ନୂଆ ପୁରୁଣାକୁ ନେଇ ଦହଗଞ୍ଜ

Published By : Prameya-News7 Bureau | July 29, 2018 IST

ଝାରସୁଗୁଡା ଜିଲ୍ଲାରେ ଚିକିତ୍ସା ବ୍ୟବସ୍ଥା ଠପ ହେବାକୁ ଯାଉଛି। ଜିଲ୍ଲାରେ ପୁରୁଣା ଓ ନୂଆ ହସ୍ପିଟାଲକୁ ନେଇ ରୋଗୀଙ୍କ ଦହଗଞ୍ଜ ବଢିଯାଇଥିବା ବେଳେ ଭବିଷ୍ୟତ ଆନ୍ଦୋଳନ ଦାନା ବାନ୍ଧୁଛି। ଗୋଟିଏ ପଟେ ରହିଛି ନବନିର୍ମିତ ବହୁତଳ ପ୍ରାସାଦ ଡାକ୍ତରଖାନା ଅନ୍ୟପଟେ ରହିଛି ପୁରୁଣା ଡାକ୍ତରଖାନା | ପୁରୁଣା ଡାକ୍ତରଖାନାରେ ରୋଗୀଙ୍କ ଲମ୍ବାଧାଡି ଲାଗିଥିବା ବେଳେ ନୁଆ ଡାକ୍ତରଖାନାକୁ ରୋଗୀ ଯିବାକୁ ଅମଙ୍ଗ | ଝାରସୁଗୁଡା ଜିଲ୍ଲାର ମଙ୍ଗଳବଜାର ଅଞ୍ଚଳରେ ସ୍ୱାଧୀନତା ପୂର୍ବରୁ ରହିଛି ସଦର ଡାକ୍ତରଖାନା।୧୯୯୪ ମସିହାରେ ଝାରସୁଗୁଡା ଜିଲ୍ଲା ମାନ୍ୟତା ପାଇଲା ପରେ ଏହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିଣତ ହୋଇ ୧୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ହେଲା। ୨୦୧୩ ମସିହାରେ ଝାରସୁଗୁଡାରେ ୭୦ କୋଟି ଟଙ୍କା ବ୍ୟୟ ଅଟକଳ ରେ ୩୦୦ ଶଯ୍ୟା ବିଶିଷ୍ଟ ୭ ମହଲା ଡାକ୍ତରଖାନାର ଶୁଭ ଦିଆଗଲା ମାଳିମୁଣ୍ଡା ନିକଟରେ । ଗତ ଜାନୁଆରୀ ମାସରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଏହି ଡାକ୍ତରଖାନାର ଉଦଘାଟନ କରିଥିଲେ। ସେତେବେଳେ ପୁରୁଣା ଡାକ୍ତରଖାନା ସ୍ଥାନାନ୍ତର ବିରୋଧରେ ଆନ୍ଦୋଳନ ଚାଳଥିଲା ।ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ ପୁରୁଣା ହସ୍ପିଟାଲକୁ ରଖାଯିବାର ନିଷ୍ପତ୍ତି ନିଆଯିବା ସତ୍ତ୍ୱେ ଗତ ବୁଧବାର ଦିନ ୪ ଜଣ ରୋଗୀଙ୍କୁ ନୂତନ ଡାକ୍ତରଖାନାକୁ ପଠାଯାଇଥିଲା।ସେଠାକୁ ରୋଗୀମାନେ ଯିବାପରେ ଦେଖିଲେ ପାଣି,ବିଜୁଳି ସଂଯୋଗ ନଥିଲା।ସଂଧ୍ୟା ପର୍ଯ୍ୟନ୍ତ ରୋଗୀମାନେ ଅଟକିବା ସତ୍ତ୍ୱେ ନା ଡାକ୍ତର ନା ନର୍ସ କେହି ବି ଆସିଲେ ନାହିଁ ରୋଗୀଙ୍କୁ ଦେଖିବାକୁ।ବାଧ୍ୟହୋଇ ସେମାନେ ପୁଣି ଫେରିଲେ ପୁରୁଣା ଡାକ୍ତରଖାନାକୁ। ଅପରପକ୍ଷେ ପୁରୁଣା ହସ୍ପିଟାଲରେ ମଧ୍ୟ ରୋଗୀଙ୍କୁ ଠିକ୍ ଢଙ୍ଗରେ ଚିକିତ୍ସା କରାଯାଉ ନଥିବାରୁ ରୋଗୀ ଡାକ୍ତରଖାନା ଛାଡି ପଳାଉଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.