ବିଜେଡି ପାଇଁ ଏବେ ଅଡୁଆ ସାଜିଛନ୍ତି କଂଗ୍ରେସ ବିଧାୟକ ନବ ଦାସ : ପୁଅ ପାଇଁ ମାଗୁଛନ୍ତି ରେଢ଼ାଖୋଲ ଟିକଟ

Published By : Prameya-News7 Bureau | December 04, 2018 IST

ଭୁବନେଶ୍ୱର ୪/୧୨ : ଝାରସୁଗୁଡା ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଖୁବ ଶୀଘ୍ର ବିଜେଡିରେ ଯୋଗ ଦେଇ ପାରନ୍ତି ବୋଲି ଆଲୋଚନା ହେଉଛି | ତେବେ ବିଜେଡି ଭିତିରିଆ ସୂତ୍ରରୁ ଜଣାପଡିଛି ଯେ, ବିଜେଡିରେ ଯୋଗଦେବା ପାଇଁ ନବ ଦାସ ଯେଉଁ ସର୍ତ୍ତ ବିଜେଡି ଆଗରେ ରଖିଚାହଁନ୍ତି ତାକୁ ବିଜେଡି ସହଜରେ ଗ୍ରହଣ କରିପାରୁନାହିଁ | କାରଣ ନବ ଦାସଙ୍କ ସର୍ତ୍ତ ବିଜେଡି ଗ୍ରହଣ କଲେ ଟିକେଟ ବଣ୍ଟନ ବେଳେ ଦଳୁଆ ନେତୃତ୍ୱକୁ ଧର୍ମ ସଙ୍କଟର ସମ୍ମୁଖୀନ ହେବାକୁ ପଡିବ | ସୂଚନା ମୁତାବକ, ଝାରସୁଗୁଡା ବିଧାୟକ ନବ କିଶୋର ଦାସଙ୍କ ପୁଅ ବିଶାଳ ଦାସ ବିଦେଶରେ ଅଧ୍ୟୟନ ସମାପ୍ତ କରିବା ପରେ ଏବେ ଝାରସୁଗୁଡା ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପଦ ସମ୍ଭାଳୁଛନ୍ତି | ଝାରସୁଗୁଡା କଂଗ୍ରେସରେ ନବ ଦାସଙ୍କର ଦବଦବା ରହିଛି | ଯଦିଓ ପୁରୁଣା ପୁରୁଖା ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଏହି ଜିଲ୍ଲାରେ ରହିଛନ୍ତି ତଥାପି ନବ ଦାସ ଯୁବ ଗୋଷ୍ଠୀଙ୍କୁ ପ୍ରଭାବିତ କରି କଂଗ୍ରେସରେ ନିଜ ସ୍ଥିତିକୁ ମଜବୁତ ରଖିଛନ୍ତି | ବିଜେଡିକୁ ସେ ଡ଼େଇଁବେ ବୋଲି ଯେଉଁ ଯୋଜନା କରିଛନ୍ତି ତା'ପଛରେ ଦୁଇଟି ମୁଖ୍ୟ କାରଣ ରହିଛି | ପ୍ରଥମ କାରଣଟି ହେଲା, ଝାରସୁଗୁଡାରେ ପୁରୁଖା ନେତା ହେମାନନ୍ଦ ବିଶ୍ୱାଳ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛନ୍ତି | ଏବଂ ହେମାନନ୍ଦଙ୍କୁ ସମର୍ଥନ କରୁଥିବା ଲୋକେ ନବ ଦାସଙ୍କୁ ଗ୍ରହଣ କରିବା ଲାଗି ପଛଘୁଞ୍ଚା ଦେଇପାରନ୍ତି | ଫଳରେ ଆଗାମୀ ନିର୍ବାଚନରେ ନବ ଦାସ ଝାରସୁଗୁଡାରୁ ଜିତିବା ହୁଏତ ମୁସ୍କିଲ ହୋଇପାରେ | ଦ୍ୱିତୀୟ ମୁଖ୍ୟ କାରଣଟି ହେଲା, ଲଗାତାର ୩ଥର ଧରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ କଂଗ୍ରେସ କ୍ଷମତାକୁ ଆସୁନଥିବାରୁ ଶାସକ ଦଳ ବିଧ୍ୟାକମାନେ ଯେତେ ସୁବିଧା ପାଉଛନ୍ତି ନବ ଦାସ ସେଥିରୁ ବଂଚିତ ହେଉଛନ୍ତି | ତେଣୁ ଶାସକ ଦଳ ବିଧାୟକ ହେବା ପାଇଁ ତାଙ୍କ ମନରେ ମଧ୍ୟ ଇଛା ରହିଛି | ତେବେ ବିଜେଡିରେ ଯୋଗ ଦେବା ପାଇଁ ନବ କୁଆଡେ ଏକ ବଡ ସର୍ତ୍ତ ବିଜେଡି ଆଗରେ ରଖିଥିବା ଚର୍ଚ୍ଚା ହେଉଛି | ସର୍ତ୍ତଟି ହେଲା, ସେ ବିଜେଡିରେ ଯୋଗଦେଲେ ତାଙ୍କୁ ଝାରସୁଗୁଡାରୁ ବିଧାନସଭା ନିର୍ବାଚନ ଲଢ଼ିବା ଲାଗି ବିଜେଡି ଟିକେଟ ଦେବା ସଂଗେସଂଗେ ତାଙ୍କ ପୁଅଙ୍କୁ ବିଶାଳ ଦାସଙ୍କୁ ରେଢ଼ାଖୋଲ ଆସନରୁ ନିର୍ବାଚନ ଲଢ଼ିବା ଲାଗି ଟିକେଟ ଦେବା | ତେବେ ନବଙ୍କର ଏହି ଦାବିକୁ ବିଜେଡି ଗ୍ରହଣ କରିବା ମାତ୍ରେ ନିଜ ଗୋଡରେ ନିଜେ କୁରାଢ଼ୀ ମାରିବା ସଦୃଶ୍ୟ ହୋଇପାରେ | କାରଣ ବିଜେଡିରେ ଥିବା ବହୁ ବରିଷ୍ଠ ନେତାଙ୍କ ସନ୍ତାନମାନେ ଏବେ ରାଜନୀତିରେ ସକ୍ରିୟ ଅଛନ୍ତି | ସେମାନେ ମଧ୍ୟ ଦଳୀୟ ଟିକେଟ ପାଇଁ ଆଶାୟୀ | ସନ୍ତାନମାନଙ୍କର ରାଜନୈତିକ ଇଛା ଓ ଭବିଷ୍ୟତକୁ ଆଖି ଆଗରେ ରଖି ବରିଷ୍ଠ ନେତାମାନେ ଭୋଟ ରାଜନୀତିରୁ ସନ୍ୟାସ ଘୋଷଣା କରିସାରିଲେଣି | ବିଜୟ ଶ୍ରୀ ରାଉତରାୟ ନିକଟରେ କହିଥିଲେ ଯେ, ସେ ଆଗାମୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ | ସେ ଏଭଳି ଘୋଷଣା କରିବା ପଚାର କାରଣ ହେଉଛି ଭଦ୍ରକ ଜିଲ୍ଲା ରାଜନୀତିରେ ବେଶ ସକ୍ରିୟ ଥିବା ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟଙ୍କୁ ବିଜେଡି ଟିକେଟ ଦେବା | ସେହିଭଳି ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ମଧ୍ୟ ଭଦ୍ରକ ଜିଲ୍ଲା ବିଜେଡିରେ ସକ୍ରିୟ ଅଛନ୍ତି | ନିଜ ପୁଅଙ୍କ ପାଇଁ ଟିକଟ ଲାଗି ସେ ମଧ୍ୟ ରାଜନୀତିରୁ ଓହରିବା କଥା କହିପାରନ୍ତି | ବିଜେଡିରେ ଏଭଳି ବହୁତ ନେତା ଅଛନ୍ତି ଯେଉଁମାନେ ନିଜ ପୁଅଙ୍କ ପାଇଁ ମଧ୍ୟ ଟିକେଟ ଚାହୁଁଛନ୍ତି | ତେବେ ବିଜେଡି ଏକ ଅଲିଖିତ ନିୟମ କରିଛି ଯେ, ପରିବାରରେ କେବଳ ଜଣଙ୍କୁ ଟିକଟ ଦିଆଯିବ | ସେଥିପାଇଁ ପୁଅ ବିପ୍ଳବ ପାତ୍ର ପାଇଁ ସୂର୍ଯ୍ୟ ପାତ୍ର, ପୁଅ ଆଦିତ୍ୟ ଶତପଥୀ ପାଇଁ ବିଧାୟକ ଆମର ଶତପଥୀ, ପୁଅ ପ୍ରୟାସକାନ୍ତ ସାମଲ ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଆଦି ନେତାମାନେ ନିଜେ ଭୋଟ ରାଜନୀତିରୁ ଦୁରେଇ ରହିବା ଚିନ୍ତା କରୁଛନ୍ତି | କିନ୍ତୁ ନବ ଦାସଙ୍କ ସର୍ତ୍ତ ଅନୁସାରେ ଯଦି ତାଙ୍କୁ ଝାରସୁଗୁଡାରୁ ଏବଂ ତାଙ୍କ ପୁଅ ବିଶାଳଙ୍କୁ ରେଢ଼ାଖୋଲରୁ ଟିକଟ ଦିଆଯାଏ ତାହେଲେ ବିଜେଡିରେ ବାପା-ପୁଅ ସମସ୍ତେ ଟିକେଟ ପାଇବା ପାଇଁ ଦାବି କରିବେ | ଫଳରେ ଟିକେଟ ଆବଣ୍ଟନ ବେଳେ ବିଜେଡି ନେତୃତ୍ୱକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ | କେବଳ ସେତିକି ନୁହେଁ ଦଳ ଭିତରେ ଅସନ୍ତୋଷର ବାତାବରଣ ସୃଷ୍ଟି ହେବ | ତେଣୁ ବିଜେଡି ଏବେ ହାତେ ମାପି ଚାଖଣ୍ଡେ ଚାଲିବା କଥା ଚିନ୍ତା କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.