ଯୁବତୀଙ୍କଠୁ ଛେଚା ଖାଇଲେ ଯବାନ : କରିଥିଲେ ଅଶ୍ଳୀଳ ଇଙ୍ଗିତ

Published By : Prameya-News7 Bureau | February 17, 2020 IST

ଭୁବନେଶ୍ୱର ୧୭/୨: ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ମହଙ୍ଗା ପଡ଼ିଛି ଜଣେ ଯବାନଙ୍କୁ । ରବିବାର ଅପରାହ୍ନରେ କଳ୍ପନା ଛକରେ ଏହି ରସିକିଆ ଯବାନ ଜଣଙ୍କ ନିର୍ଧୁମ ଛେଚା ଖାଇଛନ୍ତି । ସଂପୃକ୍ତ ଯବାନଙ୍କୁ କ୍ୟାପିଟାଲ ଥାନା ପୁଲିସ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାରେ ଅଟକ ରଖିଛି । ତାଙ୍କ ନାମ ପ୍ରମୋଦ ବେହେରା । ଘର ଗଞ୍ଜମ ଗୋଳନ୍ଥରା । ସେ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ (ଏସ୍‌ଏସ୍‌ବି)ରେ କାମ କରୁଛନ୍ତି । ଯବାନଙ୍କ ମାଡ଼ ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ଏହି ଯବାନଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ଏସ୍‌ଏସ୍‌ବି ଏସ୍‌ପି ।

ଘଟଣାରୁ ଜଣାଯାଇଛି, ରବିବାର ଦିନ ୨ଟାବେଳେ ଜଣେ ଯୁବତୀ ରାଜମହଲରୁ କଳ୍ପନା ଅଭିମୁଖେ ଚାଲିଚାଲି ଯାଉଥିଲେ । ରାଜମହଲ ଓଭରବ୍ରିଜ ନିକଟରୁ ପ୍ରମୋଦ ତାଙ୍କୁ ପିଛାକରି ଅଶ୍ଳୀଳ ଇଙ୍ଗିତ କରିଥିଲେ । ଯୁବତୀ କିଛି ପ୍ରତିକ୍ରିୟା ପ୍ରକାଶ ନ କରିବାରୁ ପ୍ରମୋଦ ତାଙ୍କୁ ବିଚ୍‌ ରାସ୍ତାରେ ଟଣାଓଟରା କରିବା ଆରମ୍ଭ କରି ଦେଇଥିଲେ । ବାସ୍‌ ତା’ପରେ ଯୁବତୀ ଜଣଙ୍କ ରାଗି ନାଲି ପଡ଼ି ଯାଇଥିଲେ । ସର୍ବ ସମ୍ମୁଖରେ ପ୍ରମୋଦଙ୍କୁ ଧରି ଆରମ୍ଭ କରି ଦେଇଥିଲେ ନିସ୍ତୁକ ମାଡ଼ । ଚାପୁଡ଼ା, ମୁଥ ଓ ବିଧା ଗୋଇଠା ମାଡ଼ ଖାଇ ଖସି ପଳାଇଯିବାକୁ ଉଦ୍ୟମ କରୁଥିବା ପ୍ରମୋଦଙ୍କୁ କିନ୍ତୁ ଲୋକେ ଘେରି ଯାଇଥିଲେ । ଶେଷରେ ଯୁବତୀ ଜଣଙ୍କ ଗୋଡ଼ରୁ ଚପଲ ଖୋଲି ପିଟି ଚାଲିଥିଲେ । ତାଙ୍କ ମାଡ଼ ଦେଖି ସେହିବାଟ ଦେଇ ଯାଉଥିବା କିଛି ମହିଳା ମଧ୍ୟ ଏଥିରେ ସାମିଲ ହୋଇ ଯାଇଥିଲେ । ପ୍ରମୋଦଙ୍କୁ ସମସ୍ତେ ମିଶି ନିର୍ଧୁମ୍‌ ଛେଚିଥିଲେ । ଜଣେ ଯବାନଙ୍କ ଏଭଳି କାଣ୍ଡକୁ ଲୋକେ ସହଜରେ ହଜମ କରିପାରି ନଥିଲେ । କିଏ ମାଡ଼ ମାରୁଥାଏ ତ ଆଉ କିଏ ଭିଡିଓ ସୁଟ୍‌ କରୁଥାଏ ।

ସେଠାରେ ଲୋକଙ୍କ ଏଭଳି ଗହଳି ଲାଗିଥିଲା ଯେ, ଉକ୍ତ ରାସ୍ତାରେ ଯାତାୟାତ ଏକ ପ୍ରକାର ଠପ୍‌ ହୋଇ ଯାଇଥିଲା । ଖବରପାଇ କ୍ୟାପିଟାଲ ଥାନା ପୁଲିସ ସେଠାରେ ପହଞ୍ଚି ପ୍ରମୋଦଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରି ଆଣିଥିଲା । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଇ ପୁଲିସ ଥାନାରେ ଅଟକ ରଖିଛି । ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏନେଇ ଥାନାରେ କେହି ଅଭିଯୋଗ କରି ନଥିବା ଜଣାପଡ଼ିଛି । ପୁଲିସ ପ୍ରମୋଦଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ପ୍ରମୋଦଙ୍କ ଏଭଳି ଆଚରଣ ଓ ମାଡ଼ ଖାଉଥିବାର ଭିଡିଓ ଭାଇରାଲ ହେବାପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.