ଶେଷରେ କଂଗ୍ରେସ ଛାଡିଲେ ଝାରସୁଗୁଡା ବିଧାୟକ ନବ କିଶୋର ଦାସ ; ନିରଞ୍ଜନ କହିଲେ ଯାହାର ଯେଉଁଠି ସ୍ବାର୍ଥ ସେ ଦଳବଦଳ କରୁଛି

Published By : Prameya-News7 Bureau | January 16, 2019 IST

ଭୁବନେଶ୍ବର ୧୬|୧: ଶେଷରେ କଂଗ୍ରେସ ଛାଡିଲେ ଝାରସୁଗୁଡା ବିଧାୟକ ନବ କିଶୋର ଦାସ । ଦୁଇ ଦିନ ତଳେ ସେ କଂଗ୍ରେସ ଛାଡି ଆସନ୍ତା ୨୪ତାରିଖ ଦିନ ବିଜେଡିରେ ଯୋଗ ଦେଉଥିବା ସ୍ପଷ୍ଟ କରିଥିଲେ । ଗତ କିଛି ଦିନ ହେଲା ନବକିଶୋର ଦାସ କଂଗ୍ରେସ ଛାଡିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ନବ ବାରମ୍ବାର କହୁଥିଲେ ଯେ, ସେ କଂଗ୍ରେସ ଛାଡିବେ ନାହିଁ । ବରଂ ୨୦୧୯ ନିର୍ବାଚନରେ ସେ ହାତ ଚିହ୍ନରେ ହିଁ ଲଢିବେ । ଏଭଳି ମନ୍ତବ୍ୟ ଦେବାର ୨୪ଘଣ୍ଟା ନପୁରୁଣୁ ବିଜେଡିରେ ଯୋଗଦେବା ନେଇ ନବ ଝାରସୁଗୁଡା ଜିଲ୍ଲା ବିଭିନ୍ନ କର୍ମୀ ସମ୍ମିଳନୀରେ ଆଲୋଚନା କରୁଥିବା କଥା ପଦାକୁ ଆସିଥିଲା । ଏହାପରେ ନବ ଦାସ ବାଧ୍ୟ ହୋଇ ଗଣମାଧ୍ୟମକୁ ସେ ବିଜେଡିରେ ଯୋଗଦେବା ପାଇଁ ମନସ୍ତ କରିଥିବା ପ୍ରକାଶ କରିଥିଲେ । କର୍ମୀ ଓ ଭୋଟରଙ୍କ ମତାମତ ନେଇ ସେ ଏଭଳି ପଦକ୍ଷେପ ନେଇଥିବା କହିଥିଲେ ।

ଆସନ୍ତା ୨୪ତାରିଖ ଦିନ ମୁଖ୍ୟମନ୍ତ୍ରୀ ଝାରସୁଗୁଡାଠାରେ କ୍ୟାନସର ହସ୍ପିଟାଲର  ଶିଳାନ୍ୟାସ ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ କାଯ୍ୟକ୍ରମ ରହିଛି । ଏହି ସମୟରେ ନବ ନିଜ ସମର୍ଥକଙ୍କ ସହ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେବେ । ନବଙ୍କ ପରେ ପରେ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ, ସାଲେପୁର ବିଧାୟକ ପ୍ରକାଶ ବେହେରା ମଧ୍ୟ ବିଜେଡିରେ ଯୋଗଦେବା ପାଇଁ ପ୍ରକ୍ରିୟା ଚାଲିଥିବା ସୂଚନା ମିଳିଛି । ଏପରିକି ତଳସରା ବିଧାୟକ ପ୍ରଫୁଲ୍ଲ ମାଝୀ ମଧ୍ୟ କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଆଜି ପ୍ରଫୁଲ୍ଲ ଏଭଳି ସମ୍ଭାବନାକୁ ଅସ୍ବୀକାର କରିଛନ୍ତି ।

ଅପରପକ୍ଷରେ ନବ ଦାସ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଯାହାର ଦଳ ଛାଡିବା କଥା ସେ ଶୀଘ୍ର ଦଳ ଛାଡନ୍ତୁ । ତେବେ ଆଜି ନବ ଦାସ ଇସ୍ତଫା ଦେବା ପରେ ପିସିସି ସଭାପତି କହିଛନ୍ତି ଯେ, ଏ ଖବର ଶୁଣି ସେ ଅତ୍ୟନ୍ତ ଦଃଖିତ । ରାଜନୀତିର ବ୍ୟବସାୟୀକରଣ ହୋଇସାରିଲାଣି । ଯେଉଁ ଦଳରୁ ଯାହାକୁ ଫାଇଦା ମିଳୁଛି ସେ ଦଳକୁ ସେ ଯାଉଛି । ଆଦର୍ଶର ରାଜନୀତି ଆଉ ନାହିଁ ବୋଲି ନିରଞ୍ଜନ କ୍ଷୋଭର ସହ ପ୍ରକାଶ କରିଛନ୍ତି ।

ନବ ଦାସ ତାଙ୍କ ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଥିବା ସୂଚନା ଦେଇଛନ୍ତି ।

{"id":74612}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.