ଜିଓର ଦାବି ଏହା କଲେ କମିଯିବ ଫୋନ୍‌ ରିଚାର୍ଜ ଦର

Published By : Prameya-News7 Bureau | November 16, 2019 IST

ନୂଆଦିଲ୍ଲୀ: ଶୂନ କଲ କନେକ୍ଟ ଚାର୍ଜ ଲାଗୁ କରିବା ପୂର୍ବ ନିର୍ଧାରିତ ସମୟ ୨୦୨୦ ଜାନୁଆରି ଠାରୁ ଆହୁରି ବିଳମ୍ବ ହେଲେ ସୁଲଭ ମୂଲ୍ୟରେ ଟେଲିକମ୍ ସେବା ପ୍ରଦାନ କରିବାର ପ୍ରକ୍ରିୟା ପ୍ରଭାବିତ ହେବ ବୋଲି ରିଲାଏନ୍ସ ଜିଓ ପକ୍ଷରୁ କୁହାଯାଇଛି । ଟେଲିକମ୍ ଗ୍ରାହକମାନେ ମାଗଣା ଭଏସ୍ କଲ୍ ଦ୍ୱାରା ଲାଭବାନ ହେଉଥିବାରୁ ଏହି ବ୍ୟବସ୍ଥାକୁ ଧାର୍ଯ୍ୟ ସମୟ ଭିତରେ ଲାଗୁ କରିବା ସପକ୍ଷରେ କଂପାନି ଯୁକ୍ତି ଉପସ୍ଥାପନ କରିଛି ।

ରିଲାଏନ୍ସ ଜିଓର ନିର୍ଦେଶକ ମହେନ୍ଦ୍ର ନାହାଟା କହିଛନ୍ତି ଯେ, ଟେଲିକମ୍ କଂପାନିଗୁଡ଼ିକ ମଧ୍ୟରେ ଇନ୍‌କମିଂ ଓ ଆଉଟ୍ଗୋଇଙ୍ଗ୍ କଲ୍ ଅନୁପାତ ବର୍ତମାନ ସମୟରେ ପ୍ରାୟ ସମାନ ରହୁଥିବାରୁ ଟ୍ରାଫିକ୍ ଅସମାନତା ଆଧାରରେ ବିଲ୍ ଆଣ୍ଡ୍ କିପ୍ (ବିଏକେ) ବା ଶୂନ କଲକନେକ୍ଟ ଚାର୍ଜ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ କରିବାର କୌଣସି କାରଣ ନାହିଁ ।

୨୦୨୦ ଜାନୁଆରି ୧ରୁ ଏହି ନୂଆ ବ୍ୟବସ୍ଥା ଲାଗୁ କରିବାକୁ ପୂର୍ବରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ସେହି ସମୟ ସୀମା ବଢ଼ାଇବା ଉପରେ ବିଚାର କରାଯାଉଛି । ଆଇୟୁସି ବା ଶୂନ କଲକନେକ୍ଟ ଚାର୍ଜ ଲାଗୁ କରିବା ବିଷୟରେ ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଆୟୋଜନ କରାଯାଇଥିବା ଓପନ୍ ହାଉସ୍‌ରେ ଅଂଶଗ୍ରହଣ କରି ନାହାଟା କହିଛନ୍ତି ଯେ, ଏୟାରଟେଲ ଏହାର ୪ଜି ନେଟୱର୍କର ସଂପ୍ରସାରଣ କରିଥିବା ବେଳେ ଭୋଡାଫୋନ୍ ଆଇଡିଆ ନିଜର ୪ଜି ନେଟୱର୍କକୁ ସଂପ୍ରସାରଣ କରୁଥିବା ବିଷୟରେ ପ୍ରକାଶ କରିଛି ।

ସେ କହିଛନ୍ତି ଯେ, ଏହି ବ୍ୟବସ୍ଥା ଲାଗୁ ହେବାରେ ବିଳମ୍ବରେ ନେଇ ଆମେ ଲାଭ ଓ କ୍ଷତି ଦୃଷ୍ଟିରୁ ନୁହେଁ ବରଂ ନୀତି ଆଦର୍ଶ ଦୃଷ୍ଟିରୁ ଆପତି ଉଠାଉଛୁ । ଏକ ଦୂର ସ୍ଥାନରେ ରହି ସରକାର କିମ୍ବା ନିୟାମକ ବ୍ୟବସ୍ଥାର ନିଷ୍ପତିକୁ ସମାଲୋଚନା କରିବା ଆମ ବୁଝିବା ବାହାରେ ବୋଲି ସେ କହିଛନ୍ତି । ଟେଲିକମ୍ ଅପରେଟରଗୁଡ଼ିକ ଯେଉଁ ତଥ୍ୟ ପ୍ରଦର୍ଶନ କରୁଛନ୍ତି ତାହାକୁ ନେଇ ନାହାଟା ସନ୍ଦେହ ପ୍ରକାଶ କରିଛନ୍ତି । ସେମାନେ ଗ୍ରାହକ ଟ୍ରାଫିକକୁ ୨ଜି ଓ ୩ଜି ନେଟୱର୍କକୁ ସ୍ଥାନାନ୍ତର କରି ଭଏସର ଖର୍ଚ ଅଧିକ ରହୁଥିବା ପ୍ରଦର୍ଶନ କରୁଛନ୍ତି ।


ଯଦି ୨୦୨୦ ଜାନୁଆରି ଠାରୁ ବିଏକେ ବ୍ୟବସ୍ଥାକୁ ଟ୍ରାଇ ତରଫରୁ ଲାଗୁ କରା ନଯିବ ତେବେ ଅନ୍ତତଃ ପକ୍ଷେ ଆଇୟୁସି ଚାର୍ଜ ଯାହା ଏବେ ମିନିଟ ପିଛା ୬ ପଇସା ରହିଛି ତାହାକୁ ହ୍ରାସ କରାଯିବା ଆବଶ୍ୟକ । ଯେତେବେଳେ ୬ ପଇସା ଆଇୟୁସି ଚାର୍ଜ ଲାଗୁ କରାଯାଇଥିଲା ସେତେବେଳେ ଦେଶରେ ୪ଜି ଟ୍ରାଫିକ ମୋଟ ଟ୍ରାଫିକର ମାତ୍ର ଏକ ପ୍ରତିଶତ ଥିଲା । ଏବେ ଏହା ବହୁତ ଅଧିକ ହୋଇସାରିଥିବା ଦୃଷ୍ଟିରୁ ଏହି ଖର୍ଚ କମ୍ ହେବା ଦରକାର ବୋଲି ନାହାଟା ଯୁକ୍ତି ଦର୍ଶାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଆଇୟୁସି ନେଇ ଆଜି ଟ୍ରାଇ ଦ୍ୱାରା ଅନୁଷ୍ଠିତ ଓପନ ହାଉସ୍ କାର୍ଯ୍ୟକ୍ରମରେ କେବଳ ଭୋଡାଫୋନ ଆଇଡିଆ ଓ ଏୟାରଟେଲକୁ ଛାଡ଼ି ଜିଓ ସମେତ ଅନ୍ୟ ଅଂଶଗ୍ରହଣକାରୀ ତଥା ଉପଭୋକ୍ତା ସଂଗଠନଗୁଡ଼ିକ ନୂଆବର୍ଷରୁ ଶୂନ ମୋବାଇଲ ଟର୍ମିନେସନ ଚାର୍ଜ ଲାଗୁ କରିବା ସପକ୍ଷରେ ମତ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.