ଜିଓଫୋନ୍ ନେକ୍ସଟ୍‌ର ବିକ୍ରି ଆରମ୍ଭ, ଦାମ୍ ମାତ୍ର ଏତିକି : ରିଚାର୍ଜ କରି ସୁଝିହେବ କିସ୍ତି

Published By : Prameya-News7 Bureau | November 01, 2021 IST

ଭୁବନେଶ୍ୱର,୦୧/୧୧: ଜିଓଫୋନ ନେକ୍ସଟର ବିକ୍ରି ଆରମ୍ଭ । ଜିଓ ଓ ଗୁଗୁଲ୍‌ ପକ୍ଷରୁ ମିଳିତ ଭାବେ ଡିଜାଇନ୍‌ କରାଯାଇଥିବା ବହୁ ପ୍ରତୀକ୍ଷିତ ଜିଓଫୋନ୍‌ ନେକ୍ସଟ୍‌ ଦୀପାବଳିରୁ ଷ୍ଟୋର୍‌ଗୁଡ଼ିକରେ ଉପଲବ୍ଧ ହେବ । ଏହାକୁ ୧୯୯୯ ଟଙ୍କା ଭଳି କମ୍‌ ଡାଉନ୍‌ପେମେଣ୍ଟ ଦେଇ କିଣିହେବ । ବଳକା ରାଶିକୁ ୧୮ କିମ୍ୱା ୨୪ ମାସିଆ ସହଜ କିସ୍ତିରେ ଦିଆଯାଇ ପାରିବ । କମ୍ପାନି ପକ୍ଷରୁ ଏହା ଘୋଷଣା କରାଯାଇଛି । ଜିଓଫୋନ୍‌ ନେକ୍ସଟ୍‌କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ପ୍ଲାନ୍‌ ସହ ବଣ୍ଡଲ୍‌ କରାଯାଇଛି । ଗ୍ରାହକ ପ୍ଲାନ୍‌ ସହିତ ଜିଓଫୋନ୍‌ ନେକ୍ସଟ୍‌ର କିସ୍ତି ମଧ୍ୟ ସହଜରେ ଭରଣା କରିପାରିବେ । ମାସିକ ୩୦୦ ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କା ପର୍ଯ୍ୟନ୍ତ କିସ୍ତିରେ ବିଭିନ୍ନ ବଣ୍ଡଲ୍‌ ପ୍ଲାନ୍‌ ଘୋଷଣା କରାଯାଇଛି ।

ଏକକାଳୀନ ୬୪୯୯ ଟଙ୍କା ଦେଇ ଏହି ଫୋନ୍‌ କିଣାଯାଇ ପାରିବ । ଡୁଆଲ ସିମ୍‌ ସୁବିଧା ଥିବା ଏହି ଫୋନ୍‌ରେ ୫.୪୫ ଇଞ୍ଚ୍‌ର ଏଚ୍‌ଡି ଟଚ୍‌ସ୍କ୍ରିନ ସହ କର୍ଣ୍ଣର ଗରିଲା ଗ୍ଲାସ୍‌ ଥ୍ରୀ ରହିଛି । ଏଥିସହିତ ୨ ଜିବି ରାମ୍‌, ୩୨ ଜିବି ଇଣ୍ଟରନାଲ ମେମୋରି, ୧୩ ମେଗାପିକ୍ସେଲ୍‌ ପଛ ଓ ୮ ମେଗାପିକ୍ସେଲ୍‌ ସମ୍ମୁଖ ବା ସେଲ୍‌ଫି କ୍ୟାମେରା ରହିଛି । ସେହିପରି ଗୁଗଲ ଓ ଜିଓର ଆପ୍ଲିକେସନ ମଧ୍ୟ ଫୋନରେ ପ୍ରି ଇନଷ୍ଟଲ ରହିଛି ।

ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି ଅମ୍ୱାନି କହିଛନ୍ତି, ଉତ୍ସବ ସମୟରେ ଏହି ଡିଭାଇସ୍‌କୁ ଆଣିବାରେ ଗୁଗୁଲ୍‌ ଓ ଜିଓ ଟିମ୍‌ ସଫଳ ହୋଇଛି । ୧୩୫ କୋଟି ଭାରତୀୟଙ୍କ ଜୀବନକୁ ସମୃଦ୍ଧ, ସକ୍ଷମ ଓ ସଶକ୍ତ କରିବାରେ ଡିଜିଟାଲ୍‌ ବିପ୍ଳବ ଶକ୍ତି ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.