ଝିଆରୀକୁ ଭେଟିବାକୁ ବ୍ୟଗ୍ର କେଟ୍ ମିଡିଲଟନ୍, କହିଲେ- 'ଆଉ ଅପେକ୍ଷା କରିହେବ ନାହିଁ'

Published By : Prameya-News7 Bureau | June 13, 2021 IST

ଲଣ୍ଡନ, ୧୩/୦୬ :   ଦ୍ୱିତୀୟ ଥର ବାପା ମାଆ ହୋଇଛନ୍ତି ପ୍ରିନ୍ସ ହ୍ୟାରି ଏବଂ ମେଗନ୍ ମର୍କଲେ । କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ମେଘନ ମର୍କେଲ । ବ୍ରିଟେନର ଡ୍ୟୁକ୍ ପ୍ରିନ୍ସ ହ୍ୟାରି ତାଙ୍କ ଝିଅ ରାଣୀ ଏଲିଜାବେଥ ଏବଂ ତାଙ୍କ ମାଆ ରାଜକୁମାରୀ ଡାଏନାଙ୍କ ନାମକୁ ମିଶାଇ ଲିଲିବେଟ ଡାଏନା ନାମରେ ନାମିତ କରିଛନ୍ତି । ସେ ଆମେରିକାରେ ତାଙ୍କ ଝିଅକୁ ଜନ୍ମ ଦେଇଛନ୍ତି ।

ଉଭୟଙ୍କ ନବ ଜନ୍ମିତ ଝିଅକୁ ଦେଖା କରିବାକୁ ଉତ୍ସୁକତାର ସହ ଚାହିଁବସିଛନ୍ତି କେଟ୍ ମିଡିଲଟନ୍ । ଆମେରିକାର ପ୍ରଥମ ମହିଳା ଜିଲ୍ ବିଡେନଙ୍କୁ ଭେଟିବା ପରେ ହ୍ୟାରିଙ୍କ ଭାଉଜ କେଟ୍ ମିଡିଲଟନ୍ ପ୍ରତିକ୍ରିୟା ରଖିଛନ୍ତି। ଶୁକ୍ରବାର ଜିଲ୍  ଓ କେଟ୍ ଏକ ସ୍କୁଲକୁ ବୁଲି ଯାଇଥିଲେ । ସେଠାରେ ତାଙ୍କୁ ମେଘାନ୍ ଓ ହାରିଙ୍କ ଝିଅଙ୍କୁ ଭେଟିବେ ନା ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା ।

କେଟ୍ କହିଥିଲେ ଯେ, ସେ ଉଭୟଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ସେ ନବ ଜନ୍ମିତ ଝିଅଙ୍କୁ ଭେଟିବା ପାଇଁ ଆଉ ଅପେକ୍ଷା କରିପାରିବେ ନାହିଁ  । ଅତିଶୀଘ୍ର ସେ ଶିଶୁକନ୍ୟାକୁ ଭେଟିବେ ବୋଲି ଆଶା କରିଛନ୍ତି ।

ସୂଚନାଯୋଗ୍ୟ, ପ୍ରିନ୍ସ ହ୍ୟାରି ଏବଂ ମେଗନଙ୍କ ମୁଖପାତ୍ର କନ୍ୟା ସନ୍ତାନ ଜନ୍ମ ହେଲା ପରେ କହିଥିଲେ ଯେ ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ସନ୍ତାନ ଲିଲିବେଟ୍ ‘ଲିଲି’ ଡାଏନା ମାଉଣ୍ଟବ୍ୟାଟେନ୍-ୱିଣ୍ଡସରକୁ ସ୍ୱାଗତ କରିଛନ୍ତି । ଶିଶୁର ଓଜନ ସାତ ପାଉଣ୍ଡ ୧୧ ଓଜ ଅର୍ଥାତ୍ ପ୍ରାୟ ୩.୪୯ କିଲୋଗ୍ରାମ । ଶିଶୁ କନ୍ୟାଙ୍କର ପ୍ରଥମ ନାମ ‘ଲିଲିବେଟ୍’ ରାଣୀ ଏଲିଜାବେଥଙ୍କ ପାଇଁ ଏକ ପ୍ରିୟ ନାମ ଅଟେ । ଅନ୍ୟ ନାମ ତାଙ୍କ ଜେଜେମା ଏବଂ ହ୍ୟାରିଙ୍କ ମାତାଙ୍କ ସମ୍ମାନାର୍ଥେ ଦିଆଯାଇଛି ।

ବ୍ରିଟେନର ସିଂହାସନର ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଏହି ଝିଅ ଅଷ୍ଟମ ସ୍ଥାନରେ ରହିବେ । ଶିଶୁର ଜନ୍ମ ଖବର ସହିତ ଏପର୍ଯ୍ୟନ୍ତ ତାଙ୍କର କୌଣସି ଚିତ୍ର ପ୍ରକାଶ ପାଇନାହିଁ । ଶିଶୁ କନ୍ୟା ଏକ ସମୟରେ ଜନ୍ମ ହୋଇଥିଲା ଯେତେବେଳେ ରାଜ ପରିବାର ଏବଂ ଦମ୍ପତିଙ୍କ ମଧ୍ୟରେ ଦୂରତା ବଢିଛି । ମାର୍ଚ୍ଚରେ ଅପ୍ରା ୱିନଫ୍ରେଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ହ୍ୟାରି ଏବଂ ମେଘନ୍ ଏହିପରି ଅନେକକଥା ପ୍ରକାଶ କରିଥିଲେ, ଯାହା ରାଜ ପରିବାର ପାଇଁ ଅନେକ ସମାଲୋଚନାର କାରଣ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.