ଝାଡଖଣ୍ଡ ପରାଜୟ ଭୁଲି ପାରୁନି ବିଜେପି : ଭୋଟ୍‌ର ବର୍ଷେ ପୂର୍ବରୁ ୪ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ଫର୍ମୁଲା ପଛରେ ବଡ କାରଣ...

Published By : Prameya-News7 Bureau | September 12, 2021 IST

ନୂଆଦିଲ୍ଲୀ,୧୨/୦୯:  ବିଜେପି ନେତା ବିଜୟ ରୂପାଣୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।ଆସନ୍ତା ବର୍ଷ ରାଜ୍ୟରେ ନିର୍ବାଚନ ଥିବାରୁ ବିଜୟଙ୍କ ଇସ୍ତଫାକୁ ନେଇ ନାନା ଚର୍ଚ୍ଚା ଆଲୋଚନା ଜାରି ରହିଛି ।  ଦଳକୁ ଝାଡଖଣ୍ଡରେ ମିଳିଥିବା ପରାଜୟ ପରେ ବିଜେପି କୌଣସି ରିସ୍କ ନେବାକୁ ଚାହୁଁ ନାହିଁ । ତେଣୁ ତାଙ୍କୁ ପଦବୀରୁ ହଟିବାକୁ ପଡିଛି ବୋଲି ବିରୋଧି ଅଭିଯୋଗ କରିଛନ୍ତି । ଏତତ୍ ବ୍ୟତୀତ ପ୍ରଦର୍ଶନକୁ ନେଇ ମଧ୍ୟ ତାଙ୍କୁ ହଟାଯାଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି ।  

ସୂଚନାନୁସାରେ, ବିଜେପି ୨୦୧୯ ଲୋକସଭା ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଥିଲା । କିନ୍ତୁ ୬ ମାସ ପରେ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥିଲା । ହେମନ୍ତ ସୋରେନଙ୍କ ନେତୃତ୍ୱରେ ହୋଇଥିବା ମେଣ୍ଟଠୁ ବିଜେପି ହାରି ଯାଇଥିଲା । ପରାଜୟ ପାଇଁ ରଘୁବର ଦାସଙ୍କୁ ଦାୟୀ କରାଯାଇଥିଲା ।

କୁହାଯାଉଛି ଯେ, ଝାଡଖଣ୍ଡରେ ମିଳିଥିବା ପରାଜୟ କାରଣରୁ ଦଳ ରିସ୍କ ନେବାକୁ ଚାହୁଁନି । ଏପରି ଭାବେ  ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରାଯାଇଛି । ଦଳ ବିଜୟ ରୂପାଣୀଙ୍କୁ ହଟାଇ ସମ୍ଭାବ୍ୟ କ୍ଷତିକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି ।

ହରିୟାଣାରେ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପରାସ୍ତ ହୋଇଥିଲା । ଦଳକୁ ମେଣ୍ଟ ସରକାର ଗଠନ କରିବାକୁ ପଡିଥିଲା । ଦଳ ମନୋହରଲାଲ ଖଟ୍ଟରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଭରସା କରିଥିଲା । ଏହାପରଠୁ ଦଳ କମ୍ ଚର୍ଚ୍ଚିତ ବା ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଗାଦିରୁ ହଟାଇବା ପାଇଁ ଯୋଜନା କରୁଛି ।

ନିକଟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦବୀରୁ ତ୍ରିବେନ୍ଦ୍ର ସିଂ ରାଓ୍ୱତଙ୍କୁ ହଟାଯାଇଥିଲା । ତାଙ୍କ ବଦଳରେ ତୀରଥ ସିଂ ରାଓ୍ୱତ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ଅଳ୍ପ କିଛି ଦିନ ପରେ ପଦବୀରୁ ଇସ୍ତଫା ଦେଇଥିଲେ । ଏବେ ପୁଷ୍କର ସିଂଙ୍କ ହାତରେ ଉତ୍ତରାଖଣ୍ଡର ଦାୟିତ୍ୱ ଦଳ ନ୍ୟସ୍ତ କରିଛି ।

ସେହିପରି କର୍ଣ୍ଣାନଟକରେ ମଧ୍ୟ ବିଏସ ୟେଦିୟୁରପ୍ପାଙ୍କ ବଦଳରେ ମସବାରାଜ ବୋମଇଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିଥିଲା  । ଏହାସହ ଦଳ ୟେଦିୟୁରପ୍ପାଙ୍କ ବିନା ୨୦୨୩ ନିର୍ବାଚନ ଲଢିବ ବୋଲି ଅନୁମାନ କରାଯାଉଛି ।

ହାର୍ଦ୍ଦିକ ପଟେଲ ମଧ୍ୟ ବିଜେପିର ଏପରି ପଦକ୍ଷେପକୁ ନିନ୍ଦା କରି ତୀବ୍ର ସମାଲୋଚନା କରିଛନ୍ତି । ଗୁଜୁରାଟ ରାଜ୍ୟ କଂଗ୍ରେସ ସଭାପତି ଅମିତ୍ ଚାଭଡା ଅଭିଯୋଗ କରିଛନ୍ତି, କରୋନା ମହାମାରୀର ମୁକାବିଲାରେ  ବିଫଳତା, ରାଜ୍ୟରେ ବେରୋଜଗାରୀ ଏବଂ ଅନ୍ୟ କ୍ଷେତ୍ରରେ ବିଫଳତା କାରଣରୁ ବିଜେପି ରୂପାନୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରିଛି। ଏହା କରି ବିଜେପି ନିଜର ବିଫଳତା ଲୁଚାଇବାକୁ ଚେଷ୍ଟା କରୁଛି ବୋଲି ଚାଭଡା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.