କରାଟେ ଚାମ୍ପିଅନଙ୍କ ଏ କି ଅବସ୍ଥା… ଖେଳ ନୁହେଁ ବଞ୍ଚିବାକୁ ବିକଳ ସଂଘର୍ଷ, ଯେଉଁ ହାତରେ ମାଳମାଳ ପଦକ ସେହି ହାତରେ ବିକୁଛନ୍ତି ମଦ

Published By : Prameya-News7 Bureau | October 19, 2020 IST

ରାଞ୍ଚି, ୧୯|୧୦:  ଝାଡଖଣ୍ଡର ବିମଳା ମୁଣ୍ଡା । ଜିତିଛନ୍ତି ଡଜନେରୁ ଅଧିକ ପଦକ । ଜାତୀୟ ସ୍ତରରେ କରାଟେରେ ଚାମ୍ପିଅନ ମଧ୍ୟ । ଏବେ କିନ୍ତୁ ବିକୁଛନ୍ତି ମଦ । କୌଣସି ରୋଜଗାର ନପାଇ ଶେଷରେ ସେ ମଦ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

ବିମଳାଙ୍କ ପରିବାର ଲୋକେ ଏବେ ବହୁ କଷ୍ଟରେ ଗୁଜୁରାଣ ମେଣ୍ଟାଉଛନ୍ତି । କାରଣ କୌଣସି ରୋଜଗାର ନାହିଁ । ତେଣୁ ଅନ୍ୟ ଉପାୟ ନପାଇ ମଦ ବିକ୍ରି କରୁଛନ୍ତି ପଦକ ବିଜୟିନୀ ।

ଏନେଇ ବିମଲା କହିଛନ୍ତି ଯେ, ତାଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନୁହେଁ । ପରିବାର ମଧ୍ୟ ବହୁ କଷ୍ଟରେ ଚଳୁଛନ୍ତି । ଏହା ସେ ଦେଖି ପାରିନଥିଲେ । ତେଣୁ ଲକଡାଉନ୍ ସମୟରେ ସେ ମଦ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ । ଏଥିରୁ ଯାହା ଆୟ ହେଉଛି ସେ ସେଥିରେ କରାଟେ ପ୍ରାକ୍ଟିସ କରୁଛନ୍ତି ।

ଏହି ଖେଳ ପାଇଁ ସେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ଫି ଦିଅନ୍ତି । ଏହାସହ କେଉଁଆଡେ ଗସ୍ତ କଲେ ମଧ୍ୟ ନିଜ ଖର୍ଚ୍ଚ ନିଜେ ବହନ କରିବାକୁ ପଡେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଜିତିଥିବା ପଦକ ରଖିବା ପାଇଁ ତାଙ୍କ ଘରେ  ସ୍ଥାନର ଅଭାବ ଅଛି । କାରଣ ସେମାନଙ୍କର ଛୋଟ ଘର । ତାଙ୍କ ମାଆ ଦିନ ମଜୁରିଆ ଭାବେ କାମ କରନ୍ତି । କିନ୍ତୁ ଏବେ ବାର୍ଦ୍ଧକ୍ୟ ଅବସ୍ଥା ଓ ସ୍ୱାସ୍ଥ୍ୟାବସ୍ଥା ପାଇଁ କାମକୁ ଆଉ ଯାଉ ନାହାଁନ୍ତି ।

ସୂଚନାଯୋଗ୍ୟ, ବିମଳା ଆକାଉଣ୍ଟିଂରେ ସ୍ନାତକ ଶିକ୍ଷା ଗ୍ରହଣ କରିଛନ୍ତି । ସେ ପଞ୍ଚମ ଶ୍ରେଣୀରୁ କରାଟେ ଶିଖୁଛନ୍ତି । ଜାତୀୟ ଓ ରାଜ୍ୟ ସ୍ତରରେ ପ୍ରାୟ ସେ ୧୨ରୁ ଅଧିକ ପଦକ ଜିତିଛନ୍ତି । କିନ୍ତୁ ସରକାରୀ ସ୍ତରରେ ତାଙ୍କୁ କିଛି ପ୍ରୋତ୍ସାହନ ମିଳିନଥିଲା । ତେଣୁ ସେ ବାଧ୍ୟ ହୋଇ ହାଣ୍ଡିଆ ବିକ୍ରି କରିବାକୁ ବାଧ୍ୟ ହୋଇଥିବା କହିଛନ୍ତି ।

ଏହି ଖବର ସାମ୍ନାକୁ ଆସିବା ପରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ଦ ସୋରେନ ବିମଳାଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.