ଦିଲ୍ଲୀପ ରାୟଙ୍କ ରାଜନୈତିକ ଆଭିମୁଖ୍ୟ କ’ଣ ? ଜୟନ୍ତ ରାୟଙ୍କ ଫେସବୁକ୍ ପୋଷ୍ଟ ସୃଷ୍ଟି କରୁଛି ଦ୍ବନ୍ଦ୍ବ

Published By : Prameya-News7 Bureau | November 28, 2018 IST

ଭୁବନେଶ୍ବର ୨୮/୧୧: ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଆସିଥିବା ବିଜେପି ବିଧାୟକ ଦିଲ୍ଳୀପ ରାୟଙ୍କ ପୁଅ ଜୟନ୍ତ ରାୟଙ୍କ ସୋଶିଆଲ ମିଡିଆ ପୋଷ୍ଟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଗୋଟିଏ ପଟେ ଦିଲ୍ଳୀପ ରାୟ ବିଜେପି ଛାଡ଼ିବେ ବୋଳି ଆଲୋଚନା ଜୋର ଧରିଥିବାବେଳେ ପୁଅ ଜୟନ୍ତ ରାୟଙ୍କ ଫେସବୁକ୍ ପୋଷ୍ଟ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଉଛନ୍ତି। ଦିଲ୍ଲୀପ ବିଜେପି ଛାଡ଼ିବା ଯେ ନିଶ୍ଚିତ ଏକଥା ମଧ୍ୟ ତାଙ୍କ ପୋଷ୍ଟରୁ ବେଶ୍ ସ୍ପଷ୍ଟ ହେବାରେ ଲାଗିଛି। ଗତକାଲି (ମଙ୍ଗଳବାର) ଜୟନ୍ତ ରାୟ ହଠାତ୍ ତାଙ୍କ ଫେସବୁକ୍ ଟାଇମ୍ ଲାଇନରେ ବିଜୁ ଜନତା ଦଳର ଲୋଗୋ ପୋଷ୍ଟ କରିଥିଲେ। ଏହା ଦେଖି ବିଭିନ୍ନ ଗଣ ମାଧ୍ୟମ ଏବଂ ସାଧାରଣ ଲୋକ ଅନ୍ଦାଜ କରିଥିଲେ ଯେ, ହୁଏତ ଦିଲ୍ଲୀପ ରାୟ ବିଜେପି ଛାଡ଼ିବାପରେ ବିଜେଡ଼ିରେ ଯୋଗ ଦେବେ। କିନ୍ତୁ ଜୟନ୍ତ ରାୟଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ଯେତେବେଳେ ଜୋର ଧରିଲା ସେତେବେଳେ ଲେଖିଥିଲେ ଯେ ,‘‘ hacked post to be ignored,no political conclusion to be assumed’’. ଅର୍ଥାତ୍ ତାଙ୍କ ଟାଇମଲାଇନକୁ କେହି ହ୍ୟାକ୍ କରି ଏଭଳି ପୋଷ୍ଟ କରିଛି। ତେଣୁ ଏହି ପୋଷ୍ଟରୁ କେହି କୈାଣସି ରାଜନୈତିକ ଉପସଂହାରରେ ପହଞ୍ଚିବା ଉଚିତ୍ ନୁହେଁ। ଏକଥାକୁ ବିଶ୍ବାସ କରାଯାଇପାରିଥାନ୍ତା ଯଦି ଜୟନ୍ତ ରାୟ ତାଙ୍କ ଟାଇମଲାଇନରେ ଅନ୍ୟ କୈାଣସି ରାଜନୈତିକ ପୋଷ୍ଟ କରିନଥାନ୍ତେ। କିନ୍ତୁ ଆଜି ଜୟନ୍ତ ରାୟ ପୁଣି ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଗୋଟେ ପଦ୍ମଫୁଲର ଫଟୋ ରହିଛି (ଯାହା ବିଜେପି ଲୋଗୋ ଭଳି ଲାଗୁନାହିଁ)। ପୁଣି ସେ କ୍ୟାପସନ୍ ଲେଖିଛନ୍ତି ‘‘choose one with heart”. ଅର୍ଥାତ୍ ହୃଦୟର ସହିତ ଏ ଦୁଇଟିରୁ ଗୋଟିଏ ବାଛନ୍ତୁ। ଏହି ଦୁଇଟି ଫଟୋ ସହ ଜୟନ୍ତ ନିଜ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏଭଳି ପୋଷ୍ଟକୁ ଦେଖି ଜୟନ୍ତ ରାୟ ଏବଂ ଦିଲ୍ଲୀପ ରାୟ ମଧ୍ୟ ନିଜ ରାଜନୈତିକ ଆଭିମୁଖ୍ୟକୁ ନେଇ ଦ୍ବନ୍ଦ୍ବରେ ଥିବା ଚର୍ଚ୍ଚା ହେଉଛି। ତେବେ ତଥ୍ୟାଭିଜ୍ଞ ମହଲରୁ ପ୍ରକାଶ ଯେ, ଦିଲ୍ଲୀପ ବିଜେପି ଛାଡ଼ିବା ପାଇଁ ଏକପ୍ରକାର ମାନସିକ ସ୍ତରରେ ପ୍ରସ୍ତୁତ ହୋଇସାରିଛନ୍ତି। ତାଙ୍କର ଏହି ମାନସିକ ପ୍ରସ୍ତୁତି ସମ୍ପର୍କରେ ସେ ତାଙ୍କର କିଛି ରାଜନୈତିକ ବନ୍ଧୁ ଏବଂ ସାମ୍ବାଦିକ ବନ୍ଧୁଙ୍କ ସହ ଆଲୋଚନା ମଧ୍ୟ କରିସାରିଛନ୍ତି। ଏପରିକି ବିଜୟ ମହାପାତ୍ର ମଧ୍ୟ ଏହି ସମ୍ଭାବନା ନେଇ ଟିପ୍ପଣୀ ଦେଇଛନ୍ତି। ଏବେ ପ୍ରଶ୍ନ ହେଉଛି ଦିଲ୍ଲୀପ ଯଦି ବିଜେପି ଛାଡ଼ନ୍ତି ତାହେଲେ ତାଙ୍କ ପାଇଁ ବିକଳ୍ପ କ’ଣ? ଏକଦା ବିଜୁ ପଟ୍ଟନାୟକଙ୍କ ପାଇଁ ଅନୁଗତ ଥିବା ଦିଲ୍ଲୀପ ସ୍ବାଭାବିକଭାବେ ବିଜୁ ଜନତା ଦଳ ଆଡ଼କୁ ଆକୃଷ୍ଟ। ଦିଲ୍ଲୀପ ବିଜେଡ଼ିରେ ଯୋଗ ଦେବା ସମ୍ପର୍କରେ ବିଜେଡ଼ିର ନିଷ୍ପତ୍ତି ନିର୍ଦ୍ଧାରକ ଗୋଷ୍ଠୀ ବରାବର ଆଲୋଚନା କରୁଥିବା ମଧ୍ୟ ଜଣାପଡ଼ିଛି। ତେବେ ଆଜି ଜୟନ୍ତ ରାୟଙ୍କ ଫେସବୁକ୍ ପୋଷ୍ଟର ଉଦ୍ଦେଶ୍ୟ କ’ଣ ଜଣାପଡ଼ୁନାହିଁ। ଏଭଳି ପୋଷ୍ଟକୁ ଦେଖି ସାଧାରଣ ଭାବେ ଆଲୋଚନା ହେଉଛି ଯେ, ରାୟ ପରିବାର ରାଜନୈତିକ ଆଭିମୁଖ୍ୟ ନେଇ ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.