ଜିଓର ଟ୍ରାଇରେ ଅଭିଯୋଗ: ଏୟାରଟେଲ, ଭୋଡାଫୋନ ବେଆଇନ ଭାବରେ ଲ୍ୟାଣ୍ଡଲାଇନ ଫୋନକୁ ମୋବାଇଲ ଦର୍ଶାଇ ଆଇୟୁସି ନେଉଛନ୍ତି

Published By : Prameya-News7 Bureau | October 17, 2019 IST

ନୂଆଦିଲ୍ଲୀ: ଜିଓ ପକ୍ଷରୁ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ନିକଟରେ ଏୟାରଟେଲ, ଭୋଡାଫୋନ ସମେତ ଅନ୍ୟ ଅପରେଟରମାନେ ଚଂଚକତା ପୂର୍ବକ ନିଜର ଲ୍ୟାଣ୍ଡଲାଇନ ଫୋନକୁ ମୋବାଇଲ ଫୋନ ଦର୍ଶାଇ ଅନୈତିକ ଆଇୟୁସି ଲାଭ କରୁଥିବା ନେଇ ଅଭିଯୋଗ ଦାଖଲ କରାଯାଇଛି ଏବଂ ଏଦିଗରେ ନିୟମର ଖିଲାପ କରିଥିବାରୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଜରିମାନା ଲାଗୁ କରାଯିବା ପାଇଁ ଅନୁରୋଧ କରାଯାଇଛି |

ଜିଓ ପକ୍ଷରୁ ଟ୍ରାଇକୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ ବେଆଇନ ଭାବେ ଲ୍ୟାଣ୍ଡଲାଇନ ନମ୍ବର କୁ ମୋବାଇଲ ନମ୍ବର ଭାବେ ଦର୍ଶାଇ ଏହି ଅପରେଟର ମାନେ ସେମାନଙ୍କ ଉଦ୍ୟୋଗ ଜଗତ ଗ୍ରାହକ ମାନଙ୍କୁ କଷ୍ଟମର କେୟାର ବା ହେଲ୍ପଲାଇନ ନମ୍ବର ଭାବେ ଉପଯୋଗ କରିବାପାଇଁ ଦେଇଛନ୍ତି ଯାହାଦ୍ୱାରା ଜିଓର ଶହ ଶହ କୋଟି ଟଙ୍କା କ୍ଷତି ହେବ ସହିତ ରାଜସ୍ବ ହାନି ମଧ୍ୟ ଘଟିଛି |

ଏଥିସହିତ ଏହା ମଧ୍ୟ ପୁରୁଣା ଅପରେଟରମାନଙ୍କୁ ଅନୈତିକ ଭାବେ ଲାଭ ଅର୍ଜନ କରିଥିବା ଦର୍ଶାଇ ନିୟମର ଏହି ଗୁରୁତର ଅବମାନନା ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଓ ପକ୍ଷରୁ ଟ୍ରାଇକୁ ଅନୁରୋଧ କରାଯାଇଛି | ଟ୍ରାଇ ଅଧ୍ୟକ୍ଷ ଆର ଏସ ଶର୍ମାଙ୍କୁ ଲେଖାଯାଇଥିବା ଏହି ଚିଠିରେ ଜିଓ ପକ୍ଷରୁ କୁହାଯାଇଛି ଯେ ପୁରୁଣା ଅପରେଟରମାନେ ଚଂଚକତାପୂର୍ବକ ଫିକ୍ସଡ଼ ଲାଇନ ନମ୍ବର କୁ ମୋବାଇଲ ନମ୍ବର ଦର୍ଶାଇବାର ବେଆଇନ କାର୍ଯ୍ୟ ଇଛାକୃତ ଭାବେ କରିଛନ୍ତି ଏବଂ ଏହା ଇଂଟରକନେକ୍ଟ ୟୁସେଜ ଅଧିନିୟମ ସମେତ ଅନେକ ଗୁଡିଏ ନିୟମର ଉଲ୍ଲଙ୍ଘନ କରୁଛି |

ଜିଓ ଦ୍ୱାରା ଉଲ୍ଲେଖ କରାଯାଇଛି ଯେ ପୁରୁଣା ଅପରେଟରମାନେ ସେମାନଙ୍କର ଉଦ୍ୟୋଗ ବା ବ୍ୟବସାୟିକ ଗ୍ରାହକ ମାନଙ୍କୁ କଷ୍ଟମର କେୟାର ବା ହେଲ୍ପଲାଇନ ନମ୍ବର ଭାବେ ଉପଯୋଗ କରିବାପାଇଁ ମୋବାଇଲ ନମ୍ବର ପ୍ରଦାନ କରିଛନ୍ତି ତେବେ ଏହିଭଳି ସମସ୍ତ କଲ ଆଗକୁ ଯାଇ ଫିକ୍ସଡ଼ ଲାଇନରେ ହିଁ ଶେଷ ହେଉଛି, ଯାହାଦ୍ୱାରା ଉଭୟ କଲ ଓ ଦେୟର ପ୍ରକାର ବଦଳିଯାଉଛି | ଏହାଦ୍ୱାରା ଜିଓକୁ ଏହି ଅପରେଟର ମାନଙ୍କୁ ମିନିଟ ପ୍ରତି ୬ ପଇସା ଆଇୟୁସି ଚାର୍ଜ଼ ଦେବାକୁ ପଡୁଥିବା ସହିତ ନିୟମ ଅନୁସାରେ ଏହିଭଳି ଟୋଲ-ଫ୍ରି ନମ୍ବରକୁ କଲ ବାବଦରେ ଜିଓ ମିନିଟ ପ୍ରତି ୫୨ ପଇସା ହରାଉଥିବା କମ୍ପାନୀ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି |

ପୁରୁଣା ଅପରେଟର ମାନଙ୍କ ଦ୍ୱାରା ଏହିଭଳି ହଜାର ହଜାର ନମ୍ବର କାର୍ଯ୍ୟକ୍ଷମ ଥିବା ନେଇ ଜିଓ ପକ୍ଷରୁ ସନ୍ଦେହ ପ୍ରକାଶ କାରାଯିବା ସହ ଏହିଭଳି କେତେକ ନମ୍ବରଗୁଡିକର ତାଲିକା ତଦନ୍ତ ପାଇଁ ଟ୍ରାଇକୁ ଦିଆଯାଇଛି |

ଏହି ଚିଠିରେ ବେଆଇନ ଭାବରେ ଚାଲିଥିବା ଏହି ଠକାମୀ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବାକୁ ପୁରୁଣା ଅପରେଟର ମାନଙ୍କୁ ନିର୍ଦ୍ଦେଶ ଦେବାକୁ ଟ୍ରାଇକୁ ଜିଓ ଅନୁରୋଧ କରିବା ସହିତ ଏହିଭଳି କାର୍ଯ୍ୟର ପୁନରାବୃତ୍ତି କୁ ରୋକିବା ପାଇଁ ସର୍ବାଧିକ ଜରିମାନା ଲାଗୁ କରିବା ନିମନ୍ତେ ମତ ଦେଇଛି | ଏଥିସହିତ ଲାଇସେନ୍ସ ସର୍ତ୍ତର ଉଲ୍ଲଙ୍ଘନ ହୋଇଥିବାରୁ ଲାଇସେନ୍ସ ପ୍ରଦାନ କରିଥିବା ଟେଲିକମ ବିଭାଗକୁ ଏହି ଅପରେଟରମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଜରିମାନା ନିମନ୍ତେ ସୁପାରିଶ କରିବା ସହିତ ପ୍ରଯୁଜ୍ୟ ଆଇୟୁସି ଚାର୍ଜ ସୁଧ ସହିତ ଜିଓକୁ ଫେରସ୍ତ କରିବାପାଇଁ ଖିଲାପୀ ଅପରେଟର ମାନଙ୍କୁ ନିର୍ଦେଶ ଦେବାପାଇଁ ମଧ୍ୟ ଜିଓ ପକ୍ଷରୁ ଟ୍ରାଇକୁ ଅନୁରୋଧ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.