ଦଲାଲଙ୍କଠୁ ରକ୍ଷା ପାଇବା ପାଇଁ ଚାଲିଥିଲେ ୨ମାସ ,ଅନେକ ରାତି କଟାଇଥିଲେ ଗଛରେ : ପଢ଼ନ୍ତୁ ପୀଡ଼ିତା କିଶୋରୀଙ୍କ ଏହି ଲୋମଟାଙ୍କୁରା କାହାଣୀ

Published By : Prameya-News7 Bureau | January 05, 2020 IST

ରାଞ୍ଚି ୫/୧: ଝାଡ଼ଖଣ୍ଡରେ ମାନବ ସମ୍ବେଦନାକୁ କୁଠାରଘାତ କରିଥିବା ଏକ ଘଟଣା ସାମନାକୁ ଆସିଛି। ଦଲାଲମାନେ ଜଣେ ୧୬ବର୍ଷ ବୟସର କିଶୋରୀଙ୍କୁ ଦିଲ୍ଲୀରେ ବିକ୍ରି କରି ଦେଇଥିଲେ। କିଶୋରୀ ବିକ୍ରେତା ଘରେ ବନ୍ଧକ ହୋଇ ରହିଥିଲେ। ଘରୋଇ କାମ କରାଇବା ସହ ବିକ୍ରେତା ତାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିଲା। ତାଙ୍କୁ ନିସ୍ତୁକ ପିଟୁଥିଲା। ପାଖାପାଖି ୪୫ଦିନ ଯାଏଁ ପୀଡ଼ିତା ସବୁ ପ୍ରକାର ଅତ୍ୟାଚାର ସହିଥିଲେ। ଥରେ ରାତିରେ ସାହସ ଜୁଟାଇ ସେ ତାଙ୍କ ଜାଲରୁ ଖସି ଆସିଥିଲେ। ସେତେବେଳେ ତାଙ୍କ ପାଖରେ ଟଙ୍କାପଇସା ନଥିଲା କି କାହା ମୋବାଇଲ୍ ନମ୍ବର ମଧ୍ୟ ନଥିଲା।

ସେ ହିନ୍ଦୀ କହିପାରୁନଥିଲେ କି ପଢ଼ି,ଲେଖି କିମ୍ବା ବୁଝିପାରୁନଥିଲେ। ସେ କେବଳ ସାନ୍ତାଳୀ ଭାଷା କହିପାରୁଥିଲେ। ଘରକୁ ପହଞ୍ଚିବାପାଇଁ ସେ ପାଖାପାଖି ୨ମାସ ଚାଲିଥିଲେ। ସେ ଅତ୍ୟନ୍ତ ସାହସର ପରିଚୟ ଦେଖାଇଥିଲେ। ଏହି ସମୟରେ କୌଣସି ବିପଦ ମୁହଁରୁ ବଞ୍ଚିବା ପାଇଁ ସେ ଅନେକ ରାତି ଗଛରେ କାଟିଥିଲେ। ଶେଷରେ ତାଙ୍କର ସଂଘର୍ଷ କାମ ଆସିଛି ଏବଂ ଦୁଇ ମାସ ପରେ ସେ ନିଜ ଘରକୁ ପହଞ୍ଚିଥିଲେ।

ଘଟଣାଟି ଘଟିଛି ଝାଡ଼ଖଣ୍ଡର ପଛୁଆ ଜିଲ୍ଲାର ସାହିବଗଞ୍ଜର ଏକ ଗାଁର କିଶୋରୀ ସହ। ତାଙ୍କ ବାପାଙ୍କ ପରଲୋକ ହୋଇ ସାରିଛି ଏବଂ ତାଙ୍କ ମାଆ ଦିନ ମଜୁରିଆ କାମ କରନ୍ତି। ପୀଡ଼ିତାଙ୍କ ମାମଲାକୁ ବାଳ କଲ୍ୟାଣ ସମିତି ଦେଖୁଛନ୍ତି।

ନିଜ ଘରକୁ ପହଞ୍ଚିବା ପାଇଁ ଏହି ଆଦିବାସୀ କିଶୋରୀ ଦୁଇ ମାସ ଯାଏଁ ଅଜଣା ରାସ୍ତା​ରେ ଚାଲି ଚାଲି ଯାଇଥିଲେ। ଏହି ସମୟରେ ଭୋକ ଲାଗୁଥିଲେ କୌଣସି ଲାଇନ୍ ହୋଟେଲରେ ବାସନ ମାଜି ବେଳେବେଳେ ଖାଦ୍ୟ ମିଳିଯାଉଥିଲା ତ କେତେବେଳେ କାହାର ଅଇଁଠା ଖାଇ ଦିନ କାଟିବାକୁ ପଡ଼ୁଥିଲା। ତାଙ୍କୁ ଲୋକଙ୍କ ନିକଟରେ ହାତ ମଧ୍ୟ ପାତିବାକୁ ପଡ଼ିଥିଲା। ସନ୍ଧ୍ୟା ହେବା କ୍ଷଣି ସେ ଗଛ ଖୋଜିବାକୁ ଆରମ୍ଭ କରୁଥିଲେ। କୌଣସି ବିପଦ ଆଶଙ୍କାରେ ତାଙ୍କୁ ରାତିରେ ଗଛରେ କଟାଇବାକୁ ପଡ଼ୁଥିଲା। ଏହା ପରେ ପର ଦିନ ସକାଳେ ସେ ପୁଣି ଅଜଣା ରାସ୍ତାରେ ଚାଲିବା ଆରମ୍ଭ କରି ଦେଉଥିଲେ।

ସେ ଏହିପରି ଚାଲି ଚାଲି ଡିସେମ୍ବର ୪ତାରିଖ ମଧ୍ୟପ୍ରଦେଶର ସିଧି ପହଞ୍ଚିଥିଲେ। ସିଧି ପୋଲିସକୁ ସେ ଗୋଟିଏ ରାତିରେ ରାସ୍ତା କଡ଼ରେ ବେହୋସ୍ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଏହା ପରେ ପୋଲିସ୍ ତାଙ୍କୁ ବାଳିକା ସୁଧାର ଗୃହକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ଭାଷା କେହି ବୁଝିପାରିନଥିଲେ। କିନ୍ତୁ ଏହା ଜଣାପଡ଼ିଯାଇଥିଲା ଯେ ସେ ଝାଡ଼ଖଣ୍ଡର କୌଣସି ଅଞ୍ଚଳର। ସେଠାକୁ ଅଙ୍କିତ ନାମକ ଜଣେ ସମାଜସେବୀ ଆସିଥିଲେ। ଅଙ୍କିତ ନିଜର ଜଣେ ସାନ୍ତାଳୀ ସାଙ୍ଗର ପତ୍ନୀଙ୍କ ସହ ପୀଡ଼ିତାଙ୍କ କଥା କରାଇଥିଲେ। ଏହା ପରେ ମାନବ ଚାଲାଣର କ୍ରୃର ଚେହେରା ସାମନାକୁ ଆସିଥିଲା।

 ପୀଡ଼ିତା କିଶୋରୀ ଗାଁ ପହଞ୍ଚିବାରୁ ଆଉ ଦୁଇଜଣ ଗାୟବ ହେବାର ସୂଚନା ମିଳିଥିଲା। ଏମାନଙ୍କ ମଧ୍ୟରୁ ଜଣଙ୍କୁ ପୀଡ଼ିତାଙ୍କ ନିଆଯାଇଥିଲା ଯିଏ ପୁରୁଣା ଦିଲ୍ଲୀରେ ତାଙ୍କ ସହ ରହୁଥିଲେ। ୩ବର୍ଷ ତଳେ ମଧ୍ୟ ନିଆଯାଇଥିବା ଏହି ଗାଁର ଅନ୍ୟ ଜଣେ ଯୁବତୀଙ୍କ କୌଣସି ଖୋଜ ଖବର ନାହିଁ। ଅଙ୍କିତ ପୀଡ଼ିତାଙ୍କ ଗାଁକୁ ପହଞ୍ଚିବାରୁ ପୀଡ଼ିତାଙ୍କ ମାଆ ସେହି ବ୍ୟକ୍ତିର ନମ୍ବର ତାଙ୍କୁ ଦେଇଥିଲେ,ଯାହା ସହ କିଶୋରୀ ଦିଲ୍ଲୀ ଯାଇଥିଲେ। ଫୋନରେ ଦଲାଲ ନିଜକୁ ତା’ର ଭାଇ ବୋଲି କହିଥିଲା,କିନ୍ତୁ ଯେତେବେଳେ ସାକ୍ଷୀ କଥା କୁହାଯାଇଥିଲା ସେତେବେଳେ ସେ ମନା କରିଥିଲା। ଏବେ ସେହି ଦଲାଲ ଫେରାର ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.