ନୀଳଗିରିରେ ଝାଡଖଣ୍ଡିୀ ଓ ପାଇକମାଳରେ ଛତିଶଗଡି ହାତୀ ଉପଦ୍ରବ

Published By : Prameya-News7 Bureau | October 31, 2018 IST

ଭୁବନେଶ୍ବର ୩୧|୧୦: ବରଗଡ଼ ପାଇକମାଳ ଓ ବାଲେଶ୍ବର ନୀଳଗିରିରେ ହାତୀ ଉତ୍ପାତ । ଛତିଶଗଡ଼ରୁ ଚାଲି ଆସିଥିବା ଗୋଟିଏ ଦନ୍ତା ପାଇକାଳ ଓ ନୃସିଂନାଥ ଅଞ୍ଚଳରେ ଲୋକଙ୍କ ସହ ବନ ବିଭାଗର ନିଦ ହଜେଇ ଦେଲାଣି । ସପ୍ତାହକ ମଧ୍ୟରେ ତିନି ଜଣଙ୍କ ଜୀବନ ନେଲାଣି ଦନ୍ତା । ସେପଟେ ନୀଳଗିରିରେ ଏଥର ମାସକ ପୂର୍ବରୁ ପହଞ୍ଚି ଗଲେଣି ୭୫ ରୁ ଅଧିକ ଝାଡଖଣ୍ଡି ହାତୀ । .. ବରଗଡ଼ ପାଇକମାଳରେ ନରହନ୍ତା ଦନ୍ତା ଆତଙ୍କ । ଇଏ ସେଇ ଦନ୍ତା, ଯିଏ ସପ୍ତାହକ ମଧ୍ୟରେ ନେଲାଣି ତିନି ଜଣଙ୍କ ଜୀବନ । ଛତିଶଗଡ଼ରୁ ଚାଲି ଆସିଥିବା ଏ ଦନ୍ତା ପାଇକମାଳ ଓ ଝାରବନ୍ଧ ବ୍ଲକର କିଛି ଗାଁରେ ଉତ୍ପାତ ମଚାଇଛି । ଦିନରେ ହାତୀ ଭୟରେ ତାଟି କବାଟ ପଡିଯାଉଛି । ଦନ୍ତା ଆକ୍ରମଣରେ ବଣ୍ଡାମୁଣ୍ଡା ଗାଁର ଧୁବା ନାୟକ, ତୁର୍ଲା ଗାଁର ସତ୍ୟ ସାହୁ ଡୁଡୁକିଦାଦର ଗାଁର ଚକ୍ରଧର ବରିହାଙ୍କ ମୃତ୍ୟୁ ହୋଇଛି । କେତେବେଳେ ଦନ୍ତା ବିଲରେ ପଶି ଫସଲ ଖାଇ ଦଳି ଚକଟି ନଷ୍ଟ କରୁଛି ତ କେତେବେଳେ ଗାଁରେ ପଶି ଆତଙ୍କ ଖେଳାଉଛି । ଦନ୍ତାକୁ ଛତିଶଗଡ଼କୁ ଘଉଡାଇଦେବାକୁ ବନ ବିଭାଗ ଉଦ୍ୟମ ଜାରି ରଖିବା ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗାଁ ଗାଁରେ ସଚେତନ କରୁଛି । ସେପଟେ ବାଲେଶ୍ବର ନୀଳଗିରିରେ ବି ହାତୀଙ୍କୁ ନେଇ ଆତଙ୍କ । ଝାଡଖଣ୍ଡ ଦଲମା ଜଙ୍ଗଲରୁ ୭୫ ରୁ ଅଧତ୍କ ହାତୀ ଦୁଇଟି ଦଳରେ ନୀଳଗିରି ଅଞ୍ଚଳକୁ ଚାଲିଆସି ଆତଙ୍କ ଖେଳାଇଛନ୍ତି ।  ଗୋଟିଏ ଦଳରେ ୪୦, ଅନ୍ୟ ଏକ ଦଳରେ ପାଖାପାଖି ୩୫ ହାତୀ ଅଛନ୍ତି । ପ୍ରତିବର୍ଷ ନଭେମ୍ବର ଶେଷ ଆଡକୁ ଝାଡଖଣ୍ଡରୁ ହାତୀ ପଲ ନୀଳଗୀରି ଆସୁଥିବା ବେଳେ ଏ ବର୍ଷ ପ୍ରାୟ ମାସକ ପୂର୍ବରୁ ପହଞ୍ଚି ଯାଇଛନ୍ତି । ଦିନରେ ଜଙ୍ଗଲରେ ରହୁଛନ୍ତି, ରାତି ହେଲେ ଜଙ୍ଗଲ ପାଖ କ୍ଷେତରେ ଫସଲ ନଷ୍ଟ କରୁଛନ୍ତି ହାତୀ ପଲ।  ଦଳ ବଦ୍ଧ ଭାବେ ହାତୀ ପଲ ମାଡି ଆସୁଛନ୍ତି ଫସଲ କ୍ଷେତକୁ । ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ହାତୀଙ୍କ ଗତିବିଧି ଉପରେ ନଜର ରଖିବା ଛଡା ବନ ବିଭାଗ ପାଖରେ କିଛି ଚାରା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.