ସିସିଟିଭିରୁ ଫିଟୁଛି ଗୁମର: ଓୟ ଗେଷ୍ଟ ହାଉସ୍‌ରେ ଥିଲେ ଝରାଫୁଲ, କେମିତି ଘଟିଲା ମୃତ୍ୟୁ ? ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

Published By : Prameya-News7 Bureau | January 29, 2021 IST

ଭୁବନେଶ୍ଵର ୨୯।୦୧: ସିସିଟିଭିରୁ ଫିଟୁଛି ଗୁମର। ତଦନ୍ତ ଯେତିକି ଯେତିକି ଆଗକୁ ବଢିବାରେ ଲାଗିଛି ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ଉପରୁ ଗୁମର ଫିଟିବାରେ ଲାଗିଛୀ। ଏକାଧିକ ସିସିଟିଭି ଫୁଟେଜ ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣୁଛି। ସିସିଟିଭି ଫୁଟେଜ୍‌ରୁ  ହିଁ ଝରାଫୁଲ ନିଜ ପ୍ରେମିକ ସହ ଗେଷ୍ଟ ହାଉସ୍‌ରେ ଥିବା ଜଣା ପଡିଛି। ମୁଖ୍ୟ ଅଭିଯୁକ୍ତ ନନ୍ଦୁ ଓରଫ ରାକେଶକୁ ପାଞ୍ଚ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ କୋର୍ଟରେ ଆବେଦନ କରିଛି। ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟକୁ ସଭିଙ୍କ ଅପେକ୍ଷା ରହିଛି। କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର କାରଣ ଜଣାପଡିବ।

ମିଳିଥିବା ସିସିଟିଭି ଭିଜୁଆଲ ହେଉଛି ଧର୍ମବିହାରର ଶିବସାଇ ଓୟୋ ଗେଷ୍ଟ ହାଉସର । ଗିରଫ ନନ୍ଦୁ ଓରଫ ରାକେଶକୁ ଜେରା ପରେ ପୋଲିସ ଜାଣିବାକୁ ପାଇଛି ୨୬ ତାରିଖ ସକାଳେ ଝରାଫୁଲ ଗାଁକୁ ଯିବା ବଦଳରେ ବସ୍‌ରୁ ଓହ୍ଲାଇ ବାଣୀବିହାରରୁ ବୟଫ୍ରେଣ୍ଡ ରାକେଶ ସ୍ଵାଇଁଙ୍କ ସହ ବାଇକ୍‌ରେ ବସି ଯାଇଥିଲେ ଏହି ଗେଷ୍ଟ ହାଉସକୁ । ରାତିରେ ସେଠାରେ ତାଙ୍କ ସହ ରହିଥିଲେ ।

ହେଲେ ସକାଳୁ ଝରାଫୁଲଙ୍କୁ ଗେଷ୍ଟ ହାଉସ୍ ଏକ ସ୍କୁଟରରେ ବସାଇ ରାକେଶ ଓ ଅନ୍ୟ ଜଣେ ଯୁବକ ସେଠାରୁ ବାହାରକୁ ଯାଇଥିଲେ। ଯାହା ଏହି ସିସିଟିଭି ଫୁଟେଜରୁ ଜଣାଯାଉଛି।  ସକାଳେ ଝରାଫୁଲଙ୍କୁ ସ୍କୁଟରରେ ବସାଇ ନିଆଯାଉଥିବା ସ୍ଥାନୀୟ କିଛି ଲୋକ ବି ଦେଖିଛନ୍ତି । ତେବେ ଗେଷ୍ଟ ହାଉସରୁ ବାହାରିବା ବେଳକୁ ଝରାଫୁଲଙ୍କ ମୃତ୍ୟ ହୋଇ ସାରିଥିଲା ନା ନାହିଁ ସେ ସମ୍ପର୍କରେ ସଠିକ୍ ତଥ୍ୟ ମିଳିପାରି ନାହିଁ।

ଯାଜପୁର ପୁଲିସ୍ ସିସିଟିଭି ଜବତ କରିଛି।  ଖଣ୍ଡଗିରି ଧର୍ମ ବିହାର ଲେନ -୬ ପ୍ଲଟ ନମ୍ବର ୫୦ ର ଏଚଆଇଜି ଘରେ  ଚାଲୁଛି  ଓୟୋ ଦ୍ବାରା ପରିଚାଳିତ ଏହି ଶିବସାଇ  ଗେଷ୍ଟ  ହାଉସ। ଝରାଫୁଲକୁ ଏହି ଗେଷ୍ଟ ହାଉସ୍‌ରୁ ନିଆଯାଇଥିବା ନେଇ  ଖବର ମିଳିବା ପରେ ଗେଷ୍ଟ ହାଉସ  ସମ୍ମୁଖରେ  ସ୍ଥାନୀୟ ଲୋକଙ୍କ ଭିଡ ଲାଗିଥିଲା।  ଗେଷ୍ଟ ହାଉସ କର୍ତ୍ତୃପକ୍ଷ  ମୁଖ୍ୟ ଫାଟକକୁ ତାଲା ପକାଇ ଫେରାର ହୋଇଯାଇଛନ୍ତି। ତେବେ ଗେଷ୍ଟହାଉସ୍‌ରେ ରହିବା ପାଇଁ କଣ ଡକ୍ୟୁମେଣ୍ଟ ସେମାନେ ଦେଇଥିଲେ ?   ଡକ୍ୟୁମେଣ୍ଟ ସବୁ ଅସଲି ଥିଲା ନା ନକଲି, ତାକୁ ନେଇ ସନ୍ଦେହ ବଢିଛି।

ସେପଟେ କାଲି ରାତିରେ ଏଯାରଫିଲ୍ଟ ଥାନା ସହାୟତାରେ କୁଆଖିଆ ପୋଲିସ ରାକେଶ ସ୍ବାଇଁକୁ ଧରି ଯାଜପୁର ନେଇଛି। ତାକୁ ସେଠାରେ ଅଧିକ ଜେରା ଚାଲିଛି । ପ୍ରାଥମିକ ତଦନ୍ତରେ ରାକେଶ ମାନିଛି ସେ ଓ ଝରାଫୁଲ ଧର୍ମବିହାରର ଶିବସାଇ ଗେଷ୍ଟ ହାଉସ୍‌ରେ ଥିଲେ । ହେଲେ ସକାଳେ ଝରାଫୁଲଙ୍କ ଦେହ ଖରାପ ହୋଇଥିଲା । ପାଟିରୁ ଫେଣ ବାହାରିଥିଲା । ସେ ଡରିଯିବା ସହ ତାଙ୍କୁ ହସ୍ପିଟାଲ୍‌ ନେବାକୁ ଜଣେ ସାଙ୍ଗକୁ ସହାୟତା ମାଗିଥିଲେ । ସାଙ୍ଗ ଆସି ପହଞ୍ଚିବା ପରେ କଟକ ନେବାକୁ କହିଥିଲେ । ହେଲେ ଝରାଫୁଲଙ୍କ ଦେହ ଅଧିକ ଖରାପ ହେବାକୁ ଲାଗିଥିଲା ।  ଝରାଫୁଲ ଅଚେତ ହୋଇପଡିଥିବା ବନ୍ଧୁଙ୍କୁ କହିନଥିଲେ । ବରଂ ଅସୁସ୍ଥ ହୋଇଥିବାରୁ ହସ୍ପିଟାଲ ନେବା କଥା କହି କଟକରୁ ଆଗକୁ ଚାଲିଯିବାରୁ ବନ୍ଧୁଙ୍କ ସନ୍ଦେହ ହେଲା ।

ଯାଜପୁର କୁଆଖିଆ ନିକଟରେ ଅନ୍ୟ କିଛି ଲୋକ ସନ୍ଦେହ କରି ତାଙ୍କ ଆଗରେ ଗାଡି ରଖିବାକୁ ଚେଷ୍ଟା କରିବାରୁ ଝରାଫୁଲଙ୍କ ମୃତ୍ୟୁ ହୋଇଯାଇଥିବା ବନ୍ଧୁଙ୍କୁ ଜଣାଇଥିଲେ ।  ପୁଲିସ ଭୟରେ ଦୁହେଁ ମୃତଦେହକୁ ରାସ୍ତାକଡ଼ରେ ଫିଙ୍ଗି ଦେଇ ପଳାଇ ଆସିଥିଲେ ।  ଦୁହେଁ ଫେରି ଆସୁଥିବାରୁ ସିସିଟିଭି ଫୁଟେଜ୍‌ବ ବି ମିଳିଛି ।  ପ୍ରଥମରୁ ମିଳିଥିବା ସିସିଟିଭି ଫୁଟେଜରେ ଯେଉଁ ଦୁଇଜଣ ଥିଲେ ତାହା ସହିତ ଏହି ଭିଜୁଆଲ ମେଳ ବି ଖାଉଛି।  ଝରାପୁଲଙ୍କ ପିତା ତାଙ୍କ ଝିଅର ମୃତ୍ୟୁ ପାଇଁ ଦାୟୀ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି ଉଠାଇଛନ୍ତି ।

ଝରାଫୁଲଙ୍କ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ସାଙ୍ଗସାଥୀ ।  ଝରାଫୁଲ ଆତ୍ମାର ସଦଗତି ପ୍ରାର୍ଥନା କରି  ରମାଦେବୀ ମହିଳା ବିଶ୍ବ ବିଦ୍ୟାଳୟ ସମ୍ମୁଖରେ ଶ୍ରଦ୍ଧାଞ୍ଚଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ଛାତ୍ରୀଙ୍କ ସହ  ରାମାଦେବୀ କୂଳପତି , ପିଜି କାଉନସିଲ ଅଧ୍ୟକ୍ଷା ଓ ବହୁ ପୁରାତନ ଛାତ୍ରୀ ଉପସ୍ଥିତ ଥିଲେ ।

ଝରାଫୁଲଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ଏବେ ବି ରହସ୍ୟ ଘେରରେ ରହିଛି । ରାକେଶ ସ୍ବାଇଁ ଓ ଝରାଫୁଲ ରହିଥିବା ଗେଷ୍ଟ ହାଉସ୍‌ରେ ଏମିତି କଣ ହୋଇଥିଲା ଯେ ତାଙ୍କ ଦେହ ଖରାପ ହୋଇଥିଲା ଏବଂ ପାଟିରୁ ଫେଣ ବାହାରିଥିଲା ? ଏପର୍ଯ୍ୟନ୍ତ  ପୋଷ୍ଟ ମର୍ଟମ୍ ରିପୋର୍ଟ ଆସିନାହିଁ । ଏହା ଆସିଲା ପରେ ତାଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ସେ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.