ଝାରସୁଗୁଡା କଲେକ୍ଟରିଏଟ୍ ନିକଟରେ ଭୁଶୁଡିଲା ପାଉଁଶ ପାହାଡ, ପୋତି ହେଲା ପ୍ରାକୃତିକ ଜଳ ସ୍ରୋତ, କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେପି ଏବଂ କଂଗ୍ରେସ

Published By : Prameya-News7 Bureau | August 14, 2020 IST

ଝାରସୁଗୁଡା, ୧୪|୦୮ :  ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛ ପାଖରେ ଥିବା  ଏକ ପାଉଁଶ ପାହାଡ଼ ଭୁଶୁଡ଼ି ପଡିଛି । ଗତ ଦୁଇଦିନ ଧରି ହେଉଥିବା ପ୍ରବଳ ବର୍ଷାରେ ଏହା ଭୁଶୁଡ଼ି ପଡିଥିବା କୁହାଯାଉଛି । ଫଳରେ ନିକଟରେ ଥିବା ଏକ ପ୍ରାକୃତିକ ଜଳ ସ୍ରୋତ ପୋତି ହୋଇ ଯାଉଥିବା ଦେଖିବାକୁ ମିଳିଛି ।

ଗତ ଏକ ବର୍ଷ ରୁ ଅଧିକ ସମୟ ଧରି ବିଭିନ୍ନ କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛ ପଟେ ଗଦା କରାଯାଉଛି । ଅବ୍ୟବହୃତ ଖାଲୁଆ ଅଞ୍ଚଳ ଜମି ପୋତିବାକୁ କହି ସମଗ୍ର ଅଞ୍ଚଳରେ ପାଉଁଶ ପାହାଡ଼ କରାଯାଇଥିବା ଅଭିଯୋଗ କରିଛି ବିଜେପି। ଖୋଦ୍ ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ଅନୁମତି ପ୍ରଦାନ କରାଯାଇଛି ।  ମାତ୍ର ବେଦାନ୍ତ ଏକ ପରିବହନ ସଂସ୍ଥା ମାଧ୍ୟମରେ  ସେହି ଖାଲୁଆ ଜମିକୁ ପୋତି ସମତଳ କରିବା ପରିବର୍ତେ ବେଆଇନ ଭାବରେ  ତା ଉପରେ ପାଉଁଶର ପାହାଡ ସୃଷ୍ଟି କରିଦେଇଛି । କେବଳ ପଞ୍ଚପଡା ନୁହେଁ ସହରାଞ୍ଚଳରେ ଅନେକ ସ୍ଥାନରେ ଏପରି  ପାଉଁଶ ପାହାଡ଼ ସୃଷ୍ଟି କରିଛି । ବର୍ଷା ହେଲେ ସେହି ପାଉଁଶ ପାହାଡ଼ ସବୁ ଭୁଶୁଡ଼ି ପଡି ନିକଟସ୍ଥ ଚାଷ ଜମି  ଓ ପ୍ରାକୃତିକ ଜଳସ୍ରୋତ ଝରଣା ଓ ନଦୀ ନାଳରେ ମିଶୁଛି ।  ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପଟରେ ଥିବା ଏକ ପ୍ରାକୃତିକ ଝରଣା ମଧ୍ୟ ପୋତି ହୋଇଯାଇଛି । ସେହି ପାଉଁଶ ଏବେ ବର୍ଷାରେ ଧୋଇ ହୋଇ  ଇବ୍ ନଦୀ ରେ ମିଶୁଛି । ଯାହାକି  ହୀରାକୁଦ ଜଳଭଣ୍ଡାରକୁ  ପ୍ରଭାବିତ କରିବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।  

ବିଜେପିର ଏକ ପ୍ରତିନିଧି ଦଳ ଘଟଣାସ୍ଥଳର ପରିଦର୍ଶନ କରିବା ପରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଚନ୍ତି। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି  ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ  କହିଛନ୍ତି। ସେପଟେ ବିଜେପି ନେତା ଅଭିଯୋଗ କରିଛନ୍ତି ଯେ, କମ୍ପାନୀମାନେ ଭୟଙ୍କର ଅବସ୍ଥା ସୃଷ୍ଟି କରୁଛନ୍ତି ଫଳରେ ଝାରସୁଗୁଡାର ପରିବେଶ ନଷ୍ଟ ହେଉଛି । ଏହି ଅଞ୍ଚଳରେ ଚାଷ ଜମି ଗୁଡିକ ମଧ୍ୟ ପ୍ରଭାବିତ ହେବ । ଇବ୍ ନଦୀ ଓ ହୀରାକୁଦ ଜଳଭଣ୍ଡାର ମଧ୍ୟ ପୋତି ହୋଇଯିବ ।  ତେଣୁ  ତୁରନ୍ତ ଏପରି ବେଆଇନ କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଛନ୍ତି । ଅପର ପକ୍ଷରେ କଂଗ୍ରେସ ପକ୍ଷରୁ ମଧ୍ୟ ଏହି ଘଟଣାର ତଦନ୍ତ ଦାବି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.