ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ

Published By : Prameya-News7 Bureau | December 05, 2021 IST

ଭୁବନେଶ୍ୱର,୦୫|୧୨:  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜୱାଦ ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇଛି । ଏହା ବିଶାପାଟଣାଠାରୁ ୧୮୦ କିଲୋମିଟର, ଗୋପାଳପୁରଠାରୁ ୨୦୦ କିଲୋମିଟର ଏବଂ ପୁରୀଠାରୁ ୨୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି ।

ଏହା ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଉପକୂଳ ଦିଗରେ ଗତି କରୁଛି । ବାତ୍ୟା ଜୱାଦ ରବିବାର ମଧ୍ୟାହ୍ନ ସୁଦ୍ଧା ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଉଥିଲା । ତେବେ ଏହାର ବେଶ ପୂର୍ବରୁ ବାତ୍ୟା ଜୱାଦ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ଅର୍ଥ ପବନ ଜନିତ କ୍ଷୟକ୍ଷତିର ଆଶଙ୍କା ଟଳି ଯାଇଛି । କିନ୍ତୁ ‘ଜୱାଦ’ ପ୍ରଭାବରେ ସମଗ୍ର ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରରେ ପାଗ କୋହଲା ରହିଥିବା ବେଳେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ।

ପବନର ବେଗ ସର୍ବାଧିକ ୫୫ରୁ ୬୫ କିଲୋମିଟର ବେଗରେ ବୋହିପାରେ । ତେବେ ରବିବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା , ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର , କଟକ , ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ନୟାଗଡ଼ , କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ସକାଳ ସାଢ଼େ ୮ଟା ରୁ ୬ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି କେନ୍ଦୁଝର , ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.