ବିହାର ନିର୍ବାଚନ: ଚିରାଗଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ଜାଭଡେକର, କହିଲେ- ଲୋକଙ୍କୁ ବିଭ୍ରାନ୍ତ କରୁଛି ଲୋଜପା

Published By : Prameya-News7 Bureau | October 16, 2020 IST

ପାଟଣା ୧୬/୧୦: ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସରଗରମ ହେଲାଣି ରାଜନୈତିକ ପାଣିପାଗ। ଜୋରଦାର ଚାଲିଛି ଆରୋପ ପ୍ରତ୍ୟାରୋପ । ବିଜେପି  ଓ ଚିରାଗ ପାଶଓ୍ବାନଙ୍କ ପାର୍ଟି ଲୋକ ଜନଶକ୍ତି ପାର୍ଟି ମଧ୍ୟରେ ବୟାନବାଜି ଖୁବ ତେଜୁଛି। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ପ୍ରକାଶ ଜାଭଡେକର ଲୋଜପା ମୁଖ୍ୟ ଚିରାଗ ପାଶ୍‌ଓ୍ବାନଙ୍କ ଉପରେ ଆଣିଛନ୍ତି ସାଂଘାତିକ ଅଭିଯୋଗ।

ଜାଭଡେକର କହିଛନ୍ତି, ‘ବିହାରରେ ଲୋଜପା ବିଜେପି ପାଖରୁ ଅଲଗା ରାସ୍ତା ବାଛିଛି । ବିଜେପିର ବରିଷ୍ଠ ନେତାଙ୍କ ନାଁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ଲୋଜପା ନେତା। ଆମର କୌଣସି ‘ବି’ କି ‘ସି’ ଟିମ୍‌ ନାହିଁ। ’ ଏହାସହ ବିହାରରେ ଏନଡିଏକୁ ତିନି ଚତୁର୍ଥାଂଶ ବହୁମତ ମିଳିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପ୍ରକାଶ ଜାଭଡେକର ।

କେନ୍ଦ୍ରରେ ଏନଡିଏ ସହଯୋଗୀ ଲୋଜପା ବିହାରରେ ଏକା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ବିହାରରେ ନେତୃତ୍ବ ପରିବର୍ତ୍ତନ ପାଇଁ ଏଭଳି ନିଷ୍ପତ୍ତିର ଆବଶ୍ୟକତା ଥିଲା ବୋଲି ଲୋଜପା ଅଧ୍ୟକ୍ଷ ଚିରାଗ ପାଶ୍ଓ୍ବାନ କହିଥିଲେ। ମୋ ବାପା( ରାମବିଳାସ ପାଶ୍ବଓ୍ବାନ)ଙ୍କ ଇଛା ଥିଲା ଆମ ଦଳ ଏକଲା ନିର୍ବାଚନ ଲଢ଼ୁ ବୋଲି । ଏଥିପାଇଁ ସେ ଆମାକୁ ପ୍ରୋତ୍ସାହିତ କରିଥିବା ଚିରାଗ କହିଥିଲେ।

ଅନ୍ୟପଟେ ନୀତିଶ ସରକାରଙ୍କ ସହ ଆଲୋଚନା ହୋଇନପାରିବା ଓ ସରକାରରେ ଲୋଜପା ନେତାଙ୍କୁ ପ୍ରତିନିଧିତ୍ବ କରିବାର ସୁଯୋଗ ନମିଳିବାକୁ ନେଇ ଗୁରୁବାର ଅଭିଯୋଗ କରିଥିଲେ ଚିରାଗ। ଏହାସହ କେନ୍ଦ୍ରରେ ଏବେ ବି ଆମର ସରକାର ଅଛି। ଆମେ ସବୁ ବେଳେ କେନ୍ଦ୍ର ସପକ୍ଷରେ ରହିଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୀତିକୁ ସମର୍ଥନ ଜାରି ରଖିବୁ। କିନ୍ତୁ ବିହାରରେ ନେତୃତ୍ବ ପରିବର୍ତ୍ତନ ହେବା ଦରକାର ବୋଲି କହିଛନ୍ତି ଚିରାଗ ପାଶ୍‌ଓ୍ବାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.