ଆମାଜନ୍ ସିଇଓ ପଦରୁ ଇସ୍ତଫା ଦେବେ ଜେଫ୍ ବେଜୋସ୍, ଆଣ୍ଡି ଜେସି ସମ୍ଭାଳିବେ ପଦ

Published By : Prameya-News7 Bureau | May 27, 2021 IST

ନୂଆଦିଲ୍ଲୀ ୨୭।୫: ବିଶ୍ବର ସର୍ବବୃହତ ଇ-କମର୍ସ କମ୍ପାନୀ ଆମାଜନ୍ ର ସିଇଓ ଜେଫ୍ ବେଜୋସ୍ ତାଙ୍କ ପଦ ଛାଡିବା ନେଇ ଘୋଷଣା କରିଛନ୍ତି । ବେଜୋସ୍ ଜୁଲାଇ ୫ରେ ତାଙ୍କ ପଦରୁ ଇସ୍ତଫା ଦେବେ । ୨୭ ବର୍ଷ ପୂର୍ବେ ଏହି ଦିନ ଆମାଜନ୍ କମ୍ପାନୀ ପ୍ରତିଷ୍ଠା ହୋଇଥିଲା । ବେଜୋସଙ୍କ ସ୍ଥାନରେ ଆମାଜନ୍ ୱେବ୍ ସର୍ଭିସେସ୍ ର ହେଡ୍ ଆଣ୍ଡି ଜେସି ସିଇଓ ଭାବେ ଦାୟିତ୍ବ ନେବେ । ଏହାପୂର୍ବରୁ ଫେବୃଆରୀରେ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ବେଜୋସ୍ ବର୍ଷ ଶେଷ ସୁଦ୍ଧା ତାଙ୍କ ପଦ ଛାଡିବେ ।

ବେଜୋସ୍ ଆମାଜନ୍ ସେୟାରଧାରକ ବୈଠକରେ କହିଛନ୍ତି, ‘ମୋ ପାଇଁ ଜୁଲାଇ ୫ ତାରିଖ ଅତ୍ୟନ୍ତ ଖାସ୍ ଅଟେ । ୨୭ ବର୍ଷ ପୂର୍ବେ ଆମେ ଏହି ଦିନ ଆମାଜନ୍ କମ୍ପାନୀ ଆରମ୍ଭ କରିଥିଲୁ ।’ ସିଇଓ ପଦ ଛାଡିବା ପରେ ବେଜୋସ୍ ଆମାଜନର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ ଭାବେ ଦାୟିତ୍ବ ତୁଲାଇବେ । ଏହାସହ ନୂଆ ପ୍ରଡକ୍ଟ ଏବଂ ପଦକ୍ଷେପ ଉପରେ ଧ୍ୟାନ ଦେବେ । ସେ ତାଙ୍କର ଅନ୍ୟ ଉଦ୍ୟୋଗ ଯେପରିକି ବେଜୋସ୍ ଅର୍ଥ ଫଣ୍ଡ, ବ୍ଲୁ ଅରିଜିନ୍ ସ୍ପେସ୍ ସିପ୍ କମ୍ପାନୀ, ଆମାଜନ୍ ଡେ ୱାନ୍ ଫଣ୍ଡ୍ ଏବଂ ୱାଶିଂଟନ୍ ପୋଷ୍ଟ ଉପରେ ଧ୍ୟାନ ଦେବାକୁ ଯୋଜନା କରୁଛନ୍ତି ।

ଜେଫ୍ ବେଜୋସ୍ ୧୯୯୪ରେ ନିଜ ଗ୍ୟାରେଜରେ ଏକ ଅନଲାଇନ୍ ବୁକ୍ ଷ୍ଟୋର ଭାବେ ଆମାଜନ୍ କୁ ଆରମ୍ଭ କରିଥିଲେ । ଆଜି ଏହା ଅନଲାଇନ୍ ରିଟେଲର ବିଶିଷ୍ଟ କମ୍ପାନୀ ।ଏହା ସାରା ବିଶ୍ବରେ ସମସ୍ତ ପ୍ରକାରର ଉତ୍ପାଦ ବିକ୍ରୟ ଏବଂ ବିତରଣ କରିଥାଏ । ଏହା ବ୍ୟତୀତ କମ୍ପାନୀ ଷ୍ଟ୍ରିମିଂ, ମ୍ୟୁଜିକ୍ ଏବଂ ଟେଲିଭିଜନ୍, କ୍ଲାଉଡ୍ କମ୍ପ୍ୟୁଟିଂ, ରୋବୋଟିକ୍ସ, ଏଆଇ ଭଳି କ୍ଷେତ୍ରରେ ମଧ୍ୟ କମ୍ପାନୀ କାମ କରୁଛି ।

ସେହିଭଳି ଆଣ୍ଡି ଜେସି ୧୯୯୭ରେ ଆମାଜନ୍ ରେ ଜଣେ ମାର୍କେଟିଂ ମ୍ୟାନେଜର ଭାବେ ଯୋଗ ଦେଇଥିଲେ ଏବଂ ୨୦୦୩ରେ କମ୍ପାନୀର କ୍ଲାଉଡ୍ ସର୍ଭିସେସ୍ ଡିଭିଜନ ଏଡବ୍ଲୁଏସ୍ ର ପ୍ରତିଷ୍ଠା କରିଥିଲେ । ଏହା ଆମାଜନ୍ କୁ ସବୁଠୁ ଅଧିକ ଲାଭ ପ୍ରଦାନ କରୁଥିବା ୟୁନିଟ୍ ମଧ୍ୟରୁ ଗୋଟିଏ ।

ଫୋର୍ବସ୍ ଗତ ମାସରେ ବିଶ୍ବରେ ୨୦୨୧ ବର୍ଷ ପାଇଁ ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଥିଲା । ଫୋର୍ବସର ୩୫ତମ ଆମାଜନ୍ ର ପ୍ରତିଷ୍ଠାତା ତଥା ସିଇଓ ଜେଫ୍ ବେଜୋସ୍ ସବୁଠୁ ଲଗାତର ୪ର୍ଥ ବର୍ଷ ପାଇଁ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ହୋଇଥିଲେ । ତାଲିକା ଅନୁଯାୟୀ, ଜେଫ୍ ବେଜୋସଙ୍କ ନିକଟରେ ୧୭୭ ବିଲିୟନ ଡଲାରର ସମ୍ପତ୍ତି ରହିଛି । ତାଙ୍କ ସମ୍ପତ୍ତିର ବୃଦ୍ଧି ଆମାଜନର ସେୟାରରେ ବୃଦ୍ଧି ହେତୁ ହୋଇଛି । ବର୍ଷେ ପୂର୍ବରୁ ତାଙ୍କର ମୋଟ୍ ସମ୍ପତ୍ତି ୬୪ ବିଲିୟନ ଡଲାର ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.