ଜୀତନରାମ ମାଝୀଙ୍କ ମନ ପୁଣି ବଦଳିଲା, ମହାମେଣ୍ଟ ଛାଡିଲେ, ନୀତିଶଙ୍କ ଆଡକୁ ଢଳୁଥିବା ସଙ୍କେତ

Published By : Prameya-News7 Bureau | August 20, 2020 IST

ପାଟନା, ୨୦|୦୮:  ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଝୀଙ୍କ ଦଳ ହିନ୍ଦୁସ୍ଥାନୀ ଆବାମ ମୋର୍ଚ୍ଚା ମହାମେଣ୍ଟରୁ ଅଲଗା ହେବା ନେଇ ଘୋଷଣା କରିଛି । ମେଣ୍ଟରେ ଅସନ୍ତୁଷ୍ଟ ଥିବା ଜୀତନରାମ୍ ମାଝୀ ଶେଷରେ ମେଣ୍ଟରୁ ପୃଥକ ହେବା ନେଇ କହିଛନ୍ତି । ସେ ବୁଧବାର ହିଁ ମେଣ୍ଟରୁ ଅଲଗା ହେବେ ବୋଲି ନିଷ୍ପତ୍ତି ନେଇ ସାରିଥିଲେ । ଗୁରୁବାର ଜୀତନରାମ୍ ପାଟନାରେ ଦଳର କୋର୍ କମିଟି ବୈଠକ ଡାକିଥିଲେ । ଯେଉଁଥିରେ ଏହି ନିଷ୍ପତ୍ତି ନିଆଯାଇଛି ।

ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚାର ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆରଡେଡି ତାଙ୍କ ଦଳକୁ ବହୁତ ଥର ଅପମାନ କରିଛି । ମହାମେଣ୍ଟରେ ଆରଜେଡିର ଦାଦାଗିରି ଚାଲିଛି । ତେବେ ତାଙ୍କ ଦଳ ଏନଡିଏ ସହ ରହିବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଦଳ କୌଣସି ପରିସ୍ଥିତିରେ ଜେଡିୟୁ ସହ ବିଲୟ ହେବ ନାହିଁ ।

କୁହାଯାଉଛି ଯେ, ଜୀତନରାମ ସିଟ୍ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିଲେ । ଜେଡିୟୁ ନିଜ ଖାତାରୁ ତାଙ୍କୁ ୭ରୁ ୧୦ ଆସନ ଦେବ ବୋଲି ଆଶ୍ୱାସନା ଦେଇଥିଲା ।

ମାଝୀ ପୁଣି ଜେଡିୟୁକୁ ଫେରିବେ ବୋଲି ଗତ କିଛିଦିନ ଧରି ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି ତାଙ୍କ ଦଳ ଜେଡିୟୁରେ ବିଲୟ ହେବ ବୋଲି ମଧ୍ୟ କୁହାଯାଉଥିଲା ।ସେପଟେ ଆଉ କିଛି ରିପୋର୍ଟରେ ଜୀତନରାମ ଜେଡିୟୁ ସୁପ୍ରିମୋ  ନୀତିଶ କୁମାରଙ୍କ ସହ ଆଲୋଚନା କରିଥିବା ମଧ୍ୟ କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.