ଖଣି ଖନନ ଓ ଜମି ଅଧିଗ୍ରହଣକୁ ବିରୋଧ
9/08/2018 at 9:49 AM

ଝାରସୁଗୁଡା ୯/୮ : ଦୁଇ ଦୁଇ ଥର ବିସ୍ଥାପିତ ହେବାପରେ ଆଉଥରେ ବିସ୍ଥାପନର ବୋଝ ସମ୍ଭାଳିବାକୁ ଅନିଚ୍ଛୁକ ଝାରସୁଗୁଡାର ପତ୍ରପାଲି ଓ ମାଲଦା ପଞ୍ଚାୟତ ଲୋକ । କେଵଳ ବିସ୍ଥାପନ ନୁହେଁ ଜଙ୍ଗଲ ଜମି ଉପରେ କୌଣସି କାରଖାନା ବା ଖଣି ଖନନକୁ ମଧ୍ୟ ଦୃଢ ବିରୋଧ କରିବା ପାଇଁ ଅଣ୍ଟା ଭିଡିଲେଣି ।
ଥରେ ଭିଟାମାଟି ଛାଡିଥିଲେ ହୀରାକୁଦ ନଦୀବନ୍ଧ ପାଇଁ । ଆଉ ଥରେ ଘର ଛାଡିଥିଲେ ଏମ୍ସିଏଲ୍ ଖଣି ଲାଗି । ଏବେ ପୁଣି ଥରେ ନାଭେଲି ଲିଗନାଇଟ୍ ଖଣି ପାଇଁ ବିସ୍ଥାପିତ ହେବେ ଝାରସୁଗୁଡା ତଲାବିରା ଖଣି ଅଞ୍ଚଳର ଲୋକ । ଏନେଇ ଝାରସୁଗୁଡାର ପତ୍ରପାଲି, ହିର୍ମା, ମଲଦା ଏବଂ ସମ୍ବଲପୁରର ଖିଣ୍ଡା ଅଞ୍ଚଳର ଶହ ଶହ ଲୋକଙ୍କ ଚିନ୍ତା ବଢି ଯାଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଏମଓୟୁ କରିଛି ସରକାରୀ ସଂସ୍ଥା ନାଭେଲି ଲିଗନାଇଟ । ଏଥିପାଇଁ ଘରୋଇ ଲୋକଙ୍କ ଠାର ୫ଶହ ହେକ୍ଟର, ସରକାରୀ ଜମି ୫ଶହ ହେକ୍ଟର ଏବଂ ୧ହଜାର ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ହେବ । ଏଥିଲାଗି ଦଲାଲ ଓ କମ୍ପାନୀ ଅଧିକାରୀ ସକ୍ରିୟ ହେଲେଣି ।
ଗୋଟିଏ ଥର ବିସ୍ଥାପିତ ହୋଇ ଏଯାଏଁ କ୍ଷତିପୂରଣ ପାଇନାହାନ୍ତି । ତେଣୁ ଏବେ ବିସ୍ଥାପନ ବିରୋଧରେ ସ୍ବର ଉଠାଇଛନ୍ତି ପ୍ରଭାବିତ ହେବାକୁ ଥିବା ଲୋକ । ପୂର୍ବରୁ ଲୋକେ ବାରମ୍ବାର ପ୍ରତାରିତ ହୋଇ ସାରିଥିବା ବେଳେ ସେମାନେ ଆଉ କୌଣସି ପ୍ରଲୋଭନରେ ପଡିବାକୁ ଚାହୁଁ ନାହାନ୍ତି । ଦରକାର ପଡିଲେ ଭିଟାମାଟିକୁ ବଞ୍ଚାଇବାକୁ ଆନ୍ଦୋଳନ ଜୋରଦାର କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଜମି ଅଧିଗ୍ରହଣ ଗାଇଡଲାଇନ୍ ନେଇ ଜିଲ୍ଲା ପ୍ରଶାସନ ଅନ୍ଧାରରେ ରଖିଥିବା ଅଭିଯୋଗ ହୋଇଛି ।