ଜୟପୁର ପବ୍ଳିକ ସ୍କୁଲରୁ ଖସିଲା ଛାତ,ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ
7/09/2018 at 6:00 PM

ଜୟପୁର ୭/୯ : ଭଙ୍ଗା ଦଦରା ଘରେ ଚାଲିଛି ପାଠପଢା।କେଉଁଠି ଛାତରୁ ସିଲିଂ ଖସି ଗଲାଣି ତ ଆଉ କେଉଁଠି କାନ୍ଥ ଫାଟି ଆଁ କରିଛି।ଏପରିକି କିଛି କାନ୍ଥ ଓ ଛାତ ଭାଂଗି ଖସି ପଡିଲାଣି।ତଥାପି ଜୀବନକୁ ବାଜି ଲଗାଇ ଏଠାରେ ପ୍ରତିଦିନ ପାଠ ପଢୁଛନ୍ତି ଶହ ଶହ ଛାତ୍ରଛାତ୍ରୀ।ହେଲେ ଏହା ଗ୍ରାମାଂଚଳର କୌଣସି ସରକାରୀ ବିଦ୍ୟାଳୟର ଚିତ୍ର ନୁହେଁ।ଏହା ହେଉଛି ଜୟପୁରର ସବୁଠାରୁ ପୁରାତନ ଓ ସର୍ବ ବୃହତ୍ତମ ପବ୍ଲିକ ସ୍କୁଲ।୧୯୭୨ ମସିହାଠାରୁ ଏହି ସ୍କୁଲ ଜୟପୁରରେ ଚାଲୁଥିବା ବେଳେ ନିଜସ୍ବ କୋଠା ବୋଲି ନାହିଁ।ଦୀର୍ଘ ବର୍ଷ ହେବ ଏହା ରାଜା ରାଜୁଡା ଅମଳର ରାଣୀ ମହଲରେ ଚାଲୁଥିବା ବେଳେ ରକ୍ଷଣା ବେକ୍ଷଣ ଅଭାବରୁ ଏବେ ଏହା ଜରାଜିର୍ଣ୍ନ ଅବସ୍ଥାରେ।ସଂପୂର୍ଣ୍ନ ସ୍କୁଲ ଏବେ ବିପଦ ସଂକୁଳ ଅବସ୍ଥାରେ ଚାଲୁଥିବା ବେଳେ ଗତ ସପ୍ତାହରେ ସ୍କୁଲର ଗୋଟିଏ ଭାଗର ଛାତ ଭୁଷୁଡି ଯାଇଛି।ଆଉ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏଠାକାର ଶହ ଶହ ଛାତ୍ରଛାତ୍ରୀ।ସ୍କୁଲ କତ୍ତୃପକ୍ଷ ଫିଜ୍ ବାବଦକୁ ମୋଟ ଅଂକର ଟଂକା ନେଉଥିଲେ ବି ଏହାର ସ୍ଥାୟୀ ପ୍ରତିକାର କରୁନଥିବା ଅଭିଯୋଗ ହୋଇଛି।ସେପଟେ ରାଣୀ ମହଲର ଲିଜ୍ ଅବଧି ପରେ ସ୍କୁଲ କତ୍ତୃପକ୍ଷ ଜୋର ଜବରଦସ୍ତ ଏହାକୁ ମାଡି ବସିଥିବା ଅଭିଯୋଗ କରିଛନ୍ତି ରାଜ ପରିବାର।ଏ ନେଇ ସ୍କୁଲ କତ୍ତୃପକ୍ଷଙ୍କ ବିରୋଧରେ ରାଜପରିବାର ମାମଲା ଦାୟର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ତୁରନ୍ତ ଏଠାରୁ ସ୍କୁଲ ସ୍ଥାନାନ୍ତର କରିବାକୁ ନୋଟିସ ଜାରି କରିଛନ୍ତି।
ସ୍କୁଲରୁ ଛାତ ଭୁଷୁଡିବା ପରେ ସ୍କୁଲର ସ୍ଥିତି ଅନୁଧ୍ୟାନ କରିଛନ୍ତି ଜୟପୁର ଉପଜିଲ୍ଲାପାଳ।ସ୍କୁଲ କୋଠାର ସ୍ଥିତି କଣ ରହିଛି ତାହା ଯାଂଚ କରି ରିପୋର୍ଟ ଦେବାକୁ ସେ ପୂର୍ତ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି।ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସେ।ତେବେ ଏ ସମସ୍ତ ଘଟଣାକୁ ସ୍କୁଲ କତ୍ତୃପକ୍ଷ ଅସ୍ବୀକାର କରିଛନ୍ତି।ସ୍କୁଲର କିଛି ଅଂଶ ଦୁର୍ବଳ ଅବସ୍ଥାରେ ଥିବାରୁ ସେଠାରେ କ୍ଳାସ କରାଯାଉନଥିବା କହିଛନ୍ତି ସ୍କୁଲ ପ୍ରିନ୍ସିପାଲ୍।ସେହିପରି ସ୍କୁଲର କିଛି ଅଂଶକୁ ମରାମତି କରାଯାଇ ସେହି ସ୍ଥାନର ନୂଆଁ କୋଠା ନିର୍ମାଣ କରାଯାଉଥିବା ସେ କହିଛନ୍ତି।ସେହିପରି ରାଜ ପରିବାରର ସମସ୍ତ ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି।୧୯୭୨ ମସିହାରେ ତତ୍କାଳୀନ ରାଜାଙ୍କ ସହ ଚୁକ୍ତ ହୋଇଥିବା ବେଳେ ତାଙ୍କର ଦେହାନ୍ତ ପରେ କେହେ ପ୍ରକୃତ ହୀତାଧିକାରୀ ସାମ୍ନାକୁ ଆସୁନଥିବାରୁ ଚୁକ୍ତି ନବୀକରଣ କରାଯାଇ ପାରୁନଥିବା ସେ କହିଛନ୍ତି।