ଜିଓ ସେପ୍ଟେମ୍ବର ମାସରେ ୪ଜି ଡାଉନ୍ଲୋଡ୍ ସ୍ପିଡ୍ ଚାର୍ଟର୍ ଶୀର୍ଷରେ: ଟ୍ରାଇ
23/10/2019 at 6:29 PM

ଭୁବନେଶ୍ୱର: ରିଲାଏନ୍ସ ଜିଓ ସେପ୍ଟେମ୍ବର ମାସର ହାରାହାରି ୪ଜି ଡାଉନ୍ଲୋଡ୍ ସ୍ପିଡ୍ ଚାର୍ଟର ଶୀର୍ଷ ସ୍ଥାନରେ ରହିଛି ବୋଲି ଟେଲିକମ୍ ନିୟାମକ ସଂସ୍ଥା ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ୪ଜି ସ୍ପିଡ୍ ଚାର୍ଟରୁ ଜଣାପଡ଼ିଛି ।
ସେପ୍ଟେମ୍ବର ମାସରେ ଜିଓ ୨୧.୦ ଏମ୍ବିପିଏସ୍ର ହାରାହାରି ଡାଉନ୍ଲୋଡ୍ ସ୍ପିଡ୍ ହାସଲ କରିଛି, ଯାହା ଏୟାରଟେଲ୍ ତୁଳନାରେ ଦୁଇ ଗୁଣାରୁ ଅଧିକ ଏବଂ ଭୋଡାଫୋନ୍ ଓ ଆଇଡିଆ ତୁଳନାରେ ତିନି ଗୁଣା ଅଧିକ ।
୨୦୧୮ର ସମସ୍ତ ୧୨ ମାସରେ ହାରାହାରି ଡାଉନ୍ଲୋଡ୍ ସ୍ପିଡ୍ରେ ରିଲାଏନ୍ସ ଜିଓ ଦ୍ରୁତତମ ୪ଜି ଅପରେଟର ହୋଇରହିଥିଲା । ଚଳିତ ବର୍ଷର ନଅ ମାସ ସୁଦ୍ଧା ଜିଓ ଏହି ତାଲିକାର ଶୀର୍ଷ ସ୍ଥାନରେ ରହିଛି ।
ସେପ୍ଟେମ୍ବରରେ ଭାରତୀ ଏୟାରଟେଲ୍ର ପ୍ରଦର୍ଶନରେ ସାମାନ୍ୟ ଉନ୍ନତି ହୋଇ ୮.୩ ଏମ୍ବିପିଏସ୍ ହୋଇଛି ଯାହା ଅଗଷ୍ଟରେ ୮.୨ ଏମ୍ବିପିଏସ୍ ଥିଲା ବୋଲି ଟ୍ରାଇ ଚାର୍ଟରୁ ଜଣାପଡ଼ିଛି ।
ଯଦିଓ ଭୋଡାଫୋନ୍ ଓ ଆଇଡିଆର ମିଶ୍ରଣ ହୋଇସାରିଛିି ତଥାପି ଟ୍ରାଇ ତରଫରୁ ଆଇଡିଆ ଓ ଭୋଡାଫୋନ୍ର ପ୍ରଦର୍ଶନକୁ ଅଲଗା ଅଲଗା ଭାବେ ପ୍ରଦର୍ଶିତ କରାଯାଉଛି । ଭୋଡାଫୋନ୍ ନେଟ୍ୱର୍କରେ ଡାଉନ୍ଲୋଡ୍ ସ୍ପିଡ୍ ଅଗଷ୍ଟ ମାସର ୭.୭ ଏମ୍ବିପିଏସ୍ରୁ ହ୍ରାସ ପାଇ ସେପ୍ଟେମ୍ବର ମାସରେ ୬.୯ ଏମ୍ବିପିଏସ୍ ରହିଥିବା ବେଳେ ଆଇଡିଆର ହାରାହାରି ଡାଉନ୍ଲୋଡ୍ ସ୍ପିଡ୍ରେ ସାମାନ୍ୟ ଉନ୍ନତି ହୋଇ ଅଗଷ୍ଟର ୬.୧ ଏମ୍ବିପିଏସ୍ରୁ ବୃଦ୍ଧି ପାଇ ସେପ୍ଟେମ୍ବରରେ ୬.୪ ଏମ୍ବିପିଏସ୍ରେ ପହଂଚିଛି ।
ସେପ୍ଟେମ୍ବରରେ ୫.୪ ଏମ୍ବିପିଏସ୍ ସ୍ପିଡ୍ ସହିତ ହାରାହାରି ୪ଜି ଅପ୍ଲୋଡ୍ ସ୍ପିଡ୍ରେ ଆଇଡିଆ ଶୀର୍ଷ ସ୍ଥାନରେ ରହିଛି । ଅଗଷ୍ଟ ମାସରେ କଂପାନିର ହାରାହାରି ଅପ୍ଲୋଡ୍ ସ୍ପିଡ୍ ୫.୧ ଏମବିପିଏସ୍ ଥିଲା । ଭୋଡାଫୋନ୍ ଓ ଏୟାରଟେଲ୍ ନେଟ୍ୱର୍କରେ ସେପ୍ଟେମ୍ବରରେ ହାରାହାରି ୪ଜି ଅପ୍ଲୋଡ୍ ସ୍ପିଡ୍ ଯଥାକ୍ରମେ ୫.୨ ଏମବିପିଏସ୍ ଓ ୩.୧ ଏମବିପିଏସ୍ ରହିଥିବା ବେଳେ ଜିଓର ହାରାହାରି ଅପ୍ଲୋଡ୍ ସ୍ପିଡ୍ ୪.୨ ଏମ୍ବିପିଏସ୍ ରହିଥିବା ଟ୍ରାଇ ଚାର୍ଟରୁ ଜଣାପଡ଼ିଛି ।
ଟ୍ରାଇ ତରଫରୁ ମାଇସ୍ପିଡ୍ ଆପ୍ ଜରିଆରେ ରିଅଲ-ଟାଇମ୍ (ବାସ୍ତବ ସମୟ)ରେ ସଂଗ୍ର୍ରହ କରାଯାଉଥିବା ତଥ୍ୟ ଆଧାରରେ ହାରାହାରି ସ୍ପିଡ୍ର ହିସାବ କରାଯାଉଛି ।
ଟ୍ରାଇର ହାରାହାରି ୪ଜି ଡାଉନ୍ଲୋଡ୍ ସ୍ପିଡ୍ ଚାର୍ଟ ଅନୁଯାୟୀ, ଓଡ଼ିଶା ସର୍କଲ୍ରେ, ପୁଣି ଥରେ ରିଲାଏନ୍ସ ଜିଓ ସେପ୍ଟେମ୍ବର ମାସରେ ହାରାହାରି ୪ଜି ଡାଉନ୍ଲୋଡ୍ ସ୍ପିଡ୍ରେ ଶୀର୍ଷର୍ ସ୍ଥାନରେ ରହିଛି । ରାଜ୍ୟରେ ସେପ୍ଟେମ୍ବର ମାସରେ ଜିଓର ହାରାହାରି ୪ଜି ଡାଉନ୍ଲୋଡ୍ ସ୍ପିଡ୍ ୨୨.୭ ଏମବିପିଏସ୍ ରହିଥିବା ବେଳେ ଭୋଡାଫୋନର ୧୩.୭ ଏମ୍ବିପିଏସ୍, ଭାରତୀ ଏୟାରଟେଲ୍ର ୧୧.୬ ଏମ୍ବିପିଏସ୍ ଓ ଆଇଡିଆର ୭.୦ ଏମ୍ବିପିଏସ୍ ରହିଥିବା ଟ୍ରାଇର ଚାର୍ଟରୁ ଜଣାପଡ଼ିଛି ।
ସେହିଭଳି ଓଡ଼ିଶାରେ ହାରାହାରି ୪ଜି ଅପ୍ଲୋଡ୍ ସ୍ପିଡ୍ରେ ସେପ୍ଟେମ୍ବର ମାସରେ ୭.୯ ଏମ୍ବିପିଏସ୍ ସହିତ ଭୋଡାଫୋନ୍ ଶୀର୍ଷ ସ୍ଥାନରେ ରହିଥିବା ବେଳେ ରିଲାଏନ୍ସ ଜିଓର ହାରାହାରି ୪ଜି ଅପ୍ଲୋଡ୍ ସ୍ପିଡ୍ ୫.୫ ଏମ୍ବିପିଏସ୍, ଆଇଡିଆର ୫.୩ ଏମ୍ବିପିଏସ୍ ଓ ଏୟାରଟେଲ୍ର ୪.୩ ଏମ୍ବିପିଏସ୍ ରହିଛି ବୋଲି ଟ୍ରାଇ ତରଫରୁ ଜାରି କରାଯାଇଥିବା ସ୍ପିଡ୍ ଚାର୍ଟରୁ ଜଣାପଡ଼ିଛି ।