ଦଳିତ ଯୁବକ ସହ ବିବାହ କରିବା ପଡିଲା ମହଙ୍ଗା : ଝିଅକୁ ହତ୍ୟା କରିଦେଲା ବାପା, ହାଇକୋର୍ଟ ଦେଇଥିଲେ ସୁରକ୍ଷା

Published By : Prameya-News7 Bureau | March 05, 2021 IST

ନୂଆଦିଲ୍ଲୀ, ୦୫/୦୩: ରାଜସ୍ଥାନରେ ଜଣେ ୧୮ ବର୍ଷୀୟ ଯୁବତୀ ଦଳିତ ଯୁବକଙ୍କୁ ପ୍ରେମ କରିବା ମହଙ୍ଗା ପଡିଛି । ଏହି ପ୍ରେମ ସମ୍ପର୍କ ସାମ୍ନାକୁ ଆସିବା ପରେ ଯୁବତୀଙ୍କ ପିତା ତାଙ୍କୁ ହତ୍ୟା କରିଛନ୍ତି । ରାଜ୍ୟର ଦୋସା ସହରରେ ଏହି ଘଟଣା ଆଲୋଡନ ସୃଷ୍ଟି କରିଛି ।

ସୂଚନାନୁସାରେ, ଯୁବତୀଜଣଙ୍କ ଜଣେ ଦଳିତ ଯୁବକଙ୍କୁ ଭଲ ପାଇ କିଛିଦିନ ତଳେ ବିବାହ କରିଥିଲେ । ତେବେ ସବୁଠାରୁ ଚକିତ କଥା ହେଲା ଯେ, ଯୁବତୀଙ୍କୁ ରାଜସ୍ଥାନ ହାଇକୋର୍ଟଙ୍କ ତରଫରୁ ସୁରକ୍ଷା ମିଳିଥିଲା । ଏହା ସତ୍ତ୍ୱେ ତାଙ୍କୁ ହତ୍ୟା କରାଯାଇଛି ।

ଏକ ଇଂରାଜୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବତୀ ହେଲେ ପିଙ୍କି ସୋନୀ । ସେ ୨୪ ବର୍ଷୀୟ ରୋଶନ ମହାବାରଙ୍କୁ ପ୍ରେମ କରୁଥିଲେ । ଫେବ୍ରୁଆରୀ ୧୬ ତାରିଖରେ ଉଭୟେ ବିବାହ କରିଥିଲେ । ଏହାସହ ୨୧ ତାରିଖରେ ପିଙ୍କି ରୋଶନଙ୍କ ସହ ଘରୁ ଫେରାର ହୋଇଯାଇଥିଲେ । ତେବେ ୨୬ ତାରିଖରେ ଉଭୟ ରାଜସ୍ଥାନ ହାଇକୋର୍ଟଙ୍କ ସାମ୍ନାରେ ଉପସ୍ଥିତ ହେବା ସହ ସୁରକ୍ଷା ଲୋଡିଥିଲେ । କୋର୍ଟ ମଧ୍ୟ ସୁରକ୍ଷା ପ୍ରଦାନ କରିଥିଲେ ।

ଘଟଣାକୁ ନେଇ ଜିଲ୍ଲାର ଏସପି ଅନିଲ ବେନୀଓ୍ୱାଲ କହିଛନ୍ତି ଯେ, ଯୁବତୀଙ୍କ ବିବାହ ୧୬ ତାରିଖରେ ହୋଇଥିଲା । ସେ ଘରକୁ ଫେରିବା ପରେ ପ୍ରେମିକ ସହ ଫେରାର ହୋଇଯାଇଥିଲେ । ଥାନାରେ ପିତା କିନ୍ତୁ ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ । ଶୁକ୍ରବାର ପିତା ଥାନାରେ ଆତ୍ମସମର୍ପଣ କରି ଝିଅକୁ ହତ୍ୟା କରିଥିବା ମାନିଛନ୍ତି । ତାଙ୍କୁ ଗିରଫ କରାଯାଇ ମାମଲାର ତଦନ୍ତ ଚାଲିଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.