ଝାଡଖଣ୍ଡ ହେମନ୍ତ ସୋରେନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ, ଜାଣନ୍ତୁ କ'ଣ ହେଲା ନିଷ୍ପତ୍ତି

Published By : Prameya-News7 Bureau | December 29, 2019 IST

ରାଞ୍ଚି ୨୯।୧୨:  ଝାଡଖଣ୍ଡ ନୂଆ ହେମନ୍ତ ସୋରେନ ସରକାରଙ୍କ ପ୍ରଥମ ମନ୍ତ୍ରୀମଣ୍ଡଳ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଶପଥ ପାଠ ଉତ୍ସବର ୩ ଘଣ୍ଟା ପରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିରେ ସିଏନଟି ଓ ଏସପିଟି ଆନ୍ଦୋଳନ ସମେତ ପଥରଗଢୀ ଆନ୍ଦୋଳନରେ ରୁଜୁ ହୋଇଥିବା ସମସ୍ତ ମୋକଦ୍ଦମା ପ୍ରତ୍ୟାହାର ଲାଗି ନିଷ୍ପତ୍ତି ହୋଇଛି।

ସେହିପରି ରାଜ୍ୟରେ ଯୌନ ଶୋଷଣ ସମ୍ପର୍କିତ ସମସ୍ତ ମାମଲାର ଫାଷ୍ଟଟ୍ରାକ୍ କୋର୍ଟରେ ଶୁଣାଣି ଲାଗି ବୈଠକରେ ନିଷ୍ପତ୍ତି ହୋଇଥିବା ବଳେ ଠିକା କର୍ମଚାରୀ, ଅଙ୍ଗନୱାଡୀ କର୍ମୀ, ରୋଷେଇ ଓ ପାରା ଟିଚରଙ୍କ ବିଚାରାଧୀନ ବେତନମାନ ଓ ପୈଠ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଝାଡଖଣ୍ଡର ସଂସ୍କୃତି ଓ ପରମ୍ପରା ଅନୁସାରେ ରାଜ୍ୟର ନୂଆ ପ୍ରତୀକ ଚିହ୍ନ ନିର୍ଦ୍ଧାରଣ ଲାଗି ବୈଠକରେ ନିଷ୍ପତ୍ତି ହୋଇଥିବା ବେଳେ ଏଥିଲାଗି ପରାମର୍ଶ ଆମନ୍ତ୍ରିତ କରାଯିବାକୁ ନିଷ୍ପତ୍ତି ହୋଇଛି।

ବୈଠକରେ ଷ୍ଟିଫେନ ମରାଣ୍ଡିଙ୍କୁ ପ୍ରୋଟେମ ସ୍ପିକର ନିଯୁକ୍ତ କରାଯାଇଛି। ଜାନୁୟାରୀ ୬ ତାରିଖରେ ୩ ଦିବସୀୟ ବିଧାନସଭା ଅଧିବେଶନ ଆୟୋଜନ ଲାଗି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସେହି ଅନୁସାରେ ଜନୁୟାରୀ ୭ ତାରିଖ ଦିନ ବିଧାନସଭାରେ ରାଜ୍ୟପାଳ ଅଭିଭାଷଣ ଦେବେ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.