିବ୍ୟସିଂହ ଦେବ ଅଷ୍ଟାଦଶ ଶତାବ୍ଦୀରେ ପୁରୀ ଆଣି ଶ୍ରୀମନ୍ଦିର ସିଂହଦ୍ୱାରରେ (ପୂର୍ବ ଦିଗ) ପ୍ରତିଷ୍ଠା କରିଥିଲେ । ଏହି ସ୍ତମ୍ଭ ଉପରେ ସୂର୍ଯ୍ୟଙ୍କ ବାହନ ଅରୁଣ ବିଜେ ହୋଇଛନ୍ତି ବୋଲି ଐତିହାସିକମାନେ କହିଛନ୍ତି ।

ଏହି ସ୍ତମ୍ଭ ସାତ ଫୁଟ ନଅ ଇଞ୍ଚ ଲମ୍ବର ବର୍ଗାକାର କ୍ଷେତ୍ର ଏବଂ ଛଅ ଫୁଟ ଉଚ୍ଚର କଳା ମୁଗୁନି ପଥର ପୀଠ ଉପରେ ଠିଆ ହୋଇଛି । ଅରୁଣ ସ୍ତମ୍ଭ ଉପରେ ସୂର୍ଯ୍ୟଦେବଙ୍କ ସାରଥି ଅରୁଣ ବିଜେ କରିଛନ୍ତି । ପୀଠରେ ସିଂହ ସମେତ ନାନା ସୂକ୍ଷ୍ମ କାରୁକାର୍ଯ୍ୟ ଖୋଦିତ ହୋଇଛି । ଏହି ଐତିହାସିକ କୀର୍ତ୍ତିର ସୁରକ୍ଷା ପାଇଁ ଗବେଷକମାନେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.