ପୂର୍ବତନ ମନ୍ତ୍ରୀ ଜିତିନ ପ୍ରସାଦ ବିଜେପିରେ ସାମିଲ, ୟୁପି ଭୋଟ୍ ପୂର୍ବରୁ କଂଗ୍ରେସକୁ ଝଟକା

Published By : Prameya-News7 Bureau | June 09, 2021 IST

ନୂଆଦିଲ୍ଲୀ, ୦୯/୦୬:  ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତା ଜିତିନ ପ୍ରସାଦ ବୁଧବାର ବିଜେପିରେ ସାମିଲ ହୋଇଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରେ କଂଗ୍ରେସର ଟାଣୁଆ ନେତା ଜିତିନ ପ୍ରସାଦ କଂଗ୍ରେସ ଶିବିର ଛାଡି ପଦ୍ମ ଧରିଛନ୍ତି । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଜିତିନଙ୍କୁ ବିଜେପିର ସଦସ୍ୟତା ପ୍ରଦାନ କରିଛନ୍ତି । ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଏହା ଏକ ବଡ ରାଜନୈତିକ ପରିବର୍ତ୍ତନ ବୋଲି କୁହାଯାଉଛି ।

କୁହାଯାଉଛି ଯେ, କଂଗ୍ରେସର ବଡ ବ୍ରାହ୍ମଣ ଚେହେରା ମଧ୍ୟରୁ ଅନ୍ୟତମ ଜିତିନ ପ୍ରସାଦ ଗତ କିଛି ଦିନ ଧରି ଦଳୀୟ ନେତୃବୃନ୍ଦଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ଏନେଇ ସେ ପୂର୍ବରୁ କଂଗ୍ରେସର କିଛି ନେତାଙ୍କୁ ମଧ୍ୟ ଜଣାଇଥିଲେ । ଜିତିନଙ୍କ ଅଭିଯୋଗକୁ ଦଳ ଅଣଦେଖା କରିଥିଲା । ଏହି କାରଣରୁ ସେ ବିଜେପିରେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି ।

ୟୁପିରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାପୂର୍ବରୁ ବିଜେପି ନିଜର ରଣନୀତି ଜୋର୍ କରିଛି । କୁହାଯାଉଛି ଯେ, ରାଜ୍ୟରେ ବ୍ରାହ୍ମଣର ଏକ ବଡ ସମାଜ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଖୁସି ନାହିଁ । ସେମାନଙ୍କୁ ମନାଇବାକୁ ଜିତିନଙ୍କୁ ଦଳ ନିଜ ଆଡକୁ ଟାଣିଛି ।

ଜିତିନ ପ୍ରସାଦ କଂଗ୍ରେସର ବରିଷ୍ଠ ନେତା ଜିତେନ୍ଦ୍ର ପ୍ରସାଦଙ୍କ ପୁଅ । ଜିତେନ୍ଦ୍ର ପ୍ରସାଦ ରାଜୀବ ଗାନ୍ଧୀ ଓ ପିଭି ନରସିଂହାରାଓଙ୍କ ରାଜନୈତିକ ପରାମର୍ଶଦାତା ରହିଥିଲେ । ୨୦୦୦ରେ ଜିତେନ୍ଦ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଲଢି ପରାସ୍ତ ହୋଇଥିଲେ । ୨୦୦୧ରେ ତାଙ୍କର ପରଲୋକ ହୋଇଥିଲା । ଏହାପରେ ଜିତିନ ୨୦୦୧ରେ କଂଗ୍ରେସରେ ସାମିଲ ହୋଇଥିଲେ । ୨୦୧୪ରେ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୟୁପିଏ-୧ରେ ସେ ମନ୍ତ୍ରୀ ରହିଥିଲେ । ୨୦୦୯ରେ ମଧ୍ୟ ସେ ଲୋକସଭା ନିର୍ବାଚନ ଜିତି ୟୁପିଏ-୨ରେ ମନ୍ତ୍ରୀ ରହିଥିଲେ । ୨୦୧୪ରେ କିନ୍ତୁ ସେ ପରାସ୍ତ ହୋଇଥିଲେ । ଏପରିକି ତାଙ୍କୁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସବୁଠାରୁ ଘନିଷ୍ଠ ବୋଲି କୁହାଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.