ବିଜେଡି ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର

Published By : Prameya-News7 Bureau | August 14, 2018 IST

ଭୁବନେଶ୍ୱର ୧୪/୮ : କାଲି ଠୁ ଆଜି ଯାଏଁ ବିଜେଡି ଉପରେ ବର୍ଷୀ ଚାଲିଛନ୍ତି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର । କହିଛନ୍ତି, ଓଡ଼ିଶାରେ ଲୋକତନ୍ତ୍ର ନାହିଁ । ବିଜେଡି ତନ୍ତ୍ର ଚାଲିଛି । ବିନା ପିସିରେ ଏଠାରେ କୌଣସି କାମ ହୁଏନି । ବିଜେଡି ସମର୍ଥକଙ୍କୁ ସରକାରୀ ସହଯୋଗ ମିଳୁଛି । ଏଥିପାଇଁ ଅଫିସରମାନଙ୍କୁ ଅଲିଖିତ ନିର୍ଦ୍ଦେଶ ଦିଆଯାଇଛି । ବ୍ରହ୍ମପୁରରେ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ ରଖିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର । ରାସନକାର୍ଡ ଓ ପାଇଖାନା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି । କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁରେ କରି ବିଜେଡି ସରକାର ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରୁଥିବା ଆରୋପ ଆଣିଛନ୍ତି ଜାଭେଡକର । ଏହା ସହ ବ୍ରହ୍ମପୁରରେ ଗୁଣ୍ଡାରାଜ ଚାଲିଛି ଓ ପୋଲିସ ବିଜେପି ସମର୍ଥକଙ୍କୁ ମିଛ ମାମଲା ଲଗାଇ ଗିରଫ କରୁଛି ବୋଲି ଜାଭେଡକର ଅଭିଯୋଗ କରିଛନ୍ତି । ଆରୋପର ଲମ୍ବାଚିଠା ରଖିବା ବେଳେ ବିଜେପିର ମିଶନ ୧୨୦ କୁ ପୁଣି ଦୋହରାଇଛନ୍ତି ଜାଭେଡକର । କହିଛନ୍ତି ଭୋଟ ଆଉ୨୫୦ ବାକି ଅଛି ଓ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି । ୨୦୧୯ରେ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ଦୃଢୋକ୍ତି ମଧ୍ୟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ବିଜେପି ମନ୍ତ୍ରୀଙ୍କ ଅଭିଯୋଗ, ଆକ୍ଷେପର ଫଟାଫଟ ଜବାବ ଦେଇଛି ବିଜେଡି । ପିସି କାରବାର ନେଇ ପ୍ରକାଶ ଜାଭେଡକରଙ୍କ ଅଭିଯୋଗ ନେଇ ସ୍ପଷ୍ଟ ଓ ଠୋସ ପ୍ରମାଣ ମାଗିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।ରାଜ୍ୟରେ ବିକାଶ ଜାରି ରହିଥିବାରୁ କେନ୍ଦ୍ର ମନ୍ତ୍ରୀ ମାନେ ଓଡିଶା ଆସି ଏପରି କହିଚାଲିଥାବା ସେ ଓଲଟା ଆରୋପ କରିଛନ୍ତି । ଦେଶରେ ଏକକ ନିର୍ବାଚନ ସଂପର୍କରେ ମତ ରଖି ସସ୍ମିତ କହିଛନ୍ତି , ୨୦୦୪ରୁ ବିଜେଡି ସେହି ପ୍ରକ୍ରିୟାରେ ସାମିଲ ହୋଇସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.