ଝାରସୁଗୁଡ଼ାରେ ସାପ୍ତାହିକ ସଟଡାଉନ୍ କଟକଣା ବୃଦ୍ଧି

Published By : Prameya-News7 Bureau | August 14, 2020 IST

ଝାରସୁଗୁଡା୧୪/୮: ଝାରସୁଗୁଡା ଜିଲ୍ଲାରେ ଲାଗୁ ହୋଇଥିବା ସପ୍ତାହରେ ୨ ଦିନିଆ ସଟଡାଉନ୍ କଟକଣା ଅବଧି ବୃଦ୍ଧି ହୋଇଛି।ଅଗଷ୍ଟ  ୩୧ ଯାଏଁ ସପ୍ତାହରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ବନ୍ଦ କଟକଣାକୁ ବଢ଼ାଇ ଦିଆଯାଇଛି । ଜିଲ୍ଳାପାଳ ସରୋଜ କୁମାର ସାମଲ ଏ ସଂପର୍କରେ ସୂଚନା ଦେଇଛନ୍ତି।  

ଗତ ରାତିରେ ଜିଲ୍ଲାପାଳ ଜାରି କରିଥିବା ଆଦେଶ ଅନୁସାରେ ଜିଲ୍ଲାରେ ଲାଗୁ ରହିଥିବା ଶନିବାର-ରବିବାର ସପ୍ତାହିକ ସମ୍ପୂର୍ଣ୍ଣ ବନ୍ଦ କଟକଣାକୁ ଚଳିତ ମାସ ୩୧ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପାଳନ ପାଇଁ  କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ଅଗଷ୍ଟ ୧୫ ତାରିଖରେ ଶନିବାର ପଡ଼ୁଥିବାରୁ ସପ୍ତାହିକ କଟକଣା ଯୋଗୁଁ  ଉତ୍ସବ ପାଳନରେ ବାଧା ସୃଷ୍ଟି ହୋଇପାରେ।  ଏଣୁ  ସମସ୍ତ ପ୍ରକାରର ସାବଧାନତା ପାଳନ ସହ କଟକଣାରେ ରହି ସ୍ୱାଧୀନତା ଦିବସ ସମାରୋହ ପାଳନ କରିବାକୁ କୁହାଯାଇଛି ।

ସେହିଦିନ  ପାଇଁ ସକାଳ ୭ରୁ ଦିନ ୧୧ ଟା ଯାଏଁ କଟକଣା କୋହଳ କରାଯାଇଛି । ଏହି ସମୟ ମଧ୍ୟରେ ଲୋକେ ନିଜନିଜ ପ୍ରତିଷ୍ଠାନ ବିଭିନ୍ନ ସଂସ୍ଥାକୁ ଯାଉଥିବା ଲୋକମାନଙ୍କୁ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜନ କରିବା ଓ ଏଥିରେ ଯୋଗ ଦେବାପାଇଁ କଟକଣାକୁ କୋହଳ କରାଯାଇଛି । ସେହିପରି ଚଳିତ ମାସ ୨୨ ତାରିଖରେ  ଗଣେଶ ପୂଜା  ଓ ୨୩ ତାରିଖରେ ନୂଆଖାଇ ଲଗ୍ନ ଧାର୍ଯ୍ୟ ହୋଇଛି ।  ଏହି ଦୁଇ ଦିନ ମଧ୍ୟ ସପ୍ତାହିକ ସଟଡାଉନରେ ପଡୁଥିବାରୁ ଏହାକୁ କୋହଳ କରାଯାଇଛି ।

୨୨ତାରିଖରେ ଲୋକେ ନିଜନିଜ ଘରେ ରହି ଗଣେଶ ପୂଜା କରିବା ସହ ନୂଆଖାଇ ପର୍ବ ପାଳନ ପାଇଁ କିଣାକିଣି କରିବେ। ଏଣୁ ୨୨ ତାରିଖରେ ସକାଳ ୭ଟା ରୁ ଅପରାହ୍ଣ ୫ଟା ଯାଏଁ ବଜାର ଖୋଲା ରହିବ । ନୂଆଖାଇ ପର୍ବ ପାଳନ ପାଇଁ ୨୩ ତାରିଖରେ ସକାଳ ୭ରୁ ଅପରାହ୍ଣ ୧ଟା ଯାଏଁ କଟକଣାକୁ କୋହଳ କରାଯାଇଛି ବୋଲି  କୁହାଯାଇଛି ।ଏହି ତିନି ଦିନ ସ୍ଵାଧୀନତା ଦିବସ ପାଳନ, ଗଣେଶ ପୂଜା ସାଙ୍ଗକୁ ନୂଆଖାଇ ପାଳନ ପାଇଁ  କଟକଣା କୋହଳ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.