ଜେଇଇ ମେନ୍ ପ୍ରଥମ ପର୍ଯ୍ୟାୟ ଫଳ : ଗୌତମ ଦାସ ଓଡିଶା ଟପ୍ପର

Published By : Prameya-News7 Bureau | March 09, 2021 IST

ଭୁବନେଶ୍ୱର,୯ ।୩: ଇଞ୍ଜିନିୟରିଂ ପାଠ୍ୟକ୍ରମ (ବିଇ/ବି.ଟେକ)ରେ ନାମ ଲେଖାଇବା ଲାଗି ଫେବ୍ରୁଆରୀରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍‌-୨୦୨୧ ପେପର-୧ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ପରୀକ୍ଷା ଫଳ ଜାରି କରାଯାଇଛି । ପ୍ରକାଶିତ ଫଳ ଅନୁସାରେ ରାଜସ୍ଥାନର ସାକେତ ଝା, ଦିଲ୍ଲୀ(ଏନସିଟି)ର ପ୍ରଭାକର କଟାରିଆ ଓ ରଞ୍ଜିମ ପ୍ରବଳ ଦାସ, ଚଣ୍ଡିଗଡ଼ର ଗୁରମ୍ରିତ ସିଂ, ମହାରାଷ୍ଟ୍ରର ସିଦ୍ଧାନ୍ତ ମୁଖାର୍ଜୀ ଓ ଗୁଜୁରାଟର ଅନନ୍ତ କ୍ରିଷ୍ଣା କିଡାମ୍ବି ଶତ ପ୍ରତିଶତ ଏନଟିଏ ସ୍କୋର ହାସଲ କରିଛନ୍ତି । ସେହିପରି ଗୌତମ ଦାସ ୯୯.୯୯୯୩୫୭ ଏନଟିଏ ସ୍କୋର୍‌ ରଖି ଓଡ଼ିଶା ଟପର୍‌ ହୋଇଛନ୍ତି ବୋଲି ଏନ୍‌ଟିଏର ବରିଷ୍ଠ ପରୀକ୍ଷା ନିର୍ଦ୍ଦେଶକ ଡ. ସାଧନା ପରାସର ସୂଚନା ଦେଇଛନ୍ତି । ତେବେ ଗୌତମ ସାଇ ଇଣ୍ଟରନାସନାଲ ସ୍କୁଲର ଛାତ୍ର । ତାଙ୍କର ଏହି ସଫଳତା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଖୁସି ପ୍ରକଟ କରିଛନ୍ତି ।

ଗତ ଫେବ୍ରୁଆରୀ ୨୪ରୁ ୨୬ ତାରିଖ ମଧ୍ୟରେ ଜେଇଇ ମେନ୍‌ ପରୀକ୍ଷା ହୋଇଥିଲା । ପରୀକ୍ଷା ଦେବା ଲାଗି ୬.୫୨ ଲକ୍ଷ ପ୍ରାର୍ଥୀ ସେମାନଙ୍କ ନାମ ପଞ୍ଜୀକରଣ କରିଥିଲା ବେଳେ ସେମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ପେପର-୧ ପରୀକ୍ଷା ଦେଇଥିଲେ । ୬ ଜଣ ପରୀକ୍ଷାର୍ଥୀ ପେପର-୧ରେ ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି । ଫଳ ପ୍ରକାଶ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟୁଇଟ କରି ସେ କହିଛନ୍ତି ଯେ ଗତବର୍ଷ ପର୍ଯ୍ୟନ୍ତ କେବଳ ୩ଟି ଭାଷାରେ ପରୀକ୍ଷା କରାଯାଉଥିଲା । ଚଳିତଥର ଓଡ଼ିଆ ସମେତ ୧୩ଟି ଭାଷାରେ ଏହି ପରୀକ୍ଷା କରାଯାଇଛି । ତେବେ ମାତ୍ର ୧୦ ଦିନ ଭିତରେ ଫଳ ପ୍ରକାଶ ପାଇଛି, ଯାହାକି ଏକ ବଡ ସଫଳତା ବୋଲି ଡ. ନିଶଙ୍କ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.