ମମିତା ମେହେର ମର୍ଡର ମିଷ୍ଟ୍ରି : ଗିରଫ ହୋଇପାରନ୍ତି ଅଟକ ଜେସିବି ଡ୍ରାଇଭର

Published By : Prameya-News7 Bureau | October 21, 2021 IST

କଣ୍ଟାବାଞ୍ଜି ୨୧।୧୦: କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ୫ ଦିନିଆ ରିମାଣ୍ଡରେ ନେଇଛି ବଲାଙ୍ଗୀର ପୋଲିସ । ହତ୍ୟା ସମ୍ପର୍କରେ ଅଧିକ ପଚରାଉଚରା ଜାରି ରଖିଛି ପୋଲିସ । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଏବଂ ବଲାଙ୍ଗୀର ଏସପି ଘଟଣାର ତନାଘନା ଚଳାଇଛନ୍ତି । ଗୋବିନ୍ଦ ସାହୁକୁ ଜେରା କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି ଡିଆଇଜି ଏସପି । ଘଟଣାର ଅଧିକ ତଦନ୍ତ ପାଇଁ ସିନ୍ଧେକେଲା ଥାନାରେ ପହଞ୍ଚିଥିଲେ ଡିଆଇଜି ଓ ବଲାଙ୍ଗୀର ଏସପି । ସିନ୍ଧେକେଲା ଥାନାରେ କିଛି ସମୟ ରହି କଳାହାଣ୍ଡି ଜିଲ୍ଲାର କେଗାଁ ଥାନା ଓ ମହାଲିଙ୍ଗ ଯାଇ ସ୍ପଟ୍ ଭେରିଫିକେସନ କରିବାକୁ ଯାଇଛନ୍ତି ।

ସେପଟେ ଅଟକ ଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇକୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରାଯିବା ନେଇ ମଧ୍ୟ ସୂଚନା ମିଳିଛି ।

ମମିତା ମେହେର ହତ୍ୟା ମାମଲାରେ ବର୍ତ୍ତମାନ ସୁଦ୍ଧା ପୋଲିସ ଗୋବିନ୍ଦଙ୍କୁ ଗିରଫ କରିଥିବା ବେଳେ ଜେସିବି ଡ୍ରାଇଭରକୁ ଅଟକ ରଖିଛି । ତେବେ ତାଙ୍କୁ ସହଯୋଗ କରିବା ଅଭିଯୋଗରେ ମହାଲିଙ୍ଗ୍ ସ୍ଥିତ ଖେଳ ପଡିଆର ରାତ୍ର ଜଗୁଆଳି ଗୁପ୍ତେ ତାଣ୍ଡି, ଜେସିବି ଡ୍ରାଇଭର ପୁଷ୍କର ଭୋଇ, ଗୋବନ୍ଦଙ୍କ ଭଣଜାଙ୍କୁ ଅଟକ ରଖାଯାଇଥିବା ଅନପୌଚାରିକ ସୂତ୍ରରୁ ସୂଚନା ମିଳିଥିଲା ।  ଗୋବିନ୍ଦଙ୍କୁ ୫ ଦିନ ରିମାଣ୍ଡରେ ନେଇଛି ସିନ୍ଧକେଲା ପୋଲିସ ଆଉ ମାମଲାର ଗୁମର ଖୋଲିବା ନେଇ ଚଳାଇଛି ଖୋଳତାଡ।  ବିଶେଷ କରି ସନସାଇନ ସ୍କୁଲରେ କ’ଣ କ’ଣ ଚାଲୁଥିଲା ? କେଉଁ ପାପ ଲୁଚାଇବାକୁ ଯାଇ ଗୋବନ୍ଦ ମମିତାଙ୍କୁ ହତ୍ୟା କଲେ ? ଏସବୁ ତାଙ୍କ ମୁହଁରୁ ଆଦାୟ କରିବ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.