ଉତ୍ତରପ୍ରଦେଶ ପରେ ଝାଡ଼ଖଣ୍ଡ, ୫୦ ବର୍ଷୀୟା ବିଧବା ମହିଳାଙ୍କୁ କଲେ ଗଣଦୁଷ୍କର୍ମ, ଗୁପ୍ତାଙ୍ଗରେ ଭର୍ତ୍ତି କରିଦେଲେ ଲୁହା ରଡ୍‌

Published By : Prameya-News7 Bureau | January 09, 2021 IST

ରାଞ୍ଚି ୦୯/୦୧: ଦିଲ୍ଲୀ ନିର୍ଭାୟ କାଣ୍ଡର ପୁନରାବୃତ୍ତି। ଉତ୍ତରପ୍ରଦେଶର ବନ୍ଦାଉ ଓ ଏବେ ଝାଡ଼ଖଣ୍ଡର ଛାତ୍ରାରେ ଘଟିଛି ପୁଣି ଏକ ଜଘନ୍ୟ ଅପରାଧ।ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ କରିବା ପରେ ଗୁପ୍ତାଙ୍ଗରେ ଲୁହା ରଡ୍‌ ଭର୍ତ୍ତି କରିଛନ୍ତି ଅମଣିଷ। ୫୦ ବର୍ଷୀୟା ମହିଳାଙ୍କୁ ଅପହରଣ କରିନେବା ସହ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ୩ ଅଭିଯୁକ୍ତ। ଏପରିକି ତାଙ୍କ ଗୁପ୍ତାଙ୍ଗରେ ଆଘାତ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ଘଟଣା ଝାଡ଼ଖଣର ଛାତ୍ରାରେ ଗତ ଗୁରୁବାର ଦିନ ଘଟିଛି।

ଗୁରୁବାର ରାତି ୧୦ଟାରେ ମହିଳା ଜଣଙ୍କ ବାହାରକୁ ଯାଇଥିବା ବେଳେ ତାଙ୍କୁ ଅପହରଣ କରିନେଇଥିଲେ ୩ ଅଭିଯୁକ୍ତ। ୩ ଜଣ ଅମାନୁଷିକ ଭାବେ ତାଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ପ୍ରାଇଭେଟ ପାର୍ଟରେ ଲୁହା ରଡ୍‌ ଭର୍ତ୍ତି କରିଦେଇଥିଲେ। ଏହା ସହ କାହାକୁ ଏ ସମ୍ପର୍କରେ ନକହିବା ପାଇଁ ବି ସେମାନେ ମହିଳାଙ୍କୁ ଧମକ ଚମକ ଦେଇଥିଲେ। ଏହା ପରେ ୩ ଅଭିଯୁକ୍ତ ଫେରାର ହୋଇଯାଇଥିଲେ।

ଦୀର୍ଘ ଘଣ୍ଟା ପରେ ବି ମହିଳା ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ତେବେ ମହିଳାଜଣଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବେଳେ ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରିଥିଲେ। ପରେ ମହିଳାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବିହାରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା।

ଏନେଇ ଅଭିଯୋଗ ପାଇବା ପରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଫେରାର ଅଛି। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ତାକୁ ଖୋଜୁଛି। ତେବେ ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ବନ୍ଦାଉରେ ଘଟିଥିଲା। ୫୦ ବର୍ଷୀୟ ମହିଳା ଗଣଦୁଷ୍କର୍ମର ଶିକାର ହେବା ପରେ ପ୍ରାଣ ହରାଇଛନ୍ତି। ଜଣେ ପୂଜକ ଓ ଅନ୍ୟ ଦୁଇ ଜଣ ମିଶି ତାଙ୍କ ସହ ଦୁଷ୍କର୍ମ କରିଥିବା ଜଣାପଡ଼ିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.