ଭୁବନେଶ୍ବର ୩|୮: ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କୁ ଓକିଲ ନୋଟିସ୍ । ଓକିଲ ନୋଟିସ୍ ପଠାଇଛନ୍ତି କଂଗ୍ରେସ ନେତା ଜୟନ୍ତ ମହାନ୍ତି । ପାଟକୁରା ନିର୍ବାଚନରେ ଅପପ୍ରଚାର କରିଥିବା ଅଭିଯୋଗ ଆଣି ଜୟନ୍ତ ଓକିଲ ନୋଟିସ୍ ପଠାଇଥିବା ଜଣାପଡିଛି । ୧୫ଦିନରେ ଉତ୍ତର ଅଥବା ପ୍ରମାଣ ଦେବାକୁ ନୋଟିସ୍ ରେ ଉଲ୍ଲେଖ କରାଯାଇଛି । ଧାର୍ଯ୍ୟ ସମୟ ପରେ ଜୟନ୍ତ ଆଇନର ଆଶ୍ରୟ ନେବେ ବୋଲି ନୋଟିସ୍ ରେ କୁହାଯାଇଛି । ଦାମଙ୍କ ଅପପ୍ରଚାର ଯୋଗୁଁ ସେ ମାନସିକ ଭାବେ କ୍ଷତିଗ୍ରସ୍ତ ବୋଲି ଦର୍ଶାଇଛନ୍ତି ଜୟନ୍ତ ।
ସୂଚନାଯୋଗ୍ୟ ଯେ, ପାଟକୁରା ବିଧାନସଭା ନିର୍ବାଚନ ପରେ କଂଗ୍ରେସର ଭୋଟ୍ ବିକ୍ରି ହୋଇଥିବା ବରିଷ୍ଠ ବିଜେପି ନେତା ଦାମୋଦର ରାଉତ କହିଥିଲେ । ନିରଞ୍ଜନ କଂଗ୍ରେସ ଭୋଟ୍ ସବୁ ବିଜେଡିକୁ ବିକ୍ରି କରିଦେଇଥିବା ଦାମ ସିଧାସଳଖ ଅଭିଯୋଗ କରିଥିଲେ ।
ଦାମ କହିଥିଲେ ଯେ, ସାନ ବିଜୁ (ବିଜୟ ମହାପାତ୍ର) ୨୪ରୁ ୨୫ ହଜାର ଭୋଟ୍ ରେ ଜିତିଛନ୍ତି । ସେ ୭୮ହଜାର ଭୋଟ୍ ପାଇଛନ୍ତି । ବିଜୁ ଜନତା ଦଳ ପ୍ରାର୍ଥିନୀ ୯୬ ହଜାର ଭୋଟ୍ ପାଇଥିଲେ । ୨୦୧୪ ମସିହାରେ କଂଗ୍ରେସ ପାଇଥିଲା ୪୪ ହଜାର ଭୋଟ୍ । ଏବେ କଂଗ୍ରେସ ପାଇଛି ୨ହଜାର ଭୋଟ୍ । କଂଗ୍ରେସର ୪୦ହଜାର ଭୋଟ୍ ଯଦି ବିକ୍ରି ହୋଇନଥାନ୍ତା ତେବେ ବିଜୟ ମହାପାତ୍ର ପାଟକୁରାରୁ ୨୫ ହଜାର ଭୋଟରେ ଜିତିଥାନ୍ତେ ।
ଅନୈତିକ ବୁଝାମଣାର ପ୍ରତିଯୋଗିତା ଚାଲିଛି ବୋଲି ଦାମ କହିଥିଲେ । ବିଜୟ ମହାପାତ୍ର ଯଦି ଏହି ନିର୍ବାଚନରେ ୪୦ରୁ ୪୫ ହଜାର ଭୋଟ୍ ପାଇଥାନ୍ତେ ତେବେ ସେ ହାରିଗଲେ ବୋଲି କୁହାଯାଇଥାନ୍ତା । ତେବେ ପାଟକୁରା ନିର୍ବାଚନରେ ବିଜେଡିର ବିଜୟ ପାଇଁ ଶ୍ରେୟର ହକଦାର ନବୀନ ବାବୁ ନୁହନ୍ତି ବରଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କର ବୋଲି ସେ କହିଥିଲେ ।
କଟକର ଏକ ନିବୃତ୍ତ କୋଠରୀରେ କଂଗ୍ରେସ ଭୋଟ୍ ବିକ୍ରି ପାଇଁ ଡିଲ୍ ହୋଇଥିଲା । ଏହି ଡିଲ୍ ରେ ଜୟନ୍ତଙ୍କ ଭାଇ ସାମିଲ୍ ଥିଲେ ବୋଲି ଦାମ ସିଧାସଳଖ କହିଥିଲେ । ଏହାର ପ୍ରମାଣ ଦେବା ପାଇଁ ଏବେ ଜୟନ୍ତ ନୋଟିସ୍ ରେ ଦାମଙ୍କୁ ଆହ୍ବାନ ଦେଇଛନ୍ତି ।