ଓଡ଼ିଶାରୁ ଚାଲିଯିବ ପଶ୍ଚିମ ଜର୍ମାନୀର ସ୍ମୃତି : ଉଠିଯିବ ଦୁଇ କେନ୍ଦ୍ରୀୟ ସଂସ୍ଥା, ଶାଗମାଛ ଦରରେ ବିକ୍ରି ହେଉଛି ଯନ୍ତ୍ରପାତି

Published By : Prameya-News7 Bureau | December 19, 2018 IST

ଭୁବନେଶ୍ବର ୧୯|୧୨: ଓଡ଼ିଶାରୁ ଉଠିଯିବ ଦୁଇ କେନ୍ଦ୍ରୀୟ ସଂସ୍ଥା । ଭୁବନେଶ୍ବରରେ ଥିବା ଭାରତ ସରକାରଙ୍କ ପାଠ୍ୟପୁସ୍ତକ ମୁଦ୍ରଣାଳୟ ସହ ଡାକ ମୁଦ୍ରଣାଳୟରେ ବି ତାଲା ଝୁଲିବ । ଗତ ବର୍ଷରୁ ଏ ନେଇ ନିଷ୍ପତ୍ତି ହୋଇଥିଲେ ବି କର୍ମଚାରୀଙ୍କ ଆନ୍ଦୋଳନ ସହ କୋର୍ଟକଚେରୀରେ ମାମଲା ଯୋଗୁଁ  କଥା ଅଟକିଥିଲା । ହେଲେ ଏବେ ପୁଣି ସେହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରି ଏଠାରେ କାମ କରୁଥିବା କର୍ମଚାରୀମାନଙ୍କୁ ବାହାର ରାଜ୍ୟକୁ ସ୍ଥାନାନ୍ତରର ନୋଟିସ୍ ଧରେଇ ଦେଇଛି ସଂସ୍ଥା । 

{"id":65402}

ଓଡ଼ିଶାରୁ ଚାଲିଯିବ ପଶ୍ଚିମ ଜର୍ମାନୀର ସ୍ମୃତି । ରାଜ୍ୟ ସୀମା ଡେଇଁ ଚାଲିଯିବ ଆଉ ଏକ କେନ୍ଦ୍ରୀୟ ସଂସ୍ଥା । ୟୁନେସ୍କୋର ପରାମର୍ଶ ଓ କେନ୍ଦ୍ର ସରକାରଙ୍କ ସୁପାରିସରେ ୭୦ ଦଶକରେ ଓଡ଼ିଶାରେ ଅଫସେଟ ମୁଦ୍ରଣାଳୟ ପ୍ରତିଷ୍ଠା କରିଥିଲା ପଶ୍ଚିମ ଜର୍ମାନୀ । ପୂର୍ବ ଓ ଉତ୍ତର-ପୂର୍ବ ଭାରତର ସେତେବେଳେର ଏହି ଏକମାତ୍ର ଅଫସେଟ ମୁଦ୍ରଣାଳୟ ଓଡ଼ିଶା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଂଗ ସହ ୧୪ଟି ରାଜ୍ୟ ଲାଗି ପାଠ୍ୟପୁସ୍ତକ ଛାପୁଥିଲା ।  ଅନେକ ପ୍ରଶଂସା ସାଉଁଟିଥିଲା । ହେଲେ ଏବେ ଏହି ଅଫିସ୍ ଏଠାରୁ ଉଠିଯିବ ।  ଖାଲି ଅଫିସ୍ ଉଠିବ ନାହିଁ, ପଶ୍ଚିମ ଜର୍ମାନୀ ସ୍ଥାପନ କରିଥିବା ସେ ସମୟର ଦୁର୍ମୂଲ୍ୟ ଯନ୍ତ୍ରପାତିଗୁଡ଼ିକ, ଯାହା ଏବେ ବି ସଚଳ ଅଛି, ତାକୁ ଶାଗମାଛ ଦରରେ ମାତ୍ର ୫ ଲକ୍ଷ ୫୫ ହଜାର ଟଙ୍କାରେ କଲିକତାର ଏକ ସଂସ୍ଥାକୁ ବିକ୍ରି କରିବାକୁ ନିଷ୍ପତ୍ତି ହୋଇଛି । ଏଠାରେ କାମ କରୁଥିବା ୩୦ କର୍ମଚାରୀଙ୍କୁ ପଶ୍ଚିମବଂଗକୁ ଯିବାକୁ ଟ୍ରାନ୍ସଫର ଅର୍ଡର ଧରେଇ ଦିଆଯାଇଛି । 

{"id":65403}

ସେପଟେ ମଞ୍ଚେଶ୍ବରରେ ୧୯୮୬ରେ ସ୍ଥାପିତ ହୋଇଥିବା ଭାରତ ସରକାରଙ୍କ ଡାକ ମୁଦ୍ରଣାଳୟ ବି ବନ୍ଦ ହୋଇଯିବ । ଏଠାରେ କାମ କରୁଥିବା ୧୫୦ କର୍ମଚାରୀଙ୍କୁ ବିଭିନ୍ନ ରାଜ୍ୟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି । ଦୁଇ ଦୁଇଟି କେନ୍ଦ୍ରୀୟ ସଂସ୍ଥା ଓଡ଼ିଶାରୁ ଉଠିଯିବା ନିଷ୍ପତ୍ତି ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ ।  ରାଜ୍ୟ ବିଜେପି ଉପସଭାପତି କହିଛନ୍ତି, ଏ ସଂପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ । 

{"id":65406}

୨୦୧୭ରୁ ହୋଇଥିବା ଏହି ନିଷ୍ପତ୍ତି ବିରୋଧରେ କର୍ମଚାରୀମାନେ ଆନ୍ଦୋଳନ ସହ କୋର୍ଟ କଚେରୀରେ ଲଢିଥିଲେ । ବିଧାନସଭାରେ ବି କଥା ଉଠିଥିଲା । କିନ୍ତୁ ସବୁ କିଛି ଯେମିତି ଫେଲ୍ ମାରିଛି । ଆଖି ସାମ୍ନାରେ ଓଡ଼ିଶାରୁ ୨ଟି କେନ୍ଦ୍ରୀୟ ସଂସ୍ଥା ଚାଲିଯିବ । ଆଉ ଦୀର୍ଘ ବର୍ଷ ହେଲା ଏଠାରେ କାମ କରୁଥିବା ଲୋକଙ୍କୁ ପେଟପାଟଣା ଲାଗି ଅନ୍ୟ ରାଜ୍ୟକୁ ଯିବାକୁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.