ରଣଜୀ ଟ୍ରଫି: ୨୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଜୟଦେବ ଉନାଦକତ, ଫାଇନାଲରେ ସୌରାଷ୍ଟ୍ର

Published By : Prameya-News7 Bureau | March 04, 2020 IST

ରାଜକୋଟ୍ ୦୪।୦୩- ଜୟଦେବ ଉନାଦକତଙ୍କ ଘାତକ ବୋଲିଂ ସହାୟତାରେ ସୌରାଷ୍ଟ୍ର ବୁଧବାର ସୌରାଷ୍ଟ୍ର କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ରଣଜୀ ଟ୍ରଫି ସେମି ଫାଇନାଲ ମ୍ୟାଚର ପଞ୍ଚମ ତଥା ଅନ୍ତିମ ଦିବସରେ ଗୁଜରାଟକୁ ୯୨ ରନରେ ପରାସ୍ତ କରି  ଫାଇନାଲରେ ପ୍ରବେଶ କରିଛି।  ଏବେ ଫାଇନାଲ ମୁକାବିଲା ପଶ୍ଚିମବଙ୍ଗ ଓ ସୌରାଷ୍ଟ୍ର ମଧ୍ୟରେ ଖେଳାଯିବ। ଏହି ସେମି ଫାଇନାଲ ମୁକାବିଲାରେ ଉଦାନକତ ୫୬ ରନ ଦେଇ ୭ ଓ୍ଵିକେଟ୍ ନେଇଛନ୍ତି। ଚଳିତ ରଣଜୀ ସିଜିନରେ ଉନାଦକତ ଅଦ୍ୟାବଧି ସର୍ବାଧିକ ୬୫ଟି ଓ୍ଵିକେଟ୍ ନେଇ ସାରିଛନ୍ତି।

୨୮ ବର୍ଷୀୟ ଏହି ଦ୍ରୁତ ବୋଲର ଏହି ମ୍ୟାଚରେ ମୋଟ୍ ୧୦ ଓ୍ଵିକେଟ୍ ନେବା ସହିତ ରଣଜୀ ଇତିହାସର ୨୧ ବର୍ଷର ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ରଣଜୀ ଇତିହାସର ଗୋଟିଏ ସିଜିନରେ ସର୍ବାଧିକ ଓ୍ଵିକେଟ୍ ନେବାର ରେକର୍ଡ ପୂର୍ବେ କର୍ଣ୍ଣାଟକର ଡୋଡ୍ଡା ଗଣେଶଙ୍କ ନାମରେ ଥିଲା। ସେ ୧୯୯୮-୯୯ ସିଜିନରେ ୬୩ଟି ଓ୍ଵିକେଟ୍ ନେଇଥିଲେ। ଏହା ସହିତ ଉଦାନକତ ମହାନ ସ୍ପିନର ବିଶନ ସିଂହ ବେଦୀ(୬୪)ଙ୍କୁ ମଧ୍ୟ ପଛରେ ପକାଇଛନ୍ତି।

{"id":232825,"sizeSlug":"large"}

ଉନାଦକତ ଏବେ ଗୋଟିଏ ରଣଜୀ ଟ୍ରଫିରେ ସର୍ବାଧିକ ଓ୍ଵିକେଟ୍ ନେବା ମାମଲାରେ ଦ୍ଵିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସଂପ୍ରତି ଏହି ରେକର୍ଡ ସ୍ପିନର ଆଶୁତୋଷ ଅମନଙ୍କ ନାମରେ ରହିଛି। ଅମନ ୨୦୧୮-୧୯ରେ ୬୮ଟି ଓ୍ଵିକେଟ୍ ନେଇଥିଲେ। କେବଳ ଏତିକି ନୁହେଁ ସେ ଲକ୍ଷ୍ମୀପତି ବାଲାଜୀ ଓ ଅନିକେତ ଚୌଧୁରୀଙ୍କ ପରେ ରଣଜୀ ଟ୍ରଫିର ଗୋଟିଏ ସଂସ୍କରଣରେ ସାତ ଥର ପାଞ୍ଚ ଓ୍ଵିକେଟ୍ ନେବାରେ ତୃତୀୟ ବୋଲର ହେବାର ଉପଲବ୍ଧି ହାସଲ କରିଛନ୍ତି।

{"id":232826,"sizeSlug":"large"}

ଉଲ୍ଲେଖଯୋଗ୍ୟ, ସୌରାଷ୍ଟ୍ର ନିଜର ପ୍ରଥମ ଇନିଂସରେ ୩୦୪ ରନ ସ୍କୋର କରିଥିଲା। ଜବାବରେ ଗୁଜରାଟ ପ୍ରଥମ ଇନିଂସରେ ୨୫୨ ରନରେ ଅଲଆଉଟ୍ ହେବାରୁ ସୌରାଷ୍ଟ୍ର ୫୨ ରନର ମହତ୍ଵପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହା ପରେ ଦ୍ଵିତୀୟ ଇନିଂସରେ ସୌରାଷ୍ଟ୍ର ୨୭୪ ରନ କରି ଗୁଜରାଟ ସମ୍ମୁଖରେ ୩୨୭ ରନର ବିଜୟ ଲକ୍ଷ୍ୟ ରଖିଥିଲା।

ଏହି ଲକ୍ଷ୍ୟକୁ ପିଛା କରି ଗୁଜରାଟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୬୩ ରନରେ ୫ ଓ୍ଵିକେଟ୍ ହରାଇଥିଲା। ମାତ୍ର ଏହା ପରେ ଚିରାଗ ଗାନ୍ଧୀ(୯୬) ଓ ଅଧିନାୟକ ପାର୍ଥିବ ପଟେଲ(୯୩) ଷଷ୍ଠ ଓ୍ଵିକେଟ୍ ପାଇଁ ୧୫୮ ରନ ଯୋଡି ଗୁଜରାଟକୁ ମୁସ୍କିଲ ସ୍ଥିତିରୁ ବାହାର କରିବାକୁ ଚେଷ୍ଟା କରିଥିଲେ। ଦଳୀୟ ସ୍କୋର ୨୨୧ ରନରେ ଅଧିନାୟକ ପାର୍ଥିବ ପଟେଲ ଆଉଟ୍ ହେବା ପରେ ଗୁଜରାଟ ପୁଣି ଥରେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ୭୨.୨ ଓଭରରେ ୨୩୪ ରନରେ ଅଲଆଉଟ୍ ହୋଇଥିଲା। ସୌରାଷ୍ଟ୍ର ୯୨ ରନରେ ସେମି ଫାଇନାଲ ମୁକାବିଲାକୁ ଜିତି ଫାଇନାଲରେ ପ୍ରବେଶ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.